ଅକ୍ଟୋବର ୧୦ରୁ ସତର୍କ କରାଇଥିଲା ଓୟୁଏଟି

ଧାନ ଜମିରେ ମାଟିଆଗୁଣ୍ଡି ପୋକ ମାଡ଼ିବା ପ୍ରସଙ୍ଗ

ଭୁବନେଶ୍ୱର: ଧାନ ଜମିରେ ମାଟିଆଗୁଣ୍ଡି ପୋକ ମାଡ଼ିବା ସଂପର୍କରେ ଅକ୍ଟୋବର ୧୦ରୁ ଚାଷୀ ଏବଂ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)। ଏନେଇ ବାରମ୍ବାର ଚିଠି ବି ଲେଖାଯାଇଥିଲା। ତଥାପି ଚାଷୀ ଓ ତଳସ୍ତରରେ ଥିବା କୃଷି ଅଧିକାରୀମାନେ ଏ ଦିଗରେ କୌଣସି ପଦକ୍ଷେପ ନେଇ ନ ଥିଲେ। ଯେଉଁଥିପାଇଁ ସ୍ଥିତି ଖରାପ ହୋଇଛି ବୋଲି ଓୟୁଏଟି ପକ୍ଷରୁ କୁହାଯାଇଛି।

ଅକ୍ଟୋବର ୧୦ରେ ରୋଗ ବ୍ୟାପିବା ନେଇ ଓୟୁଏଟି ପକ୍ଷରୁ ପ୍ରଥମ ସତର୍କ ସୂଚନା ଜାରି ହୋଇଥିଲା। ଏହି ସମୟରେ ଚାଷ ହେଉଥିବା ସମସ୍ତ ଶସ୍ୟ ଲାଗି ସୂଚନା ଦିଆଯାଇଥିଲା। ଖରିଫ ଧାନ ଲାଗି କୁହାଯାଇଥିଲା ଯେ ଧାନରେ କାଣ୍ଡ ବିନ୍ଧା ପୋକ, ପତ୍ରପୋଡା ପୋକ, ନଳୀ ପୋକ ଏବଂ ମହୀଷା ରୋଗ ଲାଗିବାର ସମ୍ଭାବନା ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି କୀଟନାଶକ ବ୍ୟବହାର କରନ୍ତୁ। ପ୍ରତି ଏକର ପିଛା ୨୦୦ ଗ୍ରାମ ଇଥୋଫେନ୍‌ପଅକ୍ସ ଏବଂ ୫୦୦ ଗ୍ରାମର ପୋସାଲୋନ୍‌ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିଲା। ହେଲେ ଏଥିପ୍ରତି କେହି ଦୃଷ୍ଟି ଦେଇ ନ ଥିଲେ। ଏହାପରେ ବି ପ୍ରତି ସପ୍ତାହରେ ଜିଲ୍ଲା ଉପ କୃଷି ଅଧିକାରୀ, କୃଷି ନିର୍ଦେଶାଳୟଗୁଡ଼ିକୁ ମଧ୍ୟ ଅବଗତ କରାଯାଇଥିଲା। ଚାଷୀଙ୍କ ଲାଗି ମଧ୍ୟ ସତର୍କ ମୂଳକ ସୂଚନା ଜାରି ହୋଇଥିଲା। ତଥାପି ଚାଷୀମାନେ ଉପଯୁକ୍ତ କୀଟନାଶକ ପ୍ରୟୋଗ କରି ନ ଥିଲେ। ଯେଉଁଥିପାଇଁ ଲକ୍ଷାଧିକ ହେକ୍ଟର ଚାଷ ଜମିରେ ପୋକ ମାଡ଼ିଯାଇଛନ୍ତି।

ଓୟୁଏଟି କୁଳପତି ତଥା କୃଷି ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ଚାଷୀମାନେ ଠିକ୍‌ ଭାବେ କୀଟନାଶକ ପ୍ରୟୋଗ କରିନାହାନ୍ତି। ରାଜ୍ୟ ସରକାର ତଥା ଓୟୁଏଟି ଗବେଷଣାଲବ୍ଧ ଔଷଧ ବ୍ୟବହାର କରିବା ବଦଳରେ ଚାଷୀମାନେ ଡିଲରଙ୍କଠାରୁ ଯେ କୌଣସି କମ୍ପାନିର ଔଷଧ ଆଣି ପ୍ରୟୋଗ କରିଛନ୍ତି। ତାହାର ପ୍ରଭାବ ପୋକଙ୍କ ଉପରେ ପଡ଼ି ନାହିଁ। ଔଷଧର ବ୍ୟବହାରରେ ମଧ୍ୟ ପରିଚାଳନା ଗତ ତ୍ରୁଟି ରହିଛି।

ସେ ଆହୁରି କହିଛନ୍ତି ଯେ ଇ-ପେଷ୍ଟ ବ୍ୟବସ୍ଥା ମଧ୍ୟ ସଠିକ୍‌ ଢ଼ଙ୍ଗରେ କାର୍ଯ୍ୟକାରୀ ହେଉନି। ଏହି କାର୍ଯ୍ୟକ୍ରମରେ କୃଷକ ସାଥୀମାନେ ଚାଷୀଙ୍କ ନିକଟକୁ ଯାଇ ସେଠାରୁ ତଥ୍ୟ ସଂଗ୍ରହ କରି ପୋଟାର୍ଲରେ ଦେବା କଥା। ଏହି ତଥ୍ୟକୁ ଓୟୁଏଟିର ବିଶେଷଜ୍ଞମାନେ ଅନୁଧ୍ୟାନ କରିବା ପରେ ପ୍ରତି ସପ୍ତାହରେ ଚାଷୀ ଏବଂ ରାଜ୍ୟ ସରକାରଙ୍କୁ ଫସଲର ସ୍ଥିତି ନେଇ ସୂଚନା ଦେଇଥାନ୍ତି। ଯାହାକି ଫଳପ୍ରଦ ହୋଇପାରି ନାହିଁ। ତଳସ୍ତରରୁ ଠିକ୍‌ ଭାବେ ତଥ୍ୟ ଆସୁ ନ ଥିବା ସେ କହିଛନ୍ତି। ଓୟୁଏଟିର କୃଷି ବିଶେଷଜ୍ଞମାନେ ବିଭିନ୍ନ ସ୍ଥାନକୁୁ ଯାଇ ଚାଷୀଙ୍କୁ ସଚେତନ କରିବା ସହ ପରାମର୍ଶ ଦେଉଛନ୍ତି। ଗତ ଦୁଇ ସପ୍ତାହ ହେଲା ୩୧ଟି କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ ଜମିକୁ ଯାଇ ତଥ୍ୟ ସଂଗ୍ରହ କରୁଛନ୍ତି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ସମ୍ବନ୍ଧିତ ଖବର