ପାଖାପାଖି ୪୦ ଲକ୍ଷ ହୋର୍ଡିଂ, ପୋଷ୍ଟର ହଟିଲା

ଭୁବନେଶ୍ବର : ରାଜ୍ୟରେ ସ୍ବଚ୍ଛ ଓ ଅବାଧ ନିର୍ବାଚନ ପରିଚାଳନା ପାଇଁ ବିଭିନ୍ନ ପ୍ରତିଷେଧକ ତଥା ଆଗୁଆ ପଦକ୍ଷେପମାନ ନିଆଯାଉଛି। ଏ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରରେ ପାଖାପାଖି ୪୦ ଲକ୍ଷ ହୋର୍ଡିଂ, ପୋଷ୍ଟର ଆଦି ହଟାଯାଇଛି।

ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ଆଜି ସୁଦ୍ଧା ରାଜ୍ୟରେ ୧୩,୯୬୫ଟି ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ କରାଯାଇଛି। ଆଇପିସି ଧାରା ୧୦୭/୧୧୬ ଅନୁଯାୟୀ ୬୨,୭୬୫ଜଣ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ବିଭିନ୍ନ ଜିଲ୍ଲା ପ୍ରଶାସନ ନିକଟରେ ଜମା ହୋଇଛି ପ୍ରାୟ ୫୩୭୦ଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ। ତେବେ ଲାଇସେନ୍ସ ନଥିବା ୨୪୬ଟି ଅସ୍ତ୍ରଶସ୍ତ୍ର ଓ ୧୪୫୭.୫୮୨ କିଲୋଗ୍ରାମ ବିସ୍ଫୋରକ ଦ୍ରବ୍ୟ ଜବତ ହୋଇଛି। ବର୍ତମାନ ସୁଦ୍ଧା ଅବକାରୀ ବିଭାଗ ଓ ପୁଲିସର ମିଳିତ ସହଯୋଗରେ ପ୍ରାୟ ୩.୭୮ କୋଟି ଟଙ୍କା ମୂଲ୍ୟର ମଦ ଜବତ ହୋଇଛି।

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ଆଜି ସୁଦ୍ଧା ସର୍ବସାଧାରଣ ସ୍ଥାନରେ ଲାଗିଥିବା ୩୬.୬୨ ଲକ୍ଷ ହୋର୍ଡିଂ ଓ ପୋଷ୍ଟର ଏବଂ ବ୍ୟକ୍ତିଗତ ମାଲିକାନାରେ ଥିବା ସ୍ଥାନମାନଙ୍କରୁ ୩.୮ ଲକ୍ଷ ହୋର୍ଡିଂ ଓ ପୋଷ୍ଟର ଆଦିକୁ ହଟାଯାଇଛି। ସେହିପରି ରାଜ୍ୟସ୍ତରୀୟ ନିୟନ୍ତ୍ରଣ କକ୍ଷ ଟେଲିଫୋନକୁ ଆଜି ସୁଦ୍ଧା ୧୦୭୨ଟି କଲ୍‌ ଏବଂ ଭୋଟର ହେଲ୍‌ପଲାଇନକୁ ୧୬,୨୮୭ଟି କଲ୍‌ ମାଧ୍ୟମରେ ଅଭିଯୋଗ ମିଳିଛି। ନିର୍ବାଚନ ସଂପର୍କିତ ସେହି ଅଭିଯୋଗଗୁଡ଼ିକୁ ଗ୍ରହଣ କରି ଆବଶ୍ୟକ ପଦକ୍ଷେପ ନିଆଯାଇଥିବା ସୂଚନା ଦେଇଛି ସିଇଓଙ୍କ କାର୍ଯ୍ୟାଳୟ।

ସମ୍ବନ୍ଧିତ ଖବର