ଓଟିଇଟି ପରୀକ୍ଷା ବିଭ୍ରାଟ ପ୍ରସଙ୍ଗ : ଆଜି ଗଣଶିକ୍ଷା ମନ୍ତ୍ରୀଙ୍କ ନେତୃତ୍ୱରେ ବୋର୍ଡର ଉଚ୍ଚସ୍ତରୀୟ ବୈଠକ

କଟକ : ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି) ବିଭ୍ରାଟ ପ୍ରସଙ୍ଗକୁ ନେଇ ସୋମବାର ଅପରାହ୍ନରେ ଭୁବନେଶ୍ବରରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଗଣଶିକ୍ଷା ମନ୍ତ୍ରୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ସଂପାଦକ ଓ ପରୀକ୍ଷା ନିୟନ୍ତ୍ରକଙ୍କ ସମେତ ଗଣଶିକ୍ଷା ବିଭାଗର ଉଚ୍ଚସ୍ତରୀୟ ‌ଅଧିକାରୀମାନେ ଯୋଗ‌ ଦେବେ। ବୈଠକରେ ଓଟିଇଟି ପରୀକ୍ଷାର୍ଥୀଙ୍କ ଦାବି ସମ୍ପର୍କରେ ତର୍ଜମା କରାଯିବା ସହିତ ପରୀକ୍ଷା ଫଳ ପ୍ରକାଶନ ପାଇଁ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।

ଓଟିଇଟି ପରୀକ୍ଷାରେ ବିଭ୍ରାଟକୁ ନେଇ ବୋର୍ଡ କିଛିଦିନ ହେବ ବିବାଦୀୟ ହୋଇପଡ଼ିଛି। ପରୀକ୍ଷା ପରଠାରୁ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଶିକ୍ଷକ ସଂଗଠନ ଓ ପରୀକ୍ଷାର୍ଥୀଙ୍କ ପକ୍ଷରୁ ବିକ୍ଷୋଭ, ପ୍ରତିବାଦ ଚାଲିଛି। କିଛି ସଂଗଠନ ବୋର୍ଡ ସଂପାଦକଙ୍କ ସମେତ ଗଣଶିକ୍ଷା ମନ୍ତ୍ରୀଙ୍କୁ ସ୍ମାରକପତ୍ର ବି ପ୍ରଦାନ କରି ଓଟିଇଟି ପରୀକ୍ଷାରେ ବ୍ୟାପକ ଅନିୟମିତତା ‌ହୋଇଥିବା ଅଭି‌ଯୋଗ କରିଥିଲେ। ଓଟିଇଟି ପରୀକ୍ଷା ପୂର୍ବରୁ ବୋର୍ଡର ପରୀକ୍ଷା ପରିଚାଳନା କମିଟି ବୈଠକ ନ ବସିବା, ନିୟମ ନ ଥାଇ ଅନ୍‌ଲାଇନରେ ଓଟିଇଟି ପରୀକ୍ଷା ପାଇଁ ନିଷ୍ପତ୍ତି ନିଆଯିବା, ବୋର୍ଡ ସିଲାବସ୍‌ କମିଟି ଓ ଶିକ୍ଷା କମିଟି ଅନୁମୋଦନ ବିନା ଅଣଓଡ଼ିଆଙ୍କ ଦ୍ବାରା ପ୍ରଶ୍ନପତ୍ର ପ୍ରସ୍ତୁତି କରିବା ଭଳି ଗୁରୁତର ଅଭିଯୋଗ ହୋଇଥିଲା। ଏହି ସବୁ କାରଣ ପାଇଁ ପରୀକ୍ଷାର ଅନେକ ପ୍ରଶ୍ନରେ ଭାଷାଗତ ତ୍ରୁଟି, କୋର୍ସ ବାହାରର ପ୍ରଶ୍ନ ଓ ଅପ୍ରାସଙ୍ଗିକ ପ୍ରଶ୍ନ ଆସିଥିବା ଅଭ‌ିଯୋଗ ହୋଇଥିଲା। ବୋର୍ଡ କର୍ତ୍ତୃପକ୍ଷ ନିଜ ଦୋ‌ଷ ଲୁଚାଇବା ପାଇଁ ୱେବ୍‌ସାଇଟ୍‌ରେ ‘ଉତ୍ତର’ ଛାଡ଼ିବାବେଳେ ଅନେକ ପ୍ରଶ୍ନକୁ ସଂଶୋଧନ କରିଥିବା ବିଭିନ୍ନ ସଂଗଠନ ପକ୍ଷରୁ ଅଭିଯୋଗ ହୋଇଥିଲା। ପରୀକ୍ଷାର୍ଥୀଙ୍କୁ ‘ଗ୍ରେସ୍ ମାର୍କ’ ଦେଇ ପାସ୍ କରାଯିବାକୁ ସେମାନେ ଦାବି କରିଥିଲେ। ବୋର୍ଡର ତ୍ରୁଟି ହୋଇଥିବା ନେଇ କର୍ତ୍ତୃପକ୍ଷ ସ୍ବୀକାର କରିବା ସହିତ ଆସନ୍ତାକାଲି ଉଚ୍ଚସ୍ତରୀୟ ବୈଠକରେ ଏ ବିଷୟରେ ଆଲୋଚନା କରାଯିବ ବୋଲି ବିଭୋକ୍ଷକାରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ଆସନ୍ତାକାଲିର ବୈଠକ ବହୁଦୃ‌‌ଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ବୋଲି ଚର୍ଚ୍ଚା ହେଉଛି।

ଏ ସଂକ୍ରାନ୍ତରେ ବୋର୍ଡ ସଂପାଦକ ରାମାଶିଷ ହାଜରା କହିଛନ୍ତି, ବୋର୍ଡର ପରୀକ୍ଷା କମିଟି ନିଷ୍ପତ୍ତି ଅନୁସାରେ ଓଟିଇଟି ପରୀକ୍ଷା କରାଯାଇଥିଲା। କିନ୍ତୁ ଓଟିଇଟି ପରୀକ୍ଷାରେ କିଛିଟା ତ୍ରୁଟି ରହିଥିବା ଭଳି ଜଣାପଡ଼ୁଛି। ଏଥିପାଇଁ ବୋର୍ଡ ପକ୍ଷରୁ ଏକ ବିଶେଷଜ୍ଞ କମିଟି ଚୟନ କରାଯାଇ ସେମାନଙ୍କୁ ଦାୟିତ୍ବ ଦିଆଯାଇଛି। ବିଶେଷଜ୍ଞ କମିଟି ରିପୋର୍ଟକୁ ଅପେକ୍ଷା କରାଯାଇଛି। ଆସନ୍ତାକାଲି ଗଣଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଟିଇଟି ସଂପର୍କରେ ଆଲୋଚନା କରାଯିବ ଏବଂ ନିଷ୍ପତ୍ତି ଓ ବିଶେଷଜ୍ଞ କମିଟି ରିପୋର୍ଟ ଆଧାରରେ ଓଟିଇଟି ପରୀକ୍ଷା ସଂକ୍ରାନ୍ତରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ‌ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର