ଧାର୍ଯ୍ୟ ସମୟ ପୂର୍ବର ମଣ୍ଡି ବନ୍ଦ ପ୍ରସଙ୍ଗ : ସରକାର ଅଭାବୀ ବିକ୍ରିକୁ ଉସକାଉଛନ୍ତି: ନିରଞ୍ଜନ

ଭୁବନେଶ୍ୱର : ଓଡ଼ିଶା ସରକାର ଧାନ ଖରିଦ କରିବାକୁ ଖୋଲା ଯାଇଥିବା ମଣ୍ଡିଗୁଡ଼ିକୁ ଦୁଇମାସ ପୂର୍ବରୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଇତିମଧ୍ୟରେ ସେଠାରେ ଚାଷୀମାନେ ହଜାର ହଜାର କୁଇଣ୍ଟାଲ ଧାନ ଧରି ପଡ଼ି ରହିବା ସହିତ ସେମାନଙ୍କ ଦ୍ୱାରା ଉତ୍ପାଦିନ ଧାନ କିଣିବାକୁ ସରକାରକୁ ଯୋଡ଼ ହସ୍ତରେ ନିବେଦନ କରୁଛନ୍ତି। ହେଲେ ସରକାର ସେମାନଙ୍କ କଥା ଶୁଣୁ ନାହାନ୍ତି। ଏହା ଫଳରେ ଚାଷୀମାନେ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେବେ ଏବଂ ପ୍ରକୃତ ମୂଲ୍ୟ ନପାଇ ଋଣ ବୋଝ ପରିଶୋଧ କରି ନପାରି ଆତ୍ମହତ୍ୟା ପନ୍ଥାକୁ ବାଛି ନେବେ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଅଭେଯାଗ କରିଛନ୍ତି।

ଏକ ପ୍ରେସ୍‍ ବିବୃ୍ତିରେ ସେ କହିଛନ୍ତି ଯେ ୨୦୧୮-୧୯ ଖରିଫ ଋତୁରେ ରାଜ୍ୟ ସରକାର ୫୫ ଲକ୍ଷ ଟନ୍‍ ଧାନ କିଣିବାକୁ ନିଷ୍ପତ୍ତି ନେଇଥିଲେ। ଏହା ୨୦୧୮ ନଭେମ୍ବରରେ ଆରମ୍ଭ ହୋଇ ୨୦୧୯ ଏପ୍ରିଲରେ ଶେଷ ହେବା କଥା। କିନ୍ତୁ ଚଳିତ ବର୍ଷ ଆଜି ସୁଦ୍ଧା ପ୍ରାୟ ୫୦ ଲକ୍ଷ ଧାନ ସଂଗ୍ରହ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ଯାହାର ସତ୍ୟତା ଜଣାନାହିଁ। ତେବେ ସରକାର ଦୁଇମାସ ପୂର୍ବରୁ ଅର୍ଥାତ୍‍ ଫେବୃଆରି ଶେଷ ସୁଦ୍ଧା ମଣ୍ଡିଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ ମଣ୍ଡିରେ ଧାନବସ୍ତା ସହିତ ଫସି ରହୁଥିବା କୃଷକମାନେ ସେମାନଙ୍କ ଧାନ କିଣିବାକୁ ନେହୁରା ହେଉଥିଲେ ମଧ୍ୟ ସରକାରୀ ସଂସ୍ଥା ଗୁଡ଼ିକ ସେଥିପ୍ରତି କର୍ଣ୍ଣପାତ କରୁନାହାନ୍ତି।

ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କଲେ ନାହିଁ କିମ୍ବା ରାଜ୍ୟ ସରକାର ତା’ ଉପରେ ବୋନସ ଦେଲେ ନାହିଁ। ଏବେ ଓଡ଼ିଶାରେ ଚାଷୀ ମାନେ ଧାନ କୁଇଣ୍ଟାଲ ପିଛା ୧୫୦୦ରୁ ୧୬୦୦ ଟଙ୍କାରେ ବିକ୍ରି କରୁଛନ୍ତି। ଅଥଚ ଛତିଶଗଡ଼ରେ ଧାନ କୁଇଣ୍ଟାଲ ପିଛା ୨୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଆମ ରାଜ୍ୟରେ ଚାଷୀମାନେ ଧାନର ଉଚିତ ମୂଲ୍ୟ ପାଉନଥିବାବେଳେ ସରକାର ମଣ୍ଡିଗୁଡ଼ିକୁ ଦୁଇମାସ ପୂର୍ବରୁ ବନ୍ଦ କରିବାକୁ ଯାଉଛନ୍ତି। ଏହା ଦ୍ୱାରା ସରକାର ଚାଷୀମାନଙ୍କୁ ଧାନର ଅଭାବୀ ବିକ୍ରି ପାଇଁ ବାଧ୍ୟ କରୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି। ଏହାଦ୍ୱାରା ସେମାନଙ୍କ ଆର୍ଥିକ ସ୍ଥିତି ଅଧିକ ଖରାପ ହୋଇପଡ଼ିବ ଏବଂ ସେମାନେ ଆତ୍ମହତ୍ୟା ଭଳି ଅବାଞ୍ଛିତ ନିଷ୍ପତ୍ତି ନେବା ଆଶଙ୍କା ରହିଛି। ଏଭଳି ଦୁର୍ଭାଗ୍ୟଜନକ ପରିସ୍ଥିତି ପାଇଁ ନବୀନ ପଟ୍ଟନାୟକ ସରକାର ସଂପୂର୍ଣ୍ଣ ଦାୟୀ ରହିବେ। ସେ ଦାବିକରି କହିଛନ୍ତି ଯେ ରାଜ୍ୟ ସରକାର ଚାଷୀଙ୍କ ଠାରୁ ସମସ୍ତ ଧାନ ନ କିଣିଲେ କଂଗ୍ରେସ ଚାଷୀଙ୍କ ସ୍ୱାର୍ଥରେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ।

ସମ୍ବନ୍ଧିତ ଖବର