ଓଡ଼ିଶାକୁ ପୁଣି ବିପର୍ଯ୍ୟୟ ମାଡ଼ : ୨୦୧୭-୧୮ରେ ଧାନ ଉତ୍ପାଦନ ୩୩% ଖସିଲା

ଧାନ ସଂଗ୍ରହ ଲକ୍ଷ୍ୟ ହାସଲ ବି ଫେଲ୍‌, ଅଦିନିଆ ବର୍ଷା, ମରୁଡ଼ି, ପୋକ ଆକ୍ରମଣ ଥିଲା କାରଣ, ଚଳିତବର୍ଷ ଅଧିକ ୨ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ

ଭୁବନେଶ୍ୱର : ପ୍ରାକୃତିକ ବିପର୍ଯ୍ୟୟ ମାଡ଼ ପୁଣି ଥରେ ଓଡ଼ିଶାର ଚାଷୀ ଓ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇଛି। ଅଦିନିଆ ବର୍ଷା, ମରୁଡି ଓ ପୋକ ଆକ୍ରମଣ କାରଣରୁ ଗତବର୍ଷ ଅର୍ଥାତ୍‌ ୨୦୧୭-୧୮ରେ ରାଜ୍ୟରେ ଧାନ ଚାଷ ଏଭଳି ବିପର୍ଯ୍ୟସ୍ତ ହୋଇଥିଲା ଯେ ଉତ୍ପାଦନ ଏକ ତୃତୀୟାଂଶ କମିଯାଇଛି।

ଧାନ ସଂଗ୍ରହ ବି ଅନୁରୂପ ଭାବେ ପ୍ରଭାବିତ ହୋଇଛି। ସରକାର ୨୦୧୭-୧୮ ବର୍ଷ ଲାଗି ଧାର୍ଯ୍ୟ କରିଥିବା ଲକ୍ଷ୍ୟ ହାସଲ ହୋଇପାରିନାହିଁ। ତା ସତ୍ତ୍ୱେ, ସରକାର ପୁଣି ଥରେ ଧାନ ସଂଗ୍ରହ ଲକ୍ଷ୍ୟ ବୃଦ୍ଧି କରିଛନ୍ତି।

ଆଜି ରାଜ୍ୟ ସରକାର ସ୍ୱୀକାର କରିଛନ୍ତି ଯେ ୨୦୧୭-୧୮ବର୍ଷରେ ୫୪ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ଲାଗି ଲକ୍ଷ୍ୟ ରଖାଯାଇଥିଲା। ହେଲେ ଉଭୟ ଖରିଫ୍‌ ଓ ରବି ଋତୁରେ ମୋଟ ୪୯.୦୬ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ହୋଇଛି। ଅର୍ଥାତ୍‌ ଏହି ବର୍ଷ ସରକାର ୩୩.୨୧ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ ସଂଗ୍ରହ କରିଛନ୍ତି।

ଆଜି ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି, ଯେହେତୁ ଗତବର୍ଷ ମରୁଡି, ଅଦିନିଆ ବର୍ଷା ଓ ପୋକ ଆକ୍ରମଣ ଭଳି ତିନିଟି ଘଟଣା ଘଟିଲା, ଏଣୁ ଫସଲ ଉତ୍ପାଦନ କମିଛି ଓ ସଂଗ୍ରହ ବି।

୨୦୧୭-୧୮ ବର୍ଷରେ ଓଡ଼ିଶାରେ ଶସ୍ୟ ଉତ୍ପାଦନରେ ୧୭% ଅଭିବୃଦ୍ଧି ହେବ ବୋଲି କୃଷି ବିଜ୍ଞାନୀମାନେ ଆକଳନ କରିଥିଲେ। ହେଲେ ସେମାନଙ୍କ ହିସାବ ଭୁଲ ସାବ୍ୟସ୍ତ ହୋଇଛି। ପ୍ରାକୃତିକ ବିପର୍ଯ୍ୟୟ ସବୁ ଆକଳନକୁ ବିଗାଡି ଦେଇଥିବା ଏବେ ଜଣାପଡିଛି।

ସ୍ୱତନ୍ତ୍ର ରିଲିଫ୍‌ କମିସନରଙ୍କ କାର୍ଯ୍ୟାଳୟର ତଥ୍ୟ ଅନୁସାରେ, ୨୦୧୭-୧୮ରେ ରାଜ୍ୟ ଘୋର ବିପର୍ଯ୍ୟୟ ସାମ୍ନା କରିଥିଲା। ପ୍ରଥମେ ମରୁଡି, ପରେ ଲେଡା ପୋକ ଓ ଶେଷରେ ଅଦିନିଆ ବର୍ଷା ଚାଷୀର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଥିଲା। କେବଳ ମାଲକାନଗିରି ଜିଲ୍ଲାକୁ ଛାଡିଦେଲେ, ଗତବର୍ଷ ଏମିତି କୌଣସି ଜିଲ୍ଲା ନଥିଲା, ଯିଏ ବି ପ୍ରାକୃତିକ ବିପର୍ଯ୍ୟୟ ସାମ୍ନା କରିନଥିଲା। ମରୁଡି କାରଣରୁ ୧୫ଟି ଜିଲ୍ଲାର ଫସଲ ଢେର୍‌ ପ୍ରଭାବିତ ହୋଇଥିଲା। ଦୁଇଟି ପର୍ଯ୍ୟାୟରେ ଆସିଥିବା ଅଦିନିଆ ବର୍ଷା କାରଣରୁ ୧୯ଟି ଜିଲ୍ଲାରେ ଚାଷ ନଷ୍ଟ କରିଥିଲା। ବଡ଼ ବିପର୍ଯ୍ୟୟ ଆଣିଥିଲା ପୋକ। ପାଖାପାଖି ୨୪ଟି ଜିଲ୍ଲାର ଚାଷକୁ ଗିଳିଦେବା ଲାଗି ଏମାନେ ଉଦ୍ୟମ କରିଥିଲେ। ଏଣୁ ଫସଲ ଉତ୍ପାଦନ ଗଭୀର ଭାବେ ପ୍ରଭାବିତ ହୋଇଥିଲା।

କୃଷି ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଗତବର୍ଷ ୯୮.୯୧ଲକ୍ଷ ମେଟ୍ରିକ୍‌ ଧାନ ଉତ୍ପାଦନ ହୋଇଛି। ପୂର୍ବବର୍ଷ ତୁଳନାରେ ଏହା ପାଖାପାଖି ୩୩.୩୪% କମ୍‌। ୨୦୧୬-୧୭ରେ ରାଜ୍ୟରେ ୧୪୮.୩୯ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ଉତ୍ପାଦନ ହୋଇଥିଲା। ଅର୍ଥାତ୍‌ ଗତବର୍ଷ ପାଖାପାଖି ୪୯.୪୮ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ଉତ୍ପାଦନ କମିଯାଇଛି।

ଏହା ସତ୍ତ୍ୱେ, ସରକାର ଏବର୍ଷ ଧାନ ସଂଗ୍ରହ ଲକ୍ଷ୍ୟ ବୃଦ୍ଧି କରିଛନ୍ତି। କାରଣ ଦର୍ଶାଇ କୃଷି ବିଭାଗ କହିଛି, ଗତବର୍ଷ ୩୫ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା। ଏଥର ଆଜି ସୁଦ୍ଧା ୩୭ଲକ୍ଷ ହେକ୍ଟର ଜମିରେ ଚାଷ ହୋଇଥିବା ଜଣାପଡିଛି। ଯେହେତୁ ଏବର୍ଷ ଯଥେଷ୍ଟ ବର୍ଷା ହୋଇଛି, ସେଭଳି ବଡ଼ ଧରଣର ପ୍ରାକୃତିକ ବିପର୍ଯ୍ୟୟ ଘଟିନାହିଁ, ସର୍ବୋପରି ଅଧିକ ୨ଲକ୍ଷ ହେକ୍ଟର ଜମିରେ ଧାନ ଚାଷ ହୋଇଛି, ଏଣୁ ସରକାର ପୁଣି ଥରେ ଲକ୍ଷ୍ୟ ବୃଦ୍ଧି କରିଛନ୍ତି। ୨୦୧୮-୧୯ରେ ୫୫ଲକ୍ଷ ଟନ୍‌ ଧାନ ସଂଗ୍ରହ ପାଇଁ ଯୋଜନା ହୋଇଛି।

ସମ୍ବନ୍ଧିତ ଖବର