ଏସ୍‌ସିବିରେ ଅକ୍ସିଜେନ୍‌ ଫ୍ଲୋ ମିଟର ଫାଟିଗଲା

କଟକ : ଏସ୍‌ସିବି ମେଡିକାଲ୍‌ ପୁରୁଣା ମେଡିସିନ୍‌ର ତୃତୀୟ ମହଲା ମହିଳା ଓ୍ଵାର୍ଡରେ ଆଜି ଏକ ଅକ୍ସିଜେନ୍‌ ସିଲିଣ୍ଡରର ଫ୍ଲୋ ମିଟର ଫାଟିଯିବାରୁ ରୋଗୀ ସମ୍ପର୍କୀୟ ଆତଙ୍କିତ ହୋଇପଡ଼ିଥିଲେ। ଜଣେ ରୋଗୀ ଦେହରେ ଲାଗିବାକୁ ଆସିଥିବା ସିଲିଣ୍ଡରର ଫ୍ଲୋ ମିଟର ଫାଟିବା ପରେ ଅକ୍ସିଜେନ୍‌ ପ୍ରବଳ ମାତ୍ରାରେ ସିଲିଣ୍ଡରରୁ ନିର୍ଗତ ହୋଇଥିଲା। କିନ୍ତୁ ସିଲିଣ୍ଡର ଫାଟିଯାଇଥିବା ଗୁଜବ ଚାରିଆଡେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।

କେତେକ ନିଅାଁ ଲାଗିଯାଇଥିବା ପ୍ରଚାର କରିଦେଇଥିଲେ। ଫଳରେ ରୋଗୀ ଓ ସମ୍ପର୍କୀୟମାନେ ଭୟଭୀତ ହୋଇ ତଳକୁ ଦୌଡ଼ିଥିଲେ। କିଛି ସମୟ ପରେ ଆଟେଣ୍ଡାଣ୍ଟମାନେ ଫ୍ଲୋ ମିଟର ସଂଯୋଗ ପଏଣ୍ଟକୁ ବନ୍ଦ କରିଦିଆଯିବାରୁ ଅକ୍ସିଜେନ ପ୍ରବାହ ବନ୍ଦ ହୋଇଯାଇଥିଲା। ପରେ ଅଗ୍ନିଶମ ଅଧିକାରୀମାନେ ମଧ୍ୟ ସେଠାରେ ପହଞ୍ଚି ସ୍ଥିତି ଯାଞ୍ଚ କରି ଫେରିଯାଇଥିଲେ। ରୋଗୀମାନଙ୍କୁ ବୁଝାସୁଝା କରିବା ପରେ ସେମାନଙ୍କୁ ଉପରକୁ ଅଣାଯାଇଥିଲା। ତେଣୁ ଏହାକୁ ଏକ ଛୋଟ ଦୁର୍ଘଟଣା ବୋଲି ଅଧୀକ୍ଷକ ପ୍ରଫେସର ଡାକ୍ତର ଶ୍ୟାମା କାନୁନ୍‌ଗୋ କହିଛନ୍ତି।

ସମ୍ବନ୍ଧିତ ଖବର