ଧାନର ଏମ୍‌ଏସ୍‌ପି ବୃଦ୍ଧି ପ୍ରସଙ୍ଗ : ବିରୋଧ କଲେ କଂଗ୍ରେସ ଓ ବିଜେଡି, କୃତଜ୍ଞତା ଜଣାଇଲା ବିଜେପି

ଭୁବନେଶ୍ୱର : ଧାନର ଏମ୍‌ଏସ୍‌ପି ୨୦୦ ଟଙ୍କା ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟ୍‌ ଆଜି ମୋହର ମାରିଛି। ଏହାକୁ ନେଇ ଓଡ଼ିଶାରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ଓଡ଼ିଶାର ଦାବି ମୁତାବକ ଏମ୍‌ଏସ୍‌ପି ୨୯୩୦ ଟଙ୍କା କରାଯାଇ ନ ଥିବାରୁ ଉଭୟ ବିଜେଡି ଓ କଂଗ୍ରେସ ଏହାକୁ ବିରୋଧ କରିଛନ୍ତି। ଏହା ଓଡ଼ିଶା ଚାଷୀଙ୍କ ପାଇଁ କିଛି କାମରେ ଲାଗିବନି ବୋଲି ସେମାନେ ଯୁକ୍ତି ବାଢ଼ିଛନ୍ତି। ବିରୋଧୀଙ୍କ ଏହି ଆଭିମୁଖ୍ୟକୁ ବିଜେପି ସମାଲୋଚନା କରିବା ସହ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ପାଳନ କରିଥିବାରୁ କୃତଜ୍ଞତା ଜ୍ଞାପନ କରାଯାଇଛି।

ବିଜେଡି ମୁଖପାତ୍ର ତଥା ସାଂସଦ ପ୍ରତାପ ଦେବ କହିଛନ୍ତି, ଏନ୍‌ଡିଏ ସରକାର ସ୍ୱାମୀନାଥନ୍‌ କମିଟି ସୁପାରିସ୍‌ ଆଧାରରେ ଧାନ ଚାଷରେ ହେଉଥିବା ଖର୍ଚ୍ଚର ଦେଢ଼ଗୁଣା ମୂଲ୍ୟ ବୃଦ୍ଧି କରିବା ପାଇଁ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ତାହା କାର୍ଯ୍ୟକାରୀ କଲେ ନାହିଁ। ସଂପ୍ରତି ଓଡ଼ିଶାର ଚାଷୀମାନେ ଯେଉଁ ଦୁର୍ଦ୍ଦଶା ଭୋଗୁଛନ୍ତି, ତା’ର ମୁଖ୍ୟ କାରଣ ହେଉଛି, ଧାନର ଉଚିତ୍‌ ମୂଲ୍ୟ ନ ପାଇବା। ଓଡ଼ିଶା ସରକାର ପ୍ରତି କ୍ୱିଣ୍ଟାଲ ଧାନରେ ଚାଷୀର ସମୁଦାୟ ୨୩୪୪ ଟଙ୍କା ଖର୍ଚ୍ଚ ହେଉଛି ବୋଲି ଆକଳନ କରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବାକୁ ଦଳମତ ନିର୍ବିଶେଷରେ ଓଡ଼ିଶା ବିଧାନସଭାରେ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରାଯାଇ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିଲା। କିନ୍ତୁ ତାହାକୁ କେନ୍ଦ୍ର ସରକାର ଗ୍ରହଣ କଲେନି। ଏପରିକି ରାଜ୍ୟ ସରକାର ଚାଷୀଙ୍କୁ ବୋନସ୍‌ ଦେବା ପ୍ରସଂଗରେ କେନ୍ଦ୍ର ସରକାର ସ୍ପଷ୍ଟ ଭାବେ ରାଜ୍ୟଗୁଡିକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ଯେ ଯଦି ଧାନ ସଂଗ୍ରହ କ୍ଷେତ୍ରରେ ରାଜ୍ୟ ସରକାର ଚାଷୀଙ୍କୁ ଟଙ୍କାଟିଏ ବୋନସ୍‌ ଦିଏ, ତେବେ ବିକେନ୍ଦ୍ରୀକରଣ ଧାନ ସଂଗ୍ରହରେ ଏଫ୍‌ସିଆଇ ସାମିଲ ହୋଇପାରିବ ନାହିଁ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୦୦ ଟଙ୍କା ବୃଦ୍ଧି କରି ସ୍ୱାମୀନାଥନ କମିଟିର ସୁପାରିସକୁ ସଂପୂର୍ଣ୍ଣ ରୂପେ ଅଣଦେଖା କରିଥିବା ଆଜି ସ୍ପଷ୍ଟ ହୋଇଛି। ଯଦି ସ୍ୱାମୀନାଥନ କମିଟି ଆଧାରରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଥାନ୍ତେ, ଆଉ ୩୦୦ ଟଙ୍କା ବୃଦ୍ଧି ପାଇଥାନ୍ତା। କେନ୍ଦ୍ର ସରକାର ସର୍ବଦା ବଡ଼ ବଡ଼ କଥା କହିଆସିଛନ୍ତି। କିନ୍ତୁ କାର୍ଯ୍ୟ କ୍ଷେତ୍ରରେ ତାହା କରୁ ନାହାନ୍ତି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଆଜି ଘୋଷଣା ହୋଇଥିବା ଏମ୍‌ଏସ୍‌ପି ପର୍ଯ୍ୟାପ୍ତ ନୁହେଁ। ଏହାଦ୍ୱାରା ଚାଷୀ ବିଶେଷ ଲାଭବାନ ହେବେ ନାହିଁ। ଖରିଫ ଋତୁରେ ଜୁନ୍‌ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହ ସୁଦ୍ଧା କେନ୍ଦ୍ର ସରକାର କୃଷି ଉତ୍ପାଦ ନିମନ୍ତେ ଏମ୍‌ଏସ୍‌ପି ଘୋଷଣା କରିଆସୁଥିଲେ ମଧ୍ୟ ଚଳିତ ବର୍ଷ ସେଥିରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ଏହାକୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଦୁଇଦିନ ତଳେ ଏହି ଦାବି ଉପସ୍ଥାପନ କରାଯାଇ ତୁରନ୍ତ ଏମଏସ୍‌ପି ଘୋଷଣା କରିବାକୁ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ପୂର୍ବରୁ ରାଜ୍ୟ ସରକାର ସାଧାରଣ କିସମ ଧାନ କ୍ୱିଣ୍ଟାଲ ପିଛା ଏମ୍‌ଏସ୍‌ପି ୨୯୩୦ ଟଙ୍କା ଧାର୍ଯ୍ୟ କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ। ତେବେ କୃଷି ଉତ୍ପାଦନ ଖର୍ଚ୍ଚ ଓ ମୂଲ୍ୟ ନିର୍ଦ୍ଧାରଣ ଆୟୋଗ (ସିଏସିପି) ସାଧାରଣ କିସମ ଧାନ କ୍ୱିଣ୍ଟାଲ ପିଛା ୧୭୪୫ ଟଙ୍କା ଏବଂ ‘ଏ’ ଗ୍ରେଡ ଧାନ କ୍ୱିଣ୍ଟାଲ ପିଛା ଏମ୍‌ଏସ୍‌ପି ୧୭୭୦ ଟଙ୍କା ଧାର୍ଯ୍ୟ କରିବାକୁ ସୁପାରିସ୍‌ କରିଥିଲେ। ତାହାକୁ ବିଚାରକୁ ନେଇ କେନ୍ଦ୍ର ସରକାର ଏମ୍‌ଏସ୍‌ପି ୨୦୦ ଟଙ୍କା ବୃଦ୍ଧି କରିଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ଏମ୍‌ଏସ୍‌ପି କୃଷି ଉତ୍ପାଦନ କ୍ଷେତ୍ରରେ ହେଉଥିବା ଖର୍ଚ୍ଚର ଦେଢ଼ ଗୁଣ ଧାର୍ଯ୍ୟ କରିବାକୁ ଘୋଷଣା କରିଥିଲେ। କିନ୍ତୁ ଆଜି ଘୋଷଣା କରାଯାଇଥିବା ଏମଏସ୍‌ପି ଚାଷୀଙ୍କୁ ପ୍ରତାରଣା କରିବା ଭଳି ହୋଇଛି।

ଏମ୍‌ଏସ୍‌ପି ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରିଛନ୍ତି। ବିଗତ ୧୦ ବର୍ଷ ମଧ୍ୟରେ ଉତ୍ପାଦିତ ଖାଦ୍ୟଶସ୍ୟର ସହାୟକ ମୂଲ୍ୟରେ ବଡ଼ ବୃଦ୍ଧି କରି କେନ୍ଦ୍ର କ୍ୟାବିନେଟ୍‌ ଐତିହାସିକ ନିଷ୍ପତ୍ତି ନେଇଛି। ଧାନ ସମେତ ୧୪ଟି କୃଷିଜାତ ଦ୍ରବ୍ୟର ଏମ୍‌ଏସ୍‌ପି ଦେଢ଼ ଗୁଣାରୁ ଅଧିକ କରାଯାଇଛି। କୃଷି ଦ୍ରବ୍ୟର ଉତ୍ପାଦନ ମୂଲ୍ୟ ନିର୍ଦ୍ଧାରଣ କରୁଥିବା ସିଏସିପି ସଂସ୍ଥା ଚଳିତ ବର୍ଷ ଧାନର ଉତ୍ପାଦିତ ମୂଲ୍ୟ ୧୧୬୬ ଟଙ୍କା ନିର୍ଦ୍ଧାରଣ କରିଛି। ଏହି ଉତ୍ପାଦନ ମୂଲ୍ୟରୁ ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ ଗୁଣାରୁ ଅଧିକ ବୃଦ୍ଧି କରି ଏହାକୁ ୧୭୫୦ କରାଯାଇଛି। ପ୍ରଧାନମନ୍ତ୍ରୀ କୃଷକମାନଙ୍କ ହିତ, ଚାଷୀ ପରିବାର, କୃଷିକ୍ଷେତ୍ର, ଗ୍ରାମୀଣ ଅର୍ଥନୀତି, ଭାରତୀୟ ଅର୍ଥନୀତି ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଏମ୍‌ଏସ୍‌ପିକୁ ଦେଢ଼ଗୁଣା କରିଛନ୍ତି। କଂଗ୍ରେସ ଓ ବିଜେଡିର ଅଭିଯୋଗ ଉପରେ ଜବାବ ରଖି ଶ୍ରୀ ପ୍ରଧାନ କହିଛନ୍ତି, କଂଗ୍ରେସ ନିଜେ ଆତ୍ମସମୀକ୍ଷା କରିବା ଦରକାର। ୨୦୦୪ରୁ ୨୦୧୪ ମସିହା ପର୍ଯ୍ୟନ୍ତ କଂଗ୍ରେସ ସରକାରରେ ଥିଲା ବେଳେ ଏତେ ମାତ୍ରାରେ ଏମ୍‌ଏସ୍‌ପି ବୃଦ୍ଧି କରି ନ ଥିଲେ। କୃଷିଜାତ ଦ୍ରବ୍ୟର ମୂଲ୍ୟ ନିର୍ଦ୍ଧାରଣ ପାଇଁ ଏକ ସ୍ୱତନ୍ତ୍ର ପଦ୍ଧତ୍ତି ରହିଛି। ସେହି ସଂସ୍ଥା ଯାହା ସ୍ଥିର କରେ ସେହି ଅନୁସାରେ ଏମ୍‌ଏସ୍‌ପି ସ୍ଥିରୀକୃତ ହୁଏ। ଅନ୍ୟ ରାଜ୍ୟରେ ଏମ୍‌ଏସ୍‌ପି ଉପରେ ବୋନସ ଦିଆଯାଉଛି। ଅନେକ ରାଜ୍ୟ କୃଷି ଋଣ ଛାଡ଼ କରୁଛନ୍ତି। ଚାଷୀଙ୍କୁ ବୋନସ ଦେବା ପାଇଁ କୌଣସି ବ୍ୟବସ୍ଥା ନ କରି ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର