ଏଥର ୩୫ ଲକ୍ଷ ହେକ୍ଟର ଜମିରେ ଧାନଚାଷ

ଭୁବନେଶ୍ୱର : ଆଗାମୀ ଖରିଫ ଋତୁରେ ୩୫ ଲକ୍ଷ ହେକ୍ଟର ଜମିରେ ଧାନଚାଷ କରାଯିବ। ଧାନ ଉତ୍ପାଦନ ୮୫ ଲକ୍ଷ ୭୫ ହଜାର ମେଟ୍ରିକ ଟନ୍‌ ଏବଂ ଉତ୍ପାଦକତା ହେକ୍ଟର ପିଛା ୨୪୫୦ କିଲୋଗ୍ରାମ ହେବ। ଏ ନେଇ ଖରିଫ ଋତୁ କାର୍ଯ୍ୟକ୍ରମ ୨୦୧୮ ଫସଲ ଖସଡ଼ାରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ପ୍ରାକ୍‌ ଖରିଫ ଋତୁ କାର୍ଯ୍ୟକ୍ରମ କର୍ମଶାଳାରେ ଆଗାମୀ ଖରିଫ ଋତୁ ପାଇଁ ଧାନ ସମେତ ବିଭିନ୍ନ ଶସ୍ୟ ଚାଷ, ଉତ୍ପାଦନ ଯୋଜନା ସ୍ଥିରୀକୃତ ହୋଇଛି। ଏହି ଯୋଜନା ମୁତାବକ ଧାନ ସମେତ ସବୁ ପ୍ରକାର ଶସ୍ୟ ୪୦.୨୦ ଲକ୍ଷ ହେକ୍ଟର ଜମିରେ ଚାଷ କରାଯିବ। ସେସବୁର ମୋଟ ଉତ୍ପାଦନ ହେବ ୯୭.୦୨ ଲକ୍ଷ ମେଟ୍ରିକ ଟନ୍‌। ଏହାର ଉତ୍ପାଦକତା ହାର ହେକ୍ଟର ପିଛା ହେବ ୨୪୧୪ କି.ଗ୍ରା.। ଡାଲିଜାତୀୟ ଫସଲ ଯଥା: ହରଡ଼, ମୁଗ, ବିରି, ଝୁଡ଼ଙ୍ଗ ଓ ଅନ୍ୟାନ୍ୟ ଡାଲିଜାତୀୟ ଫସଲକୁ ମିଶାଇ ମୋଟ ଡାଲିଜାତୀୟ ଚାଷ ୧୦.୯୦ ଲକ୍ଷ ହେକ୍ଟର ଜମିରେ କରାଯିବ ବୋଲି ଯୋଜନା ହୋଇଛି। ସେହିପରି ମୋଟ ତୈଳବୀଜ ଫସଲ ୪୫୦ ହଜାର ହେକ୍ଟର ଜମିରେ ଏବଂ ଅନ୍ୟାନ୍ୟ ଫସଲ ଚାଷ କରିବାକୁ ସ୍ଥିର କରାଯାଇଛି। ଚଳିତ ବର୍ଷ ସ୍ୱାଭାବିକ ବର୍ଷା ହେବାର ଅନୁମାନ କରାଯାଉଥିବାରୁ ରାଜ୍ୟରେ ଖରିଫ ଫସଲ ଉତ୍ପାଦନ ଆଶାନୁରୂପକ ହୋଇପାରିବ ବୋଲି କୁହାଯାଉଛି।

ଏ ବର୍ଷ ସମବାୟ ବିଭାଗ ଦ୍ୱାରା ୨୧ ଲକ୍ଷ ଚାଷୀଙ୍କୁ ମୋଟ ୭୨୦୦ କୋଟି ଟଙ୍କାର ଶସ୍ୟଋଣ ଦିଆଯିବ। ଏଥର ୨୦ ଲକ୍ଷ ଋଣୀ ଏବଂ ୨ ଲକ୍ଷ ଅଣଋଣୀ ଚାଷୀଙ୍କୁ ବୀମାଭୁକ୍ତ କରାଯିବ।

ଏହି କର୍ମଶାଳାକୁ ଉଦ୍‌ଘାଟନ କରି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଲେ, କୃଷି କାର୍ଯ୍ୟରେ ସଂପୃକ୍ତ ବିଭାଗଗୁଡ଼ିକ ମଧ୍ୟରେ ସମନ୍ଵୟ ଓ ସହଯୋଗ ମାଧ୍ୟମରେ ରାଜ୍ୟରେ କୃଷି ଉତ୍ପାଦନ ବୃଦ୍ଧି ହେବା ସହିତ କୃଷକଙ୍କର ଆୟରେ ଉନ୍ନତି ଆଣିହେବ। ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଲେ, ଏଥର ପ୍ରଥମ ଥର ପାଇଁ ଭାଗଚାଷୀଙ୍କୁ ଋଣ ଯୋଗାଇଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟର କୁଳପତି ଡ. ସୁରେନ୍ଦ୍ର ନାଥ ପଶୁପାଳକ, କୃଷି ଉତ୍ପାଦନ କମିସନର, କୃଷି ବିଭାଗ ପ୍ରମୁଖ ସଚିବ, ଜଳସଂପଦ ବିଭାଗ ପ୍ରମୁଖ ସଚିବ ପ୍ରମୁଖ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର