ଅକ୍ସଫାମ୍ ରିପୋର୍ଟ : ଭାରତରେ ଲିଙ୍ଗଭେଦ ମଜୁରି ଅସମାନତା ଏସିଆରେ ସର୍ବାଧିକ

ଭୁବନେଶ୍ବର : ଦେଶରେ ଲିଙ୍ଗଭେଦ ଭିତ୍ତିରେ ମଜୁରି ଅସମାନତା ଦେଖାଦେଉଛି। ପୁରୁଷଙ୍କ ତୁଳନାରେ ସମାନ କାର୍ଯ୍ୟ ଓ ଯୋଗ୍ୟତାଭିତ୍ତିକ କାମ ପାଇଁ ମହିଳାଙ୍କୁ ୩୪ ପ୍ରତିଶତ କମ୍ ମଜୁରି ମିଳିଥାଏ। ଏହି ଅସମାନତା ଏସିଆରେ ସର୍ବାଧିକ। ଦେଶରେ ମହିଳା ଶ୍ରମିକଙ୍କ ଭାଗୀଦାରି ବିଶ୍ବରେ ସର୍ବନିମ୍ନ ମହିଳା ଶ୍ରମିକ ଭାଗୀଦାରି ରାଷ୍ଟ୍ରଙ୍କ ମଧ୍ୟରୁ ଅନ୍ୟତମ। ଦେଶରେ ମହିଳାଙ୍କ ସଂଖ୍ୟା ସମୁଦାୟ ଜନସଂଖ୍ୟାର ଅଧା ହୋଇଥିବା ବେଳେ ପ୍ରତି ୪ଜଣରେ ୩ଜଣ ମହିଳା କାମ କରନ୍ତି ନାହିଁ। ୨୦୧୫ ମସିହାର ଏକ ପରିସଂଖ୍ୟାନ ଅନୁସାରେ ୯୨ ପ୍ରତିଶତ ମହିଳା ଏବଂ ୮୨ ପ୍ରତିଶତ ପୁରୁଷ ମାସକୁ ୧୦ହଜାର ଟଙ୍କାରୁ କମ୍ ଆୟ କରୁଛନ୍ତି। କହିବାକୁ ଗଲେ ଦେଶରେ ଅର୍ଥନୈତିକ ବିକାଶର ସଫଳତାରେ ମହିଳାଙ୍କ ଶ୍ରମ ଭାଗୀଦାରି ଏକପ୍ରକାର ଅବହେଳିତ ବୋଲି ଅକ୍ସଫାମ୍ ଇଣ୍ଡିଆର ରିପୋର୍ଟରେ ପ୍ରକାଶ ପାଇଛି।

ଶ୍ରମକୁ ବାଦ୍ ଦେଲେ ଶିକ୍ଷା କ୍ଷେତ୍ରରେ ପୁଅ ଓ ଝିଅଙ୍କ ଭିତରେ ତାରତମ୍ୟ କମିଛି। ସବୁ ଝିଅ ପ୍ରାଥମିକ ସ୍କୁଲକୁ ଯାଉଥିବା ବେଳେ ପୁଅମାନଙ୍କ ଅପେକ୍ଷା ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶ୍ରେଣୀରେ ଭଲ ଫଳ ଦେଖାଇଥାନ୍ତି। ମାତ୍ର ଯୋଗ୍ୟତା ବା ଦକ୍ଷତା ଅନୁସାରେ ଚାକିରି ମିଳି ନ ଥାଏ। ମହିଳାଙ୍କ କ୍ଷେତ୍ରରେ ଏପରି ଅଣ ନିଯୁକ୍ତି ହାର ବଢ଼ିବା ପଛରେ ଅନେକ ଢାଞ୍ଚାଗତ ତଥା ଅର୍ଥନୈତିକ କାରଣ ରହିଛି। ଅପରପକ୍ଷରେ ବିଭିନ୍ନ ସମୟରେ କର୍ମ କ୍ଷେତ୍ରରେ ନିଯୁକ୍ତ ମହିଳାମାନେ କାମ ଛାଡ଼ିବାକୁ ବାଧ୍ୟ ହୋଇଥାନ୍ତି। ଘରକରଣା କାମରେ ଅଧିକ ଶ୍ରମ ଓ ସମୟ ବିନିଯୋଗ ତଥା ପରିବାରର ଦାୟିତ୍ବକୁ ମହିଳାଙ୍କ ପ୍ରମୁଖ କାମ ବୋଲି ବିଚାର କରାଯାଏ। ମହିଳାଙ୍କ ଘର ବାହାରକୁ ବାହାରିବା ଉପରେ ସାମାଜିକ ପ୍ରତିବନ୍ଧକ ରହିଥାଏ। ୨୦୧୨ ଆଇଏଚ୍‌ଡିଏସ୍‌ ତଥ୍ୟ ଅନୁସାରେ ଦେଶରେ କେବଳ ୫ ପ୍ରତିଶତ ମହିଳା ସେମାନଙ୍କ ବିବାହ ଉପରେ ନିଷ୍ପତ୍ତି ନେଇପାରି ଥାନ୍ତି। କମ୍ ବୟସରେ ବିବାହ ଓ ଛୁଆଙ୍କୁ ଜନ୍ମ ଦେବା ଯୋଗୁଁ ସେମାନେ କର୍ମକ୍ଷେତ୍ରରେ ମୂଳ ବାହାକ ଭାବେ ନିଯୁକ୍ତ ହୋଇପାରନ୍ତି ନାହିଁ।

ସେହିପରି ଗ୍ରାମାଞ୍ଚଳରେ କୃଷି ଆଜି ମୁଖ୍ୟ ଜୀବିକା ହୋଇ ରହିନାହିଁ। ବିଭିନ୍ନ ପରିସଂଖ୍ୟାନ ଅନୁସାରେ, କୃଷି କ୍ଷେତ୍ରରେ ନିଯୁକ୍ତି ଦିନକୁ ଦିନ କମିବାରେ ଲାଗିଛି। ୧୯୯୩/୯୪ ମସିହାରେ‌ ଏହି ହାରରେ ୭୩.୭ ପ୍ରତିଶତ ଥିଲା ବେଳେ ୨୦୧୧/୧୨ ମସିହା ବେଳକୁ ତାହା କମି ୫୯.୪ ପ୍ରତିଶତରେ ପହଞ୍ଚିଛି। କୃଷିଭିତ୍ତିକ ଶ୍ରମ ଲିଙ୍ଗଭେଦ ନିଯୁକ୍ତିର ଏକ ଉଦାହାରଣ ହୋଇ ରହିଆସିଛି। ବିଶ୍ଳେଷଣ ଅନୁସାରେ ୭୫ ପ୍ରତିଶତ ମହିଳା କୃଷି କ୍ଷେତ୍ରରେ ନିର୍ଭରଶୀଳ। କୃଷି କ୍ଷେତ୍ରରେ ମହିଳାଙ୍କ ଯଥେଷ୍ଟ ଅବଦାନ ରହିଥିଲେ ହେଁ ଜମିଜମାଗତ ଅଧିକାର ଅତ୍ୟନ୍ତ ନଗଣ୍ୟ। ପୁରୁଷଙ୍କ ଦ୍ବାରା ମହିଳା ନିୟନ୍ତ୍ରିତ। ପିତୃକୈନ୍ଦ୍ରିକ ଚିନ୍ତାଧାରା ଓ ସ୍ଥାନୀୟ ସାମାଜିକ-ସାଂସ୍କୃତିକ ପରମ୍ପରା କୃଷି କ୍ଷେତ୍ରରେ ମହିଳାଙ୍କ ଭୂମିକାକୁ ସୀମିତ କରି ରଖିଥିବା ରିପୋର୍ଟରେ ଦର୍ଶାଯାଇଛି। ସାମାଜିକ ସୁରକ୍ଷା କ୍ଷେତ୍ରରେ ଏସ୍‌ସି/ଏସ୍‌ଟି, ମୁସଲମାନ, ଓବିସି ଓ ମହିଳା ବର୍ଗ ସମ୍ମୁଖୀନ ହେଉଥିବା ଅସମାନତାକୁ ଦୂର କରିବା ଦିଗରେ ସରକାର ବିଫଳ ହୋଇଛି।

ଜାତୀୟସ୍ତରର ଏହି ରିପୋର୍ଟ ଆଜି ଓଡ଼ିଶା ପ୍ରେସ୍‌ କ୍ଲବଠାରେ ଉନ୍ମୋଚନ ହୋଇଥିଲା। ଏହି ଉନ୍ମୋଚନ ସଭାରେ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀ ଓ ବରିଷ୍ଠ ସାମ୍ବାଦିକ ପ୍ରିୟ ରଞ୍ଜନ ସାହୁ ଯୋଗଦେଇ ସରକାର ଦେଶରେ ଅସମାନତା ଦୂର କରିବା ପାଇଁ ନିଯୁକ୍ତି କ୍ଷେତ୍ରରେ ଯଥେଷ୍ଟ ପଦକ୍ଷେପ ନେବା ପାଇଁ ମତ ପ୍ରକାଶ କରିଥିଲେ। ଅକ୍ସଫାମ୍ ଇଣ୍ଡିଆର କାର୍ଯ୍ୟକ୍ରମ ସଂଯୋଜକ ପ୍ରଭାସ ରଞ୍ଜନ ମିଶ୍ର ଏହି ରିପୋର୍ଟକୁ ଉପସ୍ଥାପନା କରିଥିବା ବେଳେ କ୍ଷେତ୍ରୀୟ ପ୍ରବନ୍ଧକ ଅକ୍ଷୟ କୁମାର ବିଶ୍ଵାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର