ଧାନକିଣା କେଳେଙ୍କାରୀ : ଭାଗଚାଷୀଙ୍କୁ ଶୋଷଣ

ମୋଟା ଓ ନାଲି ଧାନକୁ ନେଇ ଚାଷୀ ଚିନ୍ତାରେ

ଯାଜପୁରରୋଡ୍ : ଚାଷ ଓ ଚାଷୀଙ୍କୁ ନେଇ ରାଜ୍ୟ ଠାରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ଅଥଚ ସେମାନଙ୍କର ସ୍ବାର୍ଥରକ୍ଷା ପ୍ରତି ଆନ୍ତରିକ ଉଦ୍ୟମ ନାହିଁ। ଯାହାକି ଖରିଫ ଧାନ କିଣାବିକା କେଳେଙ୍କାରୀରୁ ସ୍ପଷ୍ଟ ହୋଇଯାଉଛି। ପୂର୍ବ ଉପକୂଳରୁ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ବାହାର ରାଜ୍ୟ ଦଲାଲଙ୍କ ଦ୍ବାରା ଧାନ ଚାଷୀମାନେ ଶୋଷିତ ହେଉଛନ୍ତି। ଧାନର ଅଭାବୀ ବିକ୍ରି ହେଉଛି। ଏହାକୁ ରୋକିବା ପାଇଁ ପ୍ରଶାସନର ସେପରି କିଛି ଠୋସ ତତ୍ପରତା ପ୍ରକାଶ କରିନାହିଁ। ଧାନ କିଣାବିକାରେ ପାଇଁ ହୋଇଥିବା ନୀତିନିୟମର ଫାଙ୍କ ବାଟେ ମୁନାଫାଖୋର ବ୍ୟବସାୟୀମାନେ ଶହ ଶହ କୋଟି ଟଙ୍କା ଚାଷୀମାନଙ୍କ ଠାରୁ ଠକି ନେଉଛନ୍ତି। ଧାନ କିଣାବିକାରେ ଥିବା ତ୍ରୁଟିପୂର୍ଣ୍ଣ ନୀତି ଓ ପରିଚାଳାନାରେ ଅବ୍ୟବସ୍ଥା ଯୋଗୁଁ ଲକ୍ଷାଧିକ ଚାଷୀଙ୍କ କଷ୍ଟଲବ୍ଧ ଉପାର୍ଜନକୁ ଅସାଧୁମେଣ୍ଟ ଲୁଟି ଚାଲିଛନ୍ତି। ଚାଷୀଙ୍କୁ ନେଇ ଶାସକ ଓ ବିରୋଧୀ ଦଳ ପରସ୍ପରକୁ କେବଳ କ‌ାଦୁଅ ଫିଙ୍ଗାଫିଙ୍ଗିରେ ମାତିଛନ୍ତି ବୋଲି ପୁରୁଖା ଓ ଅଭିଜ୍ଞ ଚାଷୀମାନେ କ୍ଷୋଭ ପ୍ରକାଶ କରିଛନ୍ତି।

ଯାଜପୁର ଜିଲ୍ଲାରେ ଚଳିତ ବର୍ଷ ପଞ୍ଜୀକରଣ ହୋଇଥିବା ୩୧ହଜାର ୧୩ଜଣ ଚାଷୀଙ୍କ ଠାରୁ ୫ଲକ୍ଷ ୪୪ହଜାର କ୍ବିଣ୍ଟାଲ ଧାନ କିଣା ପାଇଁ ସରକାର ପ୍ରାଥମିକ ପର୍ଯ୍ୟାୟରେ ଧାର୍ଯ୍ୟ କରିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଏହା ବୃଦ୍ଧି ପାଇବ ବୋଲି ସରକାରୀ ବାବୁମାନେ କହୁଛନ୍ତି। ପ୍ରତିଦିନ ଶହ ଶହ କ୍ବିଣ୍ଟାଲ ଧାନ କେବଳ ଯାଜପୁର ଜିଲ୍ଲାରୁ ବାହାର ରାଜ୍ୟକୁ ଚାଲାଣ ହେଉଛି। ଏହାର ମୁଖ୍ୟ ଶିକାର ହେଉଛନ୍ତି ଭାଗ ଚାଷୀ। ବର୍ଷ ବର୍ଷ ଧରି ପ୍ରାକୃତିକ ବିପର୍ଯ୍ୟୟ ଓ ଅଭାବୀ ବିକ୍ରିର ଶିକାର ହେଉଥିବା ଅଧିକାଂଶ ଜମି ମାଲିକ ଏବେ ଆଉ ଚାଷ କରୁନାହାନ୍ତି। ଚାଷୀଙ୍କ ଜମିରେ କାମ କରୁଥିବା ଶ୍ରମିକମାନେ ‌ଏବେ ଭାଗ ଚାଷ କରୁଛନ୍ତି। ସରକାର ଜମିକୁ ଲକ୍ଷ୍ୟ କରି ଧାନ କିଣିବା ପାଇଁ ଜମି ମାଲିକଙ୍କ ଏକର ପ୍ରତି ୧୨କ୍ବିଣ୍ଟାଲ ଧାନ କିଣିବାକୁ ନିୟମ କରୁଛନ୍ତି। ଭାଗ ଚାଷୀର ଜମି ନଥିବାରୁ ସେ ଭାଗ ବାବଦରେ ପାଇଥିବା ଧାନ ମଣ୍ଡିରେ ବିକିବ କିପରି? ଏହି ହିସାବରେ ଜିଲ୍ଲା ଠାରୁ ଆରମ୍ଭ କରି ସମଗ୍ର ରାଜ୍ୟରେ ଅମଳ ହୋଇଥିବା ଅର୍ଦ୍ଧାଧିକ ଧାନ ଯାହାକି ଭାଗଚାଷୀଙ୍କ ଧାନ ସିଧା ଦଲାଲଙ୍କ ନିକଟକୁ ଯିବା ପାଇଁ ସରକାର ବାଟ ଖୋଲି ଦେଇଛନ୍ତି।

ଯାଜପୁର ଜିଲ୍ଲାର ବିଂଝାରପୁର, ରସୁଲପୁର ଭଳି କେତେକ ବ୍ଲକ୍ ର ଆଗୁଆ ଅଞ୍ଚଳରେ ହେଉଥିବା ମୋଟା ଓ ନାଲି ଧାନ କିଣିବା ପାଇଁ ମିଲର୍ ମାନେ ନାକ ଟେକୁଛନ୍ତି। ସରକାର ଏହି ମୋଟା ଚାଉଳ ନେଉ ନଥିବାରୁ ଏହି ଧାନ ନେଇ ସେମାନେ କଣ କରିବେ ବାଲି ମିଲର ମାନେ ସିଧାସଳଖ ବାରଣ କରୁଛନ୍ତି।

ସରକାରୀ ତଥ୍ୟ ମୁତାବକ ଗତ ୨୭ଦିନ ମଧ୍ୟରେ ୧୨୨ ସମବାୟ ସମିତି ମଧ୍ୟରୁ ମାତ୍ର ୪୯ଟି ମଣ୍ଡିରେ ୮୧ହଜାର ୩୪୬କ୍ବିଣ୍ଟାଲ ଧାନ କିଣା ଯାଇଛି। ଯାହାକି ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୧୪ଶତକଡ଼ା ଧାନ କିଣା ଯାଇଛି। ଏଥି‌ରୁ ୫୦ଭାଗ ଅଭାବୀ ବିକ୍ରିରେ ଚାଷୀମାନେ ଶିକାର ହୋଇ ଦଲାଲଙ୍କ ଜରିଆରେ ମିଲରେ ଦେଇଛନ୍ତି।

ଯୋଗାଣ ବିଭାଗ ତଥ୍ୟ ମୁତାବକ ୧୧ଟି ମିଲ୍ ମଧ୍ୟରୁ ଆଶୀର୍ବାଦ ଓ କୃପାଳୁ ରାଇସ୍ ମିଲ୍ ୬୦ ହଜାର କ୍ବିଣ୍ଟାଲ ରୁ ଅଧିକ ଧାନ କିଣି ଥିବା ବେଳେ ଅନ୍ୟ ୯ଟି ମିଲ୍ ମାତ୍ର ୨୧ ହଜାର କ୍ବିଣ୍ଟାଲ ଧାନ ମଣ୍ଡିରୁ କିଣିଛନ୍ତି। ଏହି ୯ଟି ମିଲରେ ଥିବା ହଜାର ହଜାର ବସ୍ତା ଧାନ କାହାର? ଦେଲା କିଏ? ଧାନ କିଣା ବିକାରେ ତ୍ରୁଟିପୂର୍ଣ୍ଣ ନୀତିନିୟମ ଓ ଅସାଧୁ ମେଣ୍ଟର ଶୋଷଣ ଯନ୍ତାରେ ଚାