ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୩୮ ପଞ୍ଚାୟତ ପାଇଁ ୧୨୧୪ ପ୍ରକଳ୍ପ ମଞ୍ଜୁର

ଭୁବନେଶ୍ୱର: ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୪ଟି ବ୍ଲକ୍‌ର ୧୩୮ଟି ପଞ୍ଚାୟତ ପାଇଁ ୧୨୧୪ ପ୍ରକଳ୍ପ ମଞ୍ଜୁର କରିଛନ୍ତି। ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ୍‌, କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ୍‌, ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ୍‌ ଓ ଗଞ୍ଜାମ ଜିଲ୍ଲାର ସୋରଡ଼ା ବ୍ଲକ୍‌ର ଜନସାଧାରଣଙ୍କ ସହିତ ଆଲୋଚନା କରି ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକୁ ମଞ୍ଜୁର କରିଛନ୍ତି। ମୋଟ୍‌ ପ୍ରକଳ୍ପର ମୂଲ୍ୟ ରହିଛି ୩୦.୭୨ କୋଟି ଟଙ୍କା। ସୋହେଲା ବ୍ଲକ୍‌ର ୨୭ଟି ପଞ୍ଚାୟତ ପାଇଁ ୬.୫୦ କୋଟି ଟଙ୍କାରେ ୨୭୧ଟି ପ୍ରକଳ୍ପ, ନିଶ୍ଚିନ୍ତକୋଇଲି ବ୍ଲକ୍‌ର ୪୧ଟି ପଞ୍ଚାୟତ ପାଇଁ ୮.୭୫ କୋଟି ଟଙ୍କାରେ ୪୪୪ଟି ପ୍ରକଳ୍ପ, ଧର୍ମଶାଳା ବ୍ଲକ୍‌ର ୪୫ଟି ପଞ୍ଚାୟତ ପାଇଁ ୯.୨୨ କୋଟି ଟଙ୍କାରେ ୩୦୪ଟି ପ୍ରକଳ୍ପ ଓ ସୋରଡ଼ା ବ୍ଲକ୍‌ର ୨୫ଟି ପଞ୍ଚାୟତ ପାଇଁ ୬.୨୫ କୋଟି ଟଙ୍କାରେ ୧୯୫ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି। ଏହି କାର୍ଯ୍ୟକ୍ରମ ଅବସରରେ ଜନସାଧାରଣ ଓ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଏହି ପ୍ରକଳ୍ପଗୁଡ଼ିକୁ ମିଳିମିଶି ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର୍‌, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର