ପାଚିକା ଓ ସହାୟିକା ସଂଘର ବିକ୍ଷୋଭ

ଭୁବନେଶ୍ୱର : ପାଚିକା ଓ ସହାୟିକାଙ୍କ ମାସିକ ଦରମା ୧୫ ହଜାର ସହ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ, ସମସ୍ତ ଛଟେଇ ହୋଇଥିବା ପାଚିକା ଓ ସହାୟିକାଙ୍କୁ ପୁନଃ ନିଯୁକ୍ତି, ବର୍ଷକୁ ଚାରିଟି ଶାଢ଼ି, ମାସକୁ ଚାରିଟି ଛୁଟି, ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ବୀମା ସୁବିଧା ଆଦି ଦାବି ନେଇ ଲୋୟର ପିଏମ୍‌ଜିରେ ଆଜି ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ପାଚିକା ଓ ସହାୟିକାମାନେ ମାଷ୍ଟରକ୍ୟାଣ୍ଟିନ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭ ପରେ ନବୀନ ନିବାସ ଘେରାଉ ପାଇଁ ଯାଉଥିବା ବେଳେ ପୁଲିସ ସଂଘର କର୍ମକର୍ତାଙ୍କୁ ବାଧା ଦେଇଥିଲେ। ପରେ ଆବାହକ ଅକ୍ଷୟ କୁମାର ଦାଶଙ୍କ ନେତୃତ୍ୱରେ ମଧୁସ୍ମିତା ରଣା, ସରୋଜିନୀ ସାହୁ, ସଂଯୁକ୍ତା ପୁହାଣ ପ୍ରମୁଖ ଯାଇ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତାଙ୍କ ବ୍ୟକ୍ତିଗତ ସଚିିବଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ଶ୍ରୀ ଦାଶ କହିଛନ୍ତି, ରାଜ୍ୟରେ ପାଚିକା ଓ ସହାୟିକାମାନେ ବହୁ କଷ୍ଟରେ ଜୀବନ ବିତାଉଛନ୍ତି। ସରକାର ସମସ୍ତଙ୍କ ପ୍ରତି ଦୃଷ୍ଟି ଦେଉଥିବା ବେଳେ ଏମାନଙ୍କ ପ୍ରତି ଅବହେଳା କରିବା ପରିତାପର ବିଷୟ। ଦାବିପତ୍ର ଗ୍ରହଣର ପନ୍ଦର ଦିନ ମଧ୍ୟରେ ସରକାର ଯଦି ଆବଶ୍ୟକ ପଦକ୍ଷେପ ଗ୍ରହଣ ନକରନ୍ତି, ତେବେ ନବୀନ ନିବାସ ସମ୍ମୁଖରେ ସମୂହ ଆତ୍ମାହୁତି ଦେବୁ।   ସଂଘର ଅନ୍ୟାନ୍ୟ ପ୍ରମୁଖ ଦାବି ମଧ୍ୟରେ ଇପିଏଫ୍‌ ଲାଗୁ, ଅଷ୍ଟମ ଶ୍ରେଣୀ ପରଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟରେ ପାଚିକା ସହାୟିକାଙ୍କୁ ନିଯୁକ୍ତି,  ପାଚିକା ସହାୟକ ସଂଘ କାର୍ଯ୍ୟାଳୟ ପାଇଁ ଜମି ପ୍ରଦାନ, ପାଚିକା ସହାୟିକାଙ୍କୁ ପିଲାଙ୍କୁ ମାଗଣାରେ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ପ୍ରଦାନ ଆଦି ରହିଛି।

ସମ୍ବନ୍ଧିତ ଖବର