ରନ୍ତଲେଇ ଧାନମଣ୍ଡି କେଳେଙ୍କେରୀ : ଅଧା କୋଟିର ହରିଲୁଟ୍!

ସମ୍ପାଦିକାଙ୍କ ପରିବାର ବିକିଲେ ୧୫ଶହ କୁଇଣ୍ଟାଲ୍, କମ୍ପ୍ୟୁଟର ଚାଳକ ଓ ପିଅନ ପରିବାର ବି ଦେଇଛନ୍ତି ସିଂହଭାଗ ଧାନ

ଅନୁଗୁଳ : ସୋସାଇଟି ସମ୍ପାଦିକା ସାଗରିକା ସାହୁ। ଚାଷୀ ଆଇଡି କେସିସି-୧୨୧୬୦୦୮୯୦। ସାତ ଥରରେ ମଣ୍ଡିରେ ଧାନ ବିକ୍ରି କରିଛନ୍ତି ୩୪୬.୮୭କୁଇଣ୍ଟାଲ୍‌। ବାପା ପ୍ରଫୁଲ୍ଲ ସାହୁ। ଚାଷୀ ଆଇଡି କେସିସି-୧୨୧୬୦୦୨୮୩। ଆଠ ଥରରେ ତାଙ୍କ ନାଁରେ ୩୭୧.୦୬କୁଇଣ୍ଟାଲ୍‌ ଧାନ ବିକ୍ରି ହୋଇଛି। ବାପ-ଝିଅଙ୍କ ଏକାଉଣ୍ଟ୍‌ଠୁ ବଳି ଯାଇଛନ୍ତି ଭଉଣୀ ସୋନାଲିକା ସାହୁ। ଚାଷୀ ଆଇଡି କେସିସି-୧୨୧୬୦୦୯୦୯ରେ ତାଙ୍କ ନାଁରେ ବିକ୍ରି ହୋଇଛି ୪୦୦.୯୧କୁଇଣ୍ଟାଲ୍। ମା ଚତୁରୀ ସାହୁ ସ୍ବାମୀ ଏବଂ ଦୁଇ ଝିଅଙ୍କଠାରୁ ବଳି ସର୍ବାଧିକ ୪୧୩.୦୨କୁଇଣ୍ଟାଲ୍ ଧାନ ବିକ୍ରି କରିଛନ୍ତି। ଫାର୍ମର ଆଇଡି ଇପିଆଇସି-ଏଲ୍‌କ୍ୟୁଏନ୍‌ ୧୮୪୩୯୪୫ରେ ସେ ନଅ ଥର ଧାନ ବିକ୍ରି କରିଥିବା ଟ୍ରାନଜିଟ୍‌ ପାସ୍‌ ରେଜିଷ୍ଟର ତଥ୍ୟ ବୟାନ କରୁଛି। ମୋଟ ଉପରେ ହିସାବ କଲେ, ଅନୁଗୁଳ ବ୍ଲକ ରନ୍ତଲେଇ ସୋସାଇଟି ସମ୍ପାଦିକାଙ୍କ ଏହି ଚାରି ଜଣିଆ ପରିବାର ୧୫୩୧କୁଇଣ୍ଟାଲ୍ ଧାନ ବିକ୍ରି କରିଛନ୍ତି। ଗତ ଖରିଫ୍‌ରେ ସୋସାଇଟି ସମୁଦାୟ ଯେତିକି ଧାନ ସଂଗ୍ରହ କରିଛି, ତା’ର ପ୍ରାୟ ୧୦ପ୍ରତିଶତ ଆସିଛି କେବଳ ସମ୍ପାଦିକାଙ୍କ ପରିବାରରୁ। ଏକା ସମ୍ପାଦିକା ନୁହଁନ୍ତି, କମ୍ପ୍ୟୁଟର ବିଭାଗ କର୍ମଚାରୀ, ପିଅନ, ତାଙ୍କ ଆତ୍ମୀୟ ସହୋଦରଙ୍କ ନାଁରେ ଯେତିକି ଧାନ ବିକ୍ରିବଟା କରିଛନ୍ତି ତାହା କେବଳ ଚକିତ କରୁ ନାହିଁ, ବରଂ ସୋସାଇଟି ସଭାପତି କୃଷ୍ଣଚନ୍ଦ୍ର ସାହୁ ଆଣିଥିବା ୧୩ହଜାର କୁଇଣ୍ଟାଲ୍ ଧାନ କେଳେଙ୍କାରୀ ଅଭିଯୋଗକୁ ଆହୁରି ଦୃଢ଼ୀଭୂତ କରୁଛି। ସଭାପତି ଶ୍ରୀ ସାହୁଙ୍କ ଅଭିଯୋଗ ଯଦି ସତ୍ୟ ପ୍ରମାଣିତ ହୁଏ, ତେବେ ରନ୍ତଲେଇ ସୋସାଇଟିର ଧାନ ମଣ୍ଡି ଘୋଟାଲା ଅଧା କୋଟିରୁ କମ୍‌ ହେବ ନାହିଁ ବୋଲି ଆକଳନ କରାଯାଉଛି।

ତଥ୍ୟ ମୁତାବକ, ରନ୍ତଲେଇ ସୋସାଇଟି ଗତ ଖରିଫ୍‌ରେ କ୍ରିଷ୍ଣା ପ୍ୟାଡି ଆଣ୍ଡ୍‌ ଫୁଡ୍‌ ପ୍ରଡକ୍ସନ ପ୍ରାଇଭେଟ୍‌ ଲିମିଟେଡ଼୍‌କୁ ବିକ୍ରି କରିଛନ୍ତି ୧୬ହଜାର ୬୦୧.୩୪କୁଇଣ୍ଟାଲ ଧାନ। ସରକାରୀ ନିୟମ କହୁଛି, ଜଣେ ଚାଷୀ ନିଜର ଗୋଟିଏ ଏକର ଜମି ପଞ୍ଜୀକରଣ କଲେ, ହାରାହାରି ୧୫ରୁ ୧୮କୁଇଣ୍ଟାଲ୍ ଧାନ ବିକ୍ରି କରିପାରିବ। ତା’ ବାଦ୍‌ ସର୍‌ପ୍ଲସ୍‌ ବିକ୍ରି ବ୍ୟବସ୍ଥା ଅଛି। ସମ୍ପାଦିକାଙ୍କ ପରିବାର ବିକ୍ରି କରିଥିବା ଧାନକୁ ହିସାବ କଲେ, ୧୫ଶହ କୁଇଣ୍ଟାଲ୍ ଧାନ ବିକ୍ରି ପାଇଁ ପାଖାପାଖି ଶହେ ଏକର ଜମିରେ ଚାଷ କରିବା କଥା। ସେତିକି ଚାଷ ସମ୍ପାଦିକାଙ୍କ ପରିବାର କରିଛନ୍ତି କି? ନା ପଞ୍ଜୀକରଣ ବେଳୁ ଗଫଲତି କରାଯାଇଛି। ସେନେଇ ସୋସାଇଟି ସଭାପତି ଶ୍ରୀ ସାହୁ କେବଳ ପ୍ରଶ୍ନ କରି ନାହାନ୍ତି, ବରଂ ଏହାର ଭିଜିଲାନ୍‌ସ ତଦନ୍ତ ହେଲେ ଏ ଘୋଟାଲା ସୋସାଇଟିରୁ ଆରମ୍ଭ କରି ଉପର କେଉଁ ସ୍ତର ପର୍ଯ୍ୟନ୍ତ ଦୁର୍ନୀତିର ଚେର ଲମ୍ବିଛି ତାହା ପଦାକୁ ଆସିବ ବୋଲି ଶ୍ରୀ ସାହୁ କହିଛନ୍ତି।

ତାଙ୍କ କହିବା ମୁତାବକ, ସୋସାଇଟିର ମୋଟ ପଞ୍ଜୀକୃତଙ୍କ ମଧ୍ୟରୁ ୯୭ଜଣ ପ୍ରକୃତ ଚାଷୀ ବିକ୍ରି କରିଛନ୍ତି ମାତ୍ର ୩୨ଶହ କୁଇଣ୍ଟାଲ୍ ଧାନ। ସର୍ବସମ୍ମୁଖରେ ଏହି ସବୁ ଚାଷୀମାନେ ୧୫/୨୦/୩୦କୁଇଣ୍ଟାଲ୍ ଭାଗ ବାଣ୍ଟି ନିଜ ଅମଳ ମୁତାବକ ଧାନ ବିକ୍ରି କରିଛନ୍ତି। କିନ୍ତୁ, ଜଣେ ଚାଷୀ ନାଁରେ ୪ଶହ କୁଇଣ୍ଟାଲ୍ ଧାନ ବିକ୍ରି ହେବା କେବଳ ଆମ ସୋସାଇଟି ପାଇଁ ନୁହେଁ, ଅନୁଗୁଳ ଜିଲ୍ଲାରେ ବି ବିରଳ। ତାଲିକା ଦେଖିଲେ, ଏତେ ସଂଖ୍ୟାରେ ଧାନ ବିକ୍ରି କରିଥିବା ଚାଷୀ ସଂଖ୍ୟା ୨୫/୩୦ଜଣ। ହିସାବ କଲେ, ମୋଟ ୧୬ହଜାର କୁଇଣ୍ଟାଲ୍ ଧାନ ମଧ୍ୟରୁ ପ୍ରାୟ ୧୩ହଜାର କୁଇଣ୍ଟାଲ୍ ଏହିଭଳି ଚାଷୀଙ୍କ ନାଁରେ ଧାନ ବିକ୍ରିବଟା ହୋଇଛି। ୧୩ହଜାର କୁଇଣ୍ଟାଲ୍ ଧାନ ବେପାରିଙ୍କଠାରୁ ଯୋଗାଡ଼ କରାଯାଇ ନିଜ ଆତ୍ମୀୟସ୍ବଜନଙ୍କ ନାଁରେ ବିକ୍ରି କରାଯାଇଛି। ସରକାର ମଣ୍ଡିରୁ ଧାନ କିଣିଲେ କୁଇଣ୍ଟାଲ୍ ପିଛା ୧୭୫୦ଟଙ୍କା ଚାଷୀଙ୍କୁ ଦେଉଛନ୍ତି। ବେପାରୀଙ୍କଠାରୁ ଆନୁମାନିକ କୁଇଣ୍ଟାଲ୍ ପିଛା ୧୩ଶହ ଟଙ୍କାରେ କିଣି ସୋସାଇଟି ଗଳା ବାଟରେ ୧୭୫୦ରେ ବିକ୍ରି କଲେ, କୁଇଣ୍ଟାଲ୍ ପିଛା ୪୦୦ଟଙ୍କାରୁ କମ୍‌ ମୁନାଫା ଏଥିରେ ହୋଇନାହିଁ ବୋଲି ଶ୍ରୀ ସାହୁ ‘ସମ୍ବାଦ’କୁ କହିଛନ୍ତି। ୧୩ହଜାର କୁଇଣ୍ଟାଲ ଧାନର ହିସାବ କଲେ, ଏହି ଦୁର୍ନୀତି ୫୨ଲକ୍ଷରୁ କମ୍‌ ହେବ ନାହିଁ। ଏତେ ବଡ଼ କାରସାଦି ପଛରେ କେବଳ ସୋସାଇଟି ନୁହେଁ, ବରଂ ତତ୍‌ ସଂଲଗ୍ନ ଜିଲ୍ଲା ଅଫିସର ସମ୍ପୃକ୍ତିକୁ ଏଡ଼ାଇ ଦିଆଯାଇ ନ ପାରେ। ଘଟଣା ପରଠାରୁ ସମ୍ପାଦିକା ସୁଶ୍ରୀ ସାହୁଙ୍କୁ ଦାୟିତ୍ବରୁ ହଟାଇ ଦିଆଯାଇଛି।

ନିଜ ପରିବାରରୁ ସିଂହଭାଗ ଧାନ ବିକ୍ରି ହେବା ପ୍ରସଙ୍ଗରେ ସୋସାଇଟିର ପୂର୍ବତନ ସମ୍ପାଦିକା ସୁଶ୍ରୀ ସାହୁ କହିଛନ୍ତି, ବାପା, ମା କ’ଣ ଧାନ ବିକ୍ରି କଲେ ସେ ସଂପର୍କରେ ମୁଁ କିଛି ଜାଣି ନାହିଁ। ଚାଷୀ ପଞ୍ଜୀକରଣ ଯେମିତି ହୋଇଥିଲା, ଯୋଗାଣ ବିଭାଗ ଯେମିତି ସରପ୍ଲସ୍‌ ଆସିଥିଲା ସେହି ଅନୁସାରେ ଧାନ ସଂଗ୍ରହ କରାଯାଇଛି। ମୋତେ ନିଲମ୍ବିତ କରାଯାଇ ନାହିଁ, ବରଂ ତଦନ୍ତ ପାଇଁ ସମ୍ପାଦିକା ଦାୟିତ୍ବରୁ ହଟେଇ ଦିଆଯାଇଛି। ଖରିଫ୍‌ ସରି ରବି ଆରମ୍ଭ ହେଲାଣି। ଦୁର୍ନୀତି ଅଭିଯୋଗ ଆଣିଥିବା ସଭାପତି ଶ୍ରୀ ସାହୁ ନିଜେ ଧାନ ବିକ୍ରି କମିଟିର ସଦସ୍ୟ। ଧାନ କିଣା ବେଳେ ଅଭିଯୋଗ ନ ଥିଲା, ଏବେ କେମିତି ଦୁର୍ନୀତି କଥା ଉଠାଉଛନ୍ତି ବୋଲି ସୁଶ୍ରୀ ସାହୁ ପାଲଟା ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର