ଭୁବନେଶ୍ବର: ମହିଳା ସଶକ୍ତୀକରଣ ପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଇଆସୁଛନ୍ତି। ମହିଳାଙ୍କୁ ଆର୍ଥିକ ସ୍ତରରେ ସ୍ବାବଲମ୍ବୀ କରିବାକୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ହେଲେ କେନ୍ଦ୍ର ସରକାରଙ୍କ ଜାତୀୟ ଜୀବିକା ମିସନ ଯୋଜନା ଅନ୍ତର୍ଗତ ଖର୍ଚ୍ଚ ତାଲିକା ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗର ସ୍ଥାଣୁତାକୁ ପଦାରେ ପକାଇଛି। ଗତ ଆର୍ଥିକ ବର୍ଷରୁ ଚଳିତବର୍ଷ ଜାନୁଆରି ଶେଷସୁଦ୍ଧା ମିଳିଥିବା ଅର୍ଥରୁ ୪୧% ଅର୍ଥ ଖର୍ଚ୍ଚ ହୋଇପାରିନି। ଅର୍ଥ ଖର୍ଚ୍ଚ କରିବାରେ ନୟାଗଡ଼ ସବୁଠୁ ପଛରେ ରହିଛି। ସେହିପରି ୨୦୧୮-୧୯ ବର୍ଷରେ ବୌଦ୍ଧ, କଟକ ଓ ନୟାଗଡ଼ ଜିଲ୍ଲାରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଜି.ପି.ଏଲ.ଏଫଗୁଡ଼ିକୁ ଗୋଷ୍ଠୀ ଉନ୍ନୟନ ବାବଦରେ ପ୍ରଦାନ କରାଯାଇଥିବା ଅର୍ଥରେ ବାସ୍ତବ କ୍ଷେତ୍ରରେ କିଛି ବି ଲାଭ ମିଳିନି।
ଖୋଦ୍ ପଞ୍ଚାୟତି ରାଜ ବିଭାଗ ତଥ୍ୟ କହୁଛି, ୨୦୧୮-୧୯ ଆର୍ଥିକ ବର୍ଷର ଏପ୍ରିଲ ପହିଲାରୁ ଚଳିତବର୍ଷ ଜାନୁଆରି ଶେଷ ସୁଦ୍ଧା ୩୦ଟି ଜିଲ୍ଲା ପାଇଁ ଏନ.ଆର.ଏଲ.ଏମ ଯୋଜନାରେ ମୋଟ ୪୧୭ କୋଟି ୮୪ ଲକ୍ଷ ୪୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ସେଥିରୁ ୨୭୩ କୋଟି ୮୮ ଲକ୍ଷ ୭ ହଜାର ଟଙ୍କା ଖର୍ଚ୍ଚ ହୋଇପାରିଛି। ଗ୍ରାମାଞ୍ଚଳରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଆର୍ଥିକ ବିକାଶ ପାଇଁ ଏନ.ଆର.ଏଲ.ଏମ ଯୋଜନାରେ ସେମାନଙ୍କ ଦକ୍ଷତା ବୃଦ୍ଧି, ଉତ୍ପାଦର ବଜାର ସୁବିଧା ସୃଷ୍ଟି ପାଇଁ ଅର୍ଥ ପ୍ରଦାନ କରାଯାଇଥାଏ। ଏଥିରେ କେନ୍ଦ୍ର ସରକାର ୬୦% ଅର୍ଥ ପ୍ରଦାନ କଲେ ରାଜ୍ୟ ସରକାର ବାକି ୪୦% ଅର୍ଥ ପ୍ରଦାନ କରିବା ପାଇଁ ବ୍ୟବସ୍ଥା ରହିଛି। ୧୦ଟି ଲେଖାଏଁ ସ୍ବୟଂ ସହାୟକ ଗୋଷ୍ଠୀକୁ ନେଇ ବ୍ଲକ୍ ସ୍ତରରେ ପଞ୍ଜୀକୃତ ପ୍ରତି ଜିପିଏଲଫଗୁଡ଼ିକୁ ଏନ.ଆର.ଏଲ.