ଓୟୁଏଟି କୁଳପତି ଦୌଡ଼ରେ ୭୧ ପ୍ରଫେସର୍

କେବଳ ଓୟୁଏଟିରୁ ୧୭ଜଣ ଆବେଦନକାରୀ, ୧୮ରେ ବସିପାରେ ସର୍ଚ୍ଚ କମିଟି ବୈଠକ

ଭୁବନେଶ୍ବର : ଓଡ଼ିଶା କୃଷି ଓ ‌ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)ର ନୂତନ କୁଳପତି ନିଯୁକ୍ତି ପାଇଁ ଗତ ୬ ତାରିଖରେ ଆବେଦନ ଶେଷ ହୋଇଛି। ‌ରାଜ୍ୟ ତଥା ଦେଶର ଏହି ପ୍ରମୁଖ ବିଶ୍ବବିଦ୍ୟାଳୟର କୁଳପତି ପଦବି ଲାଗି ୭୧ଜଣ ପ୍ରଫେସର ତଥା ଶିକ୍ଷାବିତ୍‌ ଆବେଦନ କରିଛନ୍ତି। ଏଥିରେ କେବଳ ଓୟୁଏଟିରୁ ୧୭ଜଣ ଆବେଦନକାରୀ ରହିଥିବା ବେଳେ ଦେଶର ଅନ୍ୟ କୃଷି ଗବେଷଣା ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ବିଶ୍ବବିଦ୍ୟାଳୟରୁ ୫୪ ଜଣ ଆବେଦନ କରିଥିବା ଜଣାପଡ଼ିଛି।

ଓୟୁଏଟି ଆଇନ ୧୯୬୫ର ସେକ୍ସନ-୯(୨)ଅନୁଯାୟୀ କୁଳପତି ଚୟନ କରାଯାଉଛି। ଆବେଦନ ପ୍ରକ୍ରିୟା‌ ସରିଥିବାରୁ ଏବେ ସର୍ଚ୍ଚ କମିଟି ବୈଠକ ଉପରେ ସମସ୍ତଙ୍କ ନଜର ରହିଛି। ପୂର୍ବତନ ମୁଖ୍ୟ ଶାସନ ସଚିବ ଯୁଗଳ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ସର୍ଚ୍ଚ କମିଟି ବୈଠକ ଆସନ୍ତା ୧୮ ତାରିଖରେ ବସିବ ବୋଲି ସୂଚନା ମିଳିଛି। କୃଷି ବିଭାଗ ସଚିବ କମିଟିର ଆବାହକ ରହିଥିବା ‌ବେଳେ ଓୟୁଏଟିର ପୂର୍ବତନ କୁଳପତି ଡ. କେ ପ୍ରଧାନ ଓ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ଆଇସିଏଆର)ର ଡିଡିଜି ଡି କେ ଜେନା କମିଟି‌ର ସଦସ୍ୟ ରହିଛନ୍ତି। ଏମାନଙ୍କ ଉପରେ କୁଳପତି ଚୟନର ପରବର୍ତୀ କାର୍ଯ୍ୟପନ୍ଥା ନିର୍ଭର କରୁଛି।

ମିଳିଥିବା ସୂଚନା ଅନୁଯାୟୀ, ଦେଶର ବିଭିନ୍ନ କୃଷି ବିଶ୍ବବିଦ୍ୟାଳୟ ଓ ଆଇସିଏଆର ଅଧୀନରେ ଥିବା ଗବେଷଣା ପ୍ରତିଷ୍ଠାନରୁ ପ୍ରଫେସରମାନେ ଆବେଦନ କରିଛନ୍ତି। ଭାରତୀୟ ଧାନ ଗବେଷଣା ପ୍ରତିଷ୍ଠାନ(ଆଇଆରଆରଆଇ)ରୁ ପ୍ରାୟ ୫ଜଣ ଆବେଦନକାରୀ ରହିଥିବା ବେଳେ ସିଫାରୁ ୩ ଜଣ, ଭୁବନେଶ୍ବର ଆଇଆଇଟି, କୋଲକାତାସ୍ଥିତ କୃଷି ବିଶ୍ବବିଦ୍ୟାଳୟ, ରାଞ୍ଚି, ରାୟପୁରରେ ଥିବା କୃଷି ଶିକ୍ଷାନୁଷ୍ଠାନରୁ ପ୍ରଫେସର୍‌ମାନେ ରହିଛନ୍ତି। ଆବେଦନ ପ୍ରକ୍ରିୟା ଶେଷ ହୋଇଥିବାରୁ ୧୮ତାରିଖରେ ବସିବାକୁ ଥିବା ସର୍ଚ୍ଚ କମିଟି ବୈଠକରେ ଆବେଦନ ପତ୍ରଗୁଡ଼ିକର ଯାଞ୍ଚ କରାଯିବ। ନିୟମ ଅନୁଯାୟୀ, ଯେଉଁ ପ୍ରଫେସର୍‌ଙ୍କ ଯୋଗ୍ୟତା ଥିବ, ସେମାନଙ୍କୁ ନେଇ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ ହେବ। ବିଜ୍ଞପ୍ତି ଅନୁଯାୟୀ, ଆବେଦନକାରୀ ପ୍ରଫେସର୍‌ଙ୍କର କୃଷି ଓ କୃଷି ସହ ଜଡ଼ିତ କ୍ଷେତ୍ରରେ ଦକ୍ଷତା ଅର୍ଜନ କରିଥିବେ। ଆବେଦନକାରୀଙ୍କ ସର୍ବୋଚ୍ଚ ବୟସ ସୀମା ୨୦୧୯ ଏପ୍ରିଲ ୧ ସୁଦ୍ଧା ୬୨ ବର୍ଷରୁ ଅଧିକ ବର୍ଷ ହୋଇ ନଥିବ। କୌଣସି ବିଶ୍ବବିଦ୍ୟାଳୟରେ ପ୍ରଫେସର ଭାବେ କାର୍ଯ୍ୟରତ ଥିବା ପ୍ରଫେସରଙ୍କ ଆବେଦନପତ୍ରକୁ ବିଚାରକୁ ନିଆଯିବ। ଆବେଦନପତ୍ର ଯାଞ୍ଚ କରାଯିବା ପରେ ସର୍ଚ୍ଚ କମିଟି ପକ୍ଷରୁ ଆବେଦନକାରୀଙ୍କ ସାକ୍ଷାତକାର ନିଆଯିବ। ଏହାପରେ ୩ କିମ୍ବା ୫ ଜଣିଆ ଚୂଡ଼ାନ୍ତ ତାଲିକା କୁଳାଧିପତି ତଥା ରାଜ୍ୟପାଳଙ୍କ ନିକଟକୁ ପଠାଯିବ।

ସମ୍ବନ୍ଧିତ ଖବର