ଓୟୁଏଟି କୁଳପତି ଦୌଡ଼, ଚୂଡ଼ାନ୍ତ ପର୍ଯ୍ୟାୟରେ ୧୬ ପ୍ରଫେସର

ଭୁବନେଶ୍ବର : ଓଡ଼ିଶା କୃଷି ଓ ‌ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)ର ନୂତନ କୁଳପତି ଦୌଡ଼ର ଚୂଡ଼ାନ୍ତ ପର୍ଯ୍ୟାୟରେ ୧୬ଜଣ ପ୍ରଫେସର ରହିଛନ୍ତି। ରାଜ୍ୟ ତଥା ଦେଶର ଏହି ପ୍ରମୁଖ ବିଶ୍ବବିଦ୍ୟାଳୟର କୁଳପତି ପଦବି ଲାଗି ୭୧ଜଣ ପ୍ରଫେସର ତଥା ଶିକ୍ଷାବିତ୍‌ ଆବେଦନ କରିଥିଲେ। ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ସହ ବିଭିନ୍ନ ମାନଦଣ୍ଡକୁ ଦେଖିବା ପରେ ଚୟନ କମିଟି ଚୂଡ଼ାନ୍ତ ପର୍ଯ୍ୟାୟ ଲାଗି ୧୬ ଜଣ ପ୍ରଫେସରଙ୍କୁ ଚିହ୍ନଟ କରିଛନ୍ତି।

ବଡ଼ କଥା ହେଉଛି ଯେ କେବଳ ଓୟୁଏଟିରୁ ୧୭ଜଣ ପ୍ରଫେସର ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୩ଜଣ ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛନ୍ତି। ଏଥିସହ ଦେଶର ବିଭିନ୍ନ କୃଷି ବିଶ୍ବବିଦ୍ୟାଳୟ ଓ ଆଇସିଏଆର ଅଧୀନରେ ଥିବା ଗବେଷଣା ପ୍ରତିଷ୍ଠାନ, ଭାରତୀୟ ଧାନ ଗବେଷଣା ପ୍ରତିଷ୍ଠାନ(ଆଇଆରଆରଆଇ), ଭୁବନେଶ୍ବର ଆଇଆଇଟି, କୋଲକାତା, ରାଞ୍ଚି, ରାୟପୁରରେ ଥିବା କୃଷି ଶିକ୍ଷାନୁଷ୍ଠାନରୁ ମଧ୍ୟ କେତେକ ପ୍ରଫେସର୍‌ ଏହି ତାଲିକାରେ ରହିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଓୟୁଏଟି ଆଇନ ୧୯୬୫ର ସେକ୍ସନ-୯(୨)ଅନୁଯାୟୀ କୁଳପତି ଚୟନ କରାଯାଉଛି। ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ହୋଇ ସରିଥିବାରୁ ଏବେ ୧୬ଜଣ ପ୍ରଫେସରଙ୍କ ସାକ୍ଷାତକାର ନିଆଯିବ। ପୂର୍ବତନ ମୁଖ୍ୟ ଶାସନ ସଚିବ ଯୁଗଳ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ସର୍ଚ୍ଚ କମିଟି ପକ୍ଷରୁ ଏପ୍ରିଲ ୧୭ ତାରିଖରେ ପ୍ରଫେସର୍‌ମାନଙ୍କ ସାକ୍ଷାତକାର ନିଆଯିବ ବୋଲି ସୂଚନା ମିଳିଛି। କମିଟିର ଆବାହକଙ୍କ ସମେତ କମିଟିର ସଦସ୍ୟ ଓୟୁଏଟିର ପୂର୍ବତନ କୁଳପତି ଡ. କେ ପ୍ରଧାନ ଓ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ଆଇସିଏଆର)ର ଡିଡିଜି ଡି.କେ ଜେନା ପ୍ରମୁଖ ଉପସ୍ଥିତ ରହିବେ। ସା‌କ୍ଷାତକାର ପରେ ୩ କିମ୍ବା ୫ ଜଣିଆ ଚୂଡ଼ାନ୍ତ ତାଲିକା କୁଳାଧିପତି ତଥା ରାଜ୍ୟପାଳଙ୍କ ନିକଟକୁ ପଠାଯିବ।

ସମ୍ବନ୍ଧିତ ଖବର