ଏମ ଅର୍ଥ ପ୍ରଦାନ କରିବା ବ୍ୟବସ୍ଥା ରହିଛି। ପଞ୍ଜୀକୃତ ହେବାର ୬ ମାସ ପରେ ଷ୍ଟାର୍ଟ ଅପ୍, ରିଭଲଭିଂ ଓ ଆଇବି ପାଣ୍ଠି ଯୋଗାଇଦେବା ପାଇଁ ନିୟମ ପ୍ରଣୟନ କରାଯାଇଛି। ତଥ୍ୟ କହୁଛି, ଏନ.ଆର.ଏଲ.ଏମ ପାଣ୍ଠି ବାବଦରେ ଗତବର୍ଷ ଯାଜପୁର ଜିଲ୍ଲା ପାଇଁ ପ୍ରଦାନ କରାଯାଇଥିବା ୧୪ କୋଟି ୬୪ ଲକ୍ଷ ଟଙ୍କାରୁ ୧୩ କୋଟି ୪୪ ଲକ୍ଷ ଟଙ୍କା ଖର୍ଚ୍ଚ କରି ଆଗରେ ରହିଛି। ସେହିପରି ମିଳିଥିବା ପାଣ୍ଠିରୁ ୮୯.୧୪% ଖର୍ଚ୍ଚ କରି ଭଦ୍ରକ ଜିଲ୍ଲା ଦ୍ବିତୀୟ ସ୍ଥାନରେ ରହିଛି। ୨୦୧୮-୧୯ରେ ଭଦ୍ରକକୁ ଏନ.ଆର.ଏଲ.ଏମ ପାଣ୍ଠି ବାବଦରେ ମିଳିଥିବା ୧୨ କୋଟି ୬୯ ଲକ୍ଷ ୯୪ ହଜାର ଟଙ୍କାରୁ ୨୦୧୯ ଜାନୁଆରି ସୁଦ୍ଧା ୧୧ କୋଟି ୩୨ ଲକ୍ଷ ୨ ହଜାର ଟଙ୍କା ଖର୍ଚ୍ଚ ହୋଇପାରିଛି। ଅର୍ଥ ଖର୍ଚ୍ଚ କରିବାରେ ସବୁଠୁ ତଳେ ରହିଛି ନୟାଗଡ଼ ଜିଲ୍ଲା। ଗତ ଆର୍ଥିକ ବର୍ଷରେ ଜିଲ୍ଲାକୁ ମିଳିଥିବା ୯ କୋଟି ୮୨ ଲକ୍ଷ ୫୫ ହଜାର ଟଙ୍କାରୁ ୨ କୋଟି ୭୮ ଲକ୍ଷ ୧୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି।
ଗ୍ରାମାଞ୍ଚଳରେ ଗରିବ ଲୋକଙ୍କୁ ରୋଜଗାରକ୍ଷମ କରିବା ସହିତ ଆର୍ଥିକ ବିକାଶ କରିବା ଲକ୍ଷ୍ୟରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦ୍ବାରା ପ୍ରଚଳିତ ସ୍ବର୍ଣ୍ଣ ଜୟନ୍ତୀ ଗ୍ରାମ ସ୍ବରୋଜଗାର ଯୋଜନା ବଦଳରେ ୨୦୧୩ ମସିହାରୁ ଜାତୀୟ ଜୀବିକା ମିସନ କାର୍ଯ୍ୟକାରୀ ହୋଇଆସୁଥିଲା। ପୂର୍ବ ୟୁପିଏ ସରକାର ଅମଳରେ ଏହି ଯୋଜନା ବାବଦରେ ୭୫:୨୫ ଅନୁପାତରେ କେନ୍ଦ୍ରୀୟ ଅନୁଦାନ ମିଳୁଥିଲା। ଏନଡିଏ ସରକାର ଆସିବା ପରଠୁ ଏହି ଅନୁପାତକୁ କମାଇ ୬୦:୪୦ କରିଛନ୍ତି। ୨୦୧୫ରେ ଏନଡିଏ ସରକାର ଏନ.ଆର.ଏଲ.ଏମ ଯୋଜନାର ନାମ ପରିବର୍ତ୍ତନ କରି ଦୀନ ଦୟାଲ ଅନ୍ତୋଦୟ ଯୋଜନା-ଜାତୀୟ ଜୀବିକା ମିସନ ଭାବେ କାର୍ଯ୍ୟକାରୀ କରିଛନ୍ତି। ଉଲ୍ଲେଖଯୋଗ୍ୟ, ପ୍ରକଳ୍ପ କାର୍ଯ୍ୟାନ୍ବୟନରେ ବୌଦ୍ଧ, କଟକ ଓ ନୟାଗଡ ପଛରେ ଥିବା ରିପୋର୍ଟ କହୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/Odisha-Secretariat-1.jpg)
