ବାହାରିଲା ‘ଲାଉ’ର ନୂଆ କିସମ : ୮ଟି କିସମକୁ ରିଲିଜ୍‌ ପାଇଁ ଓୟୁଏଟିର ପ୍ରସ୍ତାବ, ୬ଟି କେବିକେରେ ‘ପଲ୍ସ ସିଡ୍‌ ହବ୍‌’

ଭୁବନେଶ୍ୱର : ୨୦୧୭-୧୮ରେ ଓୟୁଏଟି ଗବେଷଣା ମାଧ୍ୟମରେ ‘ଲାଉ’ର ଉନ୍ନତ କିସମ ବିକାଶ କରିଛି। ଏଥିସହ କପା, ଧାନ, ମକା, ଚିନାବାଦାମ, ଅଳସୀ ଏବଂ ହଳଦୀ ପରି ଫସଲରେ ୮ଟି କିସମକୁ ଆନୁଷ୍ଠାନିକ ଭାବରେ ରିଲିଜ୍‌ କରିବା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଏହାବ୍ୟତୀତ ଫସଲ ଉତ୍ପାଦନ, ଫସଲ ସଂରକ୍ଷଣ, ଫୁଲଚାଷ, ଛତୁଚାଷ, ଅମଳ ପରବର୍ତୀ ଯତ୍ନ, କୃଷି ଯନ୍ତ୍ରପାତି, ପ୍ରାଣୀପାଳନ ଏବଂ ମତ୍ସ୍ୟଚାଷ ଇତ୍ୟାଦିରେ ୧୪ଟି ଜ୍ଞାନକୌଶଳ ବିକାଶ କରାଯାଇଛି ବୋଲି ବିଶ୍ୱବିଦ୍ୟାଳୟର ଗବେଷଣା ଅଧ୍ୟକ୍ଷ ଡ. ଳକ୍ଷ୍ମଣ କୁମାର ବାବୁ ସୂଚନା କହିଛନ୍ତି।

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ପରିସରରେ ରାଜ୍ୟସ୍ତରୀୟ ଗବେଷଣା ଏବଂ ସମ୍ପ୍ରସାରଣ ପରିଷଦ ବୈଠକର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ଶ୍ରୀ ବାବୁ ଏହା କହିଛନ୍ତି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ କୃଷି, କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ସଚିବ ଡ. ସୌରଭ ଗର୍ଗ ଯୋଗଦେଇ କହିଲେ ସମ୍ପ୍ରସାରଣ ସୁଦୃଢ଼ୀକରଣ କରିବା ଓ ରାଜ୍ୟ ସରକାରଙ୍କ କୃଷି, ମତ୍ସ୍ୟ ପାଳନ ଓ ପ୍ରାଣୀ ସମ୍ପଦ ବିକାଶ, ସମବାୟ, ଜଳ ସମ୍ପଦ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ପଞ୍ଚାୟତିରାଜ ବିଭାଗକୁ ଅନ୍ତର୍ଭୁକ୍ତ କରିବାର ଆବଶ୍ୟକତା ରହିଛି। କୃଷି ଜ୍ଞାନକୌଶଳ ବଣ୍ଟନ କାର୍ଯ୍ୟରେ ପଞ୍ଚାୟତସ୍ତରରେ କୃଷି ବିଭାଗ ଅଧିନରେ କାମ କରୁଥିବା ଗ୍ରାମ ସେବକଙ୍କର ସହାୟତା ନେବା ପାଇଁ ସେ ପରାମର୍ଶ ଦେଇଥିଲେ। ଭବିଷ୍ୟତରେ ମରୁଡ଼ି, ରୋଗପୋକ ଏବଂ ଥଣ୍ଡା ସହିପରୁଥିବା ଡାଲିଜାତୀୟ ଫସଲ କିସମ ବିକାଶ ଦିଗରେ ଓୟୁଏଟି ବିଶେଷ ଧ୍ୟାନ ଦେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

ଉତ୍ସବରେ ପୌରୋହିତ୍ୟ କରି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପଶୁପାଳକ କହିଲେ ଓୟୁଏଟି ପରିସରରେ ବଜାର ଅଭିସୂଚନା ଗବେଷଣା କ୍ଷେତ୍ରରେ ଏକ ଉତ୍କର୍ଷତା କେନ୍ଦ୍ର ସ୍ଥାପନ କରିବାକୁ ଯୋଜନା ରହିଛି। କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକ ଆଗାମୀ ଦିନରେ ଫସଲ ବିବିଧୀକରଣ, କୃଷକ ଉତ୍ପାଦକ ସଂଘ ଗଠନ, ଅମଳ ପରବର୍ତୀ ପ୍ରକ୍ରିୟାକରଣ ଓ ମୂଲ୍ୟଯୁକ୍ତି ଓ ବଜାର ବ୍ୟବସ୍ଥା ସୁଦୃଢ଼ୀକରଣ ଦିଗରେ କାମ କରିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ। ବିଶ୍ୱବିଦ୍ୟାଳୟର ସଂପ୍ରସାରଣ ଅଧ୍ୟକ୍ଷ ପ୍ରଫେସର ପ୍ରଭାତ କୁମାର ରାଉଳ ଯୋଗଦେଇ ୬ଟି କୃଷି ବିଜ୍ଞାନ କେନ୍ଦ୍ରରେ ‘ପଲ୍ସ ସିଡ୍‌ ହବ୍‌’ ମାଧ୍ୟମରେ ଡାଲି ଜାତୀୟ ଫସଲର ବିହନ ଉତ୍ପାଦନ କରିବା, ଡାଲି ଓ ତୈଳବୀଜ ଫସଲର ଏକଚକିଆ ଆଗୁଆ ଧାଡ଼ି କ୍ଷେତ୍ର ପ୍ରଦର୍ଶନ ସହିତ ଫାରମର୍‌ ଫାଷ୍ଟ, ନିକ୍ରା, ଆର‍୍ୟା, ଟିଏସ୍‌ପି ଇତ୍ୟାଦିକୁ କାର୍ଯ୍ୟକାରୀ କରାଇବା ଦିଗରେ ପଦକ୍ଷେପ ନିଆଯାଉଥିବା କହିଥିଲେ। ଉତ୍ସବ ଶେଷରେ କ୍ଷେତ୍ର ବିଜ୍ଞାନ ବିଭାଗର ପ୍ରଫେସର ଲଳିତ ମୋହନ ଗଡ଼ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର