ଧାନ ବିକ୍ରି:୧୦ ଲକ୍ଷ ଛୁଇଁଲାଣି ଚାଷୀ ପଞ୍ଜୀକରଣ

ଭୁବନେଶ୍ୱର : ସରକାରଙ୍କୁ ଧାନ ବିକ୍ରି କରିବାକୁ ଆଗ୍ରହୀ ଚାଷୀଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ। ଏଥିପାଇଁ ଚଳିତ ଖରିଫ ଧାନ ସଂଗ୍ରହ ଋତୁ ନିମନ୍ତେ ଆଜି ସନ୍ଧ୍ୟା ସୁଦ୍ଧା ୯ ଲକ୍ଷ ୯୮ ହଜାର ୭୭୫ଜଣ ଚାଷୀ ସେମାନଙ୍କର ନାମ ପଞ୍ଜୀକରଣ କରିସାରିଛନ୍ତି। ଗତ ବ‌ର୍ଷ ତୁଳନାରେ ଏଥର ପଞ୍ଜୀକରଣ କରୁଥିବା ଚାଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ବିଶେଷ କରି ଏଥର ୧.୨୦ ଲକ୍ଷ ନୂଆ ଚାଷୀ ସେମାନଙ୍କ ନାମ ପଞ୍ଜୀକରଣ କରିଛନ୍ତି। ଏହା ସହିତ ମୋଟ ପଞ୍ଜୀକୃତ ଚାଷୀଙ୍କ ମଧ୍ୟରୁ ପ୍ରାୟ ୧୦ ପ୍ରତିଶତ ଅର୍ଥାତ୍‌ ପ୍ରାୟ ୧ ଲକ୍ଷ ଭାଗଚାଷୀ ସରକାରଙ୍କୁ ଧାନ ବିକ୍ରି କରି‌େବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ ଗତବର୍ଷ ଖରିଫ ଧାନ ସଂଗ୍ରହ କାର୍ଯ୍ୟକ୍ରମ ନିମନ୍ତେ ୧୧.୨୦ ଲକ୍ଷ ଚାଷୀ ପଞ୍ଜୀକୃତ ହୋଇଥିଲେ। ବର୍ତମାନ ସୁଦ୍ଧା ଏହି ପଞ୍ଜୀକୃତ ଚାଷୀଙ୍କ ସଂଖ୍ୟା ୧୦ ଲକ୍ଷ ଛୁଇଁବାକୁ ଯାଉଛି। ଚାଷୀ ପଞ୍ଜୀକରଣର ସମୟସୀମା ଚଳିତ ଅକ୍ଟୋବର ୧୫ ତାରିଖକୁ ଧାର୍ଯ୍ୟ ହୋଇଛି। ଏଥର ଚାଷୀ ପଞ୍ଜୀକରଣ ସଂଖ୍ୟା ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି। ଏହା ପଛର ଅନ୍ୟତମ ମୁଖ୍ୟ କାରଣ ହେଉଛି ଯେ ପ୍ରତ୍ୟେକ ଚାଷୀଙ୍କ ଉପରେ ନିଜସ୍ବ ଖାଦ୍ୟ ସୁରକ୍ଷା ପାଇଁ ହେକ୍ଟର ପିଛା ୩ କ୍ବିଣ୍ଟାଲ୍‌ ଧାନ ରହିଥିବା କଟକଣାକୁ ସରକାର ଉଠାଇ ଦେଇଛନ୍ତିି। ସେହିପରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) କ୍ବିଣ୍ଟାଲ୍‌ ପିଛା ୨୦୦ ଟଙ୍କା ଲେଖାଏଁ ବୃଦ୍ଧି ଘଟିଛି। ଏହା ଫଳରେ ପୂର୍ବାପେକ୍ଷା ଚାଷୀମାନେ ଧାନ ବିକ୍ରି କରି ଅଧିକ ଟଙ୍କା ଅର୍ଜନ କରିପାରିବେ।

ସମ୍ବନ୍ଧିତ ଖବର