କାଳସାଜିଲା ସରକାରୀ ସେଚ ପଏଣ୍ଟ : ଲୁଣାପାଣିରେ ଉଜୁଡ଼ିଲା ରବି ଧାନଚାଷ

ବାଲେଶ୍ୱର : ଉଠା ଜଳସେଚନ ବିଭାଗ ଖୋଳିଥିବା ସେଚ ପଏଣ୍ଟରୁ ଲୁଣାପାଣି ବାହାରୁଛି। ଏହି ପାଣି ଯେଉଁ ଜମିରେ ମାଡ଼ୁଛି, ତା’ର ଫସଲ ଲୁଣାଖାଇ ଉଜୁଡ଼ି ଯାଇଛି। ଏମିତି ଅଘଟଣର ଶିକାର ହୋଇଛନ୍ତି ବାଲେଶ୍ୱର ସଦର ବ୍ଲକ ଓଲନ୍ଦା ସାରଗାଁ ପଞ୍ଚାୟତ ଅନ୍ତର୍ଗତ ହିଂଜଳା ଗାଁର ବହୁ ଚାଷୀ। ସେମାନଙ୍କ ଶତାଧିକ ଏକର ଚାଷଜମିରେ ହୋଇଥିବା ରବି ଧାନଚାଷ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି। ଫଳରେ ଧାରକରଜ କରି ଚାଷ କରିଥିବା ଚାଷୀମାନେ ହତାଶ ହୋଇଛନ୍ତି। ତୁରନ୍ତ କ୍ଷତିଗ୍ରସ୍ତ ଚାଷର କ୍ଷତିପୂରଣ ଦିଅ, ଲୁଣାପାଣି ବାହାରୁଥିବା ସମସ୍ତ ସେଚ୍‌ ପଏଣ୍ଟକୁ ଚାଷୋପଯୋଗୀ କରାଇବା ଦାବିରେ ହିଞ୍ଜଳା ଗାଁ ଲୋକେ ଆଜି ଜିଲ୍ଲାପାଳଙ୍କୁ ଭେଟି ଗୁହାରି କରିଛନ୍ତି।

ସେମାନଙ୍କ ଅଭିଯୋଗ; ହିଞ୍ଜଳା ଗାଁର ଅଧିକାଂଶ ଲୋକଙ୍କ ଜୀବିକା ଚାଷ। ୨୦୧୭ ମାର୍ଚ୍ଚମାସରେ ଉଠାଜଳସେଚନ ବିଭାଗ ପକ୍ଷରୁ ଏହି ଗାଁରେ ୨୫ ଲକ୍ଷ ୮୩ ହଜାର ଟଙ୍କା ବ୍ୟୟ ଅଟକଳରେ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଥିଲା। ବିଳମ୍ବ ଯୋଗୁଁ ଗତବର୍ଷ ରବିଚାଷ କରିହେଲା ନାହିଁ। ଚଳିତ ରବି ଋତୁରେ ପ୍ରାୟ ୧୦୦ ଏକରରୁ ଉର୍ଧ୍ୱ ଚାଷ ଜମିରେ ୬୦ରୁ ଅଧିକ ଚାଷୀ ରବି ଧାନ ଚାଷ କରିଥିଲେ। ହେଲେ ସେମାନଙ୍କ ଆଶା ନିରାଶାରେ ପରିଣତ ହେଲା। ସେଚ୍‌ ପଏଣ୍ଟଗୁଡ଼ିକରୁ ଲୁଣାପାଣି ବାହାରିବାରୁ ଚାଷଜମିର ଫସଲ ଏବେ ସମ୍ପୂର୍ଣ୍ଣ ଉଜୁଡ଼ିଯିବାରୁ ସମସ୍ତେ ମୁଣ୍ଡରେ ହାତ ଦେଇ ବସିଛନ୍ତି।

ସମ୍ବନ୍ଧିତ ଖବର