ଲିଙ୍ଗରାଜ ମନ୍ଦିରର ପାରିପାର୍ଶ୍ବିକ ବିକାଶ ପାଇଁ ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ : ସୌନ୍ଦର୍ଯ୍ୟକରଣ ପାଇଁ ୯ଟି ଯୋଜନା, ଜୀବିକା ହରାଉଥିବା ଲୋକଙ୍କୁ ଥଇଥାନ କରାଯିବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଲିଙ୍ଗରାଜ ମନ୍ଦିର ପାଇଁ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଘୋଷିତ ପ୍ୟାକେଜ୍‌ ଅନୁସାରେ ରାଜ୍ୟ ସରକାର ୬୬ ଏକର ପରିବ୍ୟାପ୍ତ  ଏକାମ୍ରକ୍ଷେତ୍ର ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏହି ଯୋଜନାରେ ଲିଙ୍ଗରାଜ ମନ୍ଦିରର ସୁଦୃଶ୍ୟ ପ୍ରବେଶ ପଥ ନିର୍ମାଣ , ବିନ୍ଦୁସାଗର ସହିତ ବିଭିନ୍ନ ଐତିହ୍ୟ ପୁଷ୍କରିଣୀର ପୁନଃରୁଦ୍ଧାର, ଅତ୍ୟାଧୁନିକ ପାର୍କିଂ, ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ, କେଦାରଗୌରୀ ଓ ମୁକ୍ତେଶ୍ୱର ପରିସରର ବିକାଶ ଓ ବିଭିନ୍ନ ସୁବିଧା ନିର୍ମିତ ହେବ। ଏହି ଯୋଜନାରେ ସମୁଦାୟ ୯ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ।

ଏହି ଯୋଜନାରେ ଶ୍ରୀ ଲିଙ୍ଗରାଜ ଥାନା ଓ ଶ୍ରୀ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଫିସ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ଟ୍ରାଫିକ ହ୍ରାସ ଓ ଯାତାୟତ ସୁବିଧା ପାଇଁ ତାଳେଶ୍ୱର ଛକ ଠାରୁ ବଢ଼େଇବାଙ୍କ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯିବ। ଚାରିଗୋଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯିବ। ଶ୍ରୀ ଲିଙ୍ଗରାଜ ମନ୍ଦିର ସମ୍ମୁଖ ଭାଗରେ ଉଦ୍ୟାନ ନିର୍ମାଣ ସହିତ ଏହାର ସୌନ୍ଦର୍ଯ୍ୟକରଣ କରାଯିବ ଏବଂ ମନ୍ଦିର ଚାରି ପାଖରେ ପରିକ୍ରମା ପଥ ନିର୍ମାଣ କରାଯିବ। ମନ୍ଦିର ସମ୍ମୁଖ ରାସ୍ତାରେ ଯାନବାହାନ ଚଳାଚଳ ସଂପୂର୍ଣ୍ଣ ନିଷିଦ୍ଧ କରାଯିବ। ଶ୍ରୀ ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ ଅଧିନରେ ଭକ୍ତମାନେ ଯେପରି ସୁବିଧାରେ ଦର୍ଶନ କରିପାରିବେ, ସେଥିପାଇଁ ବ୍ୟବସ୍ଥା କରାଯିବ। ପର୍ଯ୍ୟଟକମାନଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗର ବିକାଶ କରାଯିବ।

ବିନ୍ଦୁସାଗର ଜଳକୁ ପରିଷ୍କାର କରିବା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ଗ୍ରହଣ କରାଯିବ ଏବଂ ତା’ସହିତ କେଦାରଗୌରୀ, ପାନନାଶିନୀ, ଗୋଦାବରୀ, କୋଟିତୀର୍ଥ, ଗଙ୍ଗାଯମୁନା ଏବଂ ଦେବୀପାଦହରା ଐତିହ୍ୟ ପୁଷ୍କରିଣୀର ପୁନଃରୁଦ୍ଧାର ଓ ସଂରକ୍ଷଣ କରାଯିବ। ଶ୍ରୀ ଲିଙ୍ଗରାଜ ମନ୍ଦିରର ନିରାପତ୍ତାକୁ ଆହୁରି ଦୁଦୃଢ଼ କରାଯିବ।

Photo: Odisha Tourism

ଏହି ଯୋଜନା ଦ୍ୱାରା ଜୀବିକା ହରାଉଥିବା ଉଠାଦୋକାନୀମାନଙ୍କୁ ଦୁଇଟି କିସ୍ତିରେ ୩୦ ହଜାର ଟଙ୍କା ଏକକାଳୀନ ସହାୟତା ଦିଆଯିବ ଏବଂ ଭେଣ୍ଡିଂ ଜୋନ୍‌ କରାଯାଇ ସେମାନଙ୍କୁ ଥଇଥାନ କରାଯିବ। ପକ୍‌କା ଘରେ ଥିବା ଦୋକାନ ଘର ଉଚ୍ଛେଦ ନିମନ୍ତେ ବ୍ୟବସାୟୀଙ୍କୁ ୧୨ ମାସ ନିମନ୍ତେ ମାସିକ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ ଏବଂ ପରବର୍ତ୍ତୀ ସମୟରେ ବିଏମ୍‌ସି ପର୍ଯ୍ୟଟନ ବିଭାଗ ଦ୍ୱାରା ନିର୍ମିତ ମାର୍କେଟରେ ଅଥବା ନୂତନ ମାର୍କେଟ କମ୍ଲେକ୍‌ସ ନିର୍ମାଣ କରାଯାଇ ସେମାନଙ୍କୁ ଥଇଥାନ କରାଯିବ। ସ୍ଥିତିବାନ ଆବାସିକ ଗୃହ/ବ୍ୟବସାୟିକ ଗୃହ ଉଚ୍ଛେଦ କ୍ଷେତ୍ରରେ କ୍ଷତିଗ୍ରସ୍ତଙ୍କ ସହିତ ଆଲୋଚନା କରାଯାଇ ନିୟମ ଅନୁସାରେ କ୍ଷତିପୂରଣ ଦିଆଯିବ।

ସମ୍ବନ୍ଧିତ ଖବର