ରବି ଧାନ କିଣିବାକୁ ସମବାୟ ବିଭାଗ କୁନ୍ଥକୁନ୍ଥ, ଚାଷୀ ହତାଶ, ବେପାରୀ ମାଲାମାଲ

ଯାଜପୁର : ସମଗ୍ର ବିଶ୍ବରେ କରୋନା ମହାମାରୀ କାୟା ବିସ୍ତାର କରିଥିବା ବେଳେ ଆର୍ଥିକ ପରିସ୍ଥିତି ସଂକଟଜନକ ହୋଇପଡ଼ିଛି। ଏଭଳି ସ୍ଥିତିରେ ସରକାର ଚାଷ ଓ ଚାଷୀଙ୍କୁ ଯେତିକି ଗୁରୁତ୍ବ ଦେବା କଥା ତାହା କୌଣସି ପ୍ରକାର ପରିଲକ୍ଷିତ ହେଉନାହିଁ। ରବି ଧାନ କିଣିବା ପାଇଁ ମଣ୍ଡି ଖୋଲୁନି କି ଯେଉଁଠି ମଣ୍ଡି ଖୋଲିଛି ସେଠି ପଞ୍ଜୀକୃତ ଚାଷୀଙ୍କଠାରୁ ଯେତିକି ଧାନ କିଣାଯିବା କଥା ତାହା ହୋଇପାରୁନାହିଁ। ଏଭଳି ସ୍ଥିତି ସମଗ୍ର ଜିଲ୍ଲାରେ ଦେଖିବାକୁ ମିଳିଛି।

ଜିଲ୍ଲାରେ ମାତ୍ର ୧୦ହଜାର ୨ଶହ କୁଇଣ୍ଟାଲ ଧାନ କ୍ରୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଚାଷୀ ଧାନ ବିକି ନ ପାରି ନୟାନ୍ତ ହେଉଛନ୍ତି। କେଉଁଠି ଖଳାରେ ଶହଶହ ଟନ୍ ଡାଳୁଅ ଧାନ ଶଢ଼ୁଛି ତ କେଉଁଠି ବସ୍ତାରେ ପଶି ଥୁଆ ହୋଇଛି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି। ଚଳିତ ବର୍ଷ ପ୍ରାୟ ଏକ ସପ୍ତାହ ତଳୁ ଡାଳୁଅ ଧାନ ଅମଳ ସରିଲାଣି। ହେଲେ ଏଯାଏ ସରକାରୀ ଧାନମଣ୍ଡି ଖୋଲିନାହିଁ। ଚଳିତ ବର୍ଷ ବାରମ୍ବାର କାଳ ବୈଶାଖୀ ବର୍ଷା ଓ ଅମ୍ଫାନ ବାତ୍ୟା ପାଇଁ ଡାଳୁଅ ଧାନଚାଷ କ୍ଷତିଗ୍ରସ୍ତ ହୋଇଛି। ଦୈବୀ ଦୁର୍ବିପାକ ପରେ ଚାଷୀମାନେ ଯାହା ଅମଳ କରିଛନ୍ତି ତାହା ବିକ୍ରି ହୋଇପାରୁନାହିଁ।

ଚଳିତବର୍ଷ ରବିଋତୁ ଧାନ କିଣିବା ପାଇଁ ଯାଜପୁର ଜିଲ୍ଲାକୁ ମୋଟ୍‌ ୧୦୨୦୦ କୁଇଣ୍ଟାଲ୍‌ ଧାର୍ଯ୍ୟ ଲକ୍ଷ୍ୟ ପ୍ରଦାନ କରାଯାଇଛି। ଜିଲ୍ଲାର ମୋଟ୍‌ ୬୩ ଟି ପାକ୍ସ ଓ ଏସ୍‌ଏଚ୍‌ଜି ଏହି ଧାନ କିଣିବେ ବୋଲି ନିର୍ଦେଶ ଦିଆଯାଇଛି। ସେଥିମଧ୍ୟରୁ କୋରେଇ ବ୍ଲକ୍‌ର କୋରେଇ, କନ୍ତୋର ଓ ବରୁଣ୍ଡାଇ ପାକ୍ସ ସମେତ ମୂଳାପାଳ ଓ ହାଟସାହି ଅଞ୍ଚଳର ଦୁଇଟି ଏସ୍‌ଏଚ୍‌ଜି ପକ୍ଷରୁ ରବିଋତୁ ଧାନ କିଣିବା ପାଇଁ ଚାଷୀ ପଞ୍ଜୀକରଣ କରାଯାଇଛି। ଅନ୍ୟପକ୍ଷରେ କୋରେଇ ପାକ୍ସ(ପ୍ରାଥମିକ କୃଷି ସମବାୟ ସମିତି) ଧାନମଣ୍ଡିରେ ଚଳିତବର୍ଷ ରବିଋତୁ ଧାନ ବିକିବା ପାଇଁ ମୋଟ୍‌ ୧୬୩ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଏହି ପାକ୍ସକୁ ମୋଟ୍‌ ୨୫୦ ଶହ କୁଇଣ୍ଟାଲ ଧାନକିଣିବା ପାଇଁ ଧାର୍ଯ୍ୟ ଲକ୍ଷ୍ୟ ପ୍ରଦାନ କରାଯାଇଛି। ସେହିପରି ବ୍ଲକ୍‌ ଅନ୍ତର୍ଗତ କନ୍ତୋର ପ୍ରାଥମିକ କୃଷି ସମବାୟ ସମିତିକୁ ମଧ୍ୟ ମାତ୍ର ୧୦୦ କୁଇଣ୍ଟାଲ ଧାନ କିଣିବା ପାଇଁ ନିର୍ଦ୍ଦେଶ ରହିଛି। କେବଳ କୋରେଇ ପାକ୍ସ ଅଞ୍ଚଳରେ ୧୬୩ ଜଣ ଚାଷୀ ଧାନ ବିକିବା ପାଇଁ ପଞ୍ଜୀକରଣ କରିଥିବାବେଳେ ମାତ୍ର ୨୫୦ କୁଇଣ୍ଟାଲ ଧାନ କିଣିବାକୁ ଅନୁମତି ଦିଆଯାଇଛି। ଜଣେ ଚାଷୀ ସର୍ବନିମ୍ନ ୫୦ କୁଇଣ୍ଟାଲ ଧାନ ବିକିଲେ ମାତ୍ର ୫ ଜଣ ଚାଷୀରେ ଏହି ଧାର୍ଯ୍ୟଲକ୍ଷ୍ୟ ପୂରଣ ହୋଇଯିବ। ତେଣୁ ପଞ୍ଜିକୃତ ୧୬୩ ଜଣ ଚାଷୀଙ୍କୁ କେମିତି ଧାନ ବିକିବେ ତାହା ବୁଝା ପଡ଼ୁନାହିଁ। ଅନ୍ୟପଟେ ପାକ୍ସ କର୍ତ୍ତୃପକ୍ଷ ମଧ୍ୟ କୌଣସି କୂଳକିନାରା ପାଉନାହାନ୍ତି। କୋରେଇ ବ୍ଲକ୍‌ ଅଞ୍ଚଳରେ ମୋଟ୍‌ ୬ ହଜାର ହେକ୍ଟର ଜମିରେ ରବିଋତୁ ଧାନ ଚାଷ ହୋଇଥିବା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି। ବିଭିନ୍ନ ଉନ୍ନତ କିସମର ଧାନଚାଷ କରି ଚାଷୀମାନେ ହେକ୍ଟର ପିଛା ପ୍ରାୟ ୬୦ କୁଇଣ୍ଟାଲ ଧାନ ଅମଳ କରିଛନ୍ତି। ଏହିପରି ‌୬ ହଜାର ହେକ୍ଟର ଜମିରୁ ମୋଟ୍‌ ୩୬ ହଜାର ‌କୁଇଣ୍ଟାଲ ଧାନ ଅମଳ ହୋଇଥିବା ବେଳେ କୋରେଇ ବ୍ଲକ୍‌ରେ ଏଯାଏ ଖୋଲିଥିବା ୨ଟି ସରକାରୀ ଧାନ ମଣ୍ଡିକୁ ମାତ୍ର ୩୫୦ କୁଇଣ୍ଟାଲ ଧାନ କିଣିବାକୁ ଧାର୍ଯ୍ୟଲକ୍ଷ୍ୟ ପ୍ରଦାନ କରାଯାଇଛି। ମଣ୍ଡି ଖୋଲିବାରେ ବିଳମ୍ବ ଓ ଅମ୍ଫାନ ବାତ୍ୟା କ୍ଷତି ଆଶଙ୍କା ପାଇଁ ଧାନ ବିକ୍ରି ନେଇ ନାନା ସମସ୍ୟା ସୃଷ୍ଟି ହୋଇଛି। ବହୁ ଚାଷୀ ଅମଳ ଧାନକୁ ଶୀଘ୍ର ବିକ୍ରି କରିଦେବା ପାଇଁ ଚାହୁଁଛନ୍ତି। ଫଳରେ ବାହାର ରାଜ୍ୟ ତଥା ସ୍ଥାନୀୟ ଅଞ୍ଚଳର ଦଲାଲମାନେ କୁଇଣ୍ଟାଲ ପ୍ରତି ମାତ୍ର ୧୧ ଶହରୁ ୧୨ ଶହ ‌ଟଙ୍କା ଦେଉଛନ୍ତି। ଏଫ୍‌ଏକ୍ୟୁ ମାନର ଧାନ କିଣିବାକୁ ସରକାର କୁଇଣ୍ଟାଲ ପ୍ରତି ୧୮୧୫ ଟଙ୍କା ଧାର୍ଯ୍ୟ କରିଥିବା ବ‌େଳେ ଚାଷୀମାନେ ୧୧ରୁ ୧୨ ଶହ ଟଙ୍କାରେ ଧାନ ବିକି ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହୁଛନ୍ତି। ଏହାକୁ ନେଇ କୋରେଇ ବ୍ଲକ୍‌ ଅଞ୍ଚଳ‌ର ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଖାଲି କୋରେଇ କାହିଁକି, ଜିଲ୍ଲାର ଅନ୍ୟସବୁ ବ୍ଳକ୍‌ରେ ସମ‌ାନ ପରିସ୍ଥିତି ଉପୁଜିଥିବାର ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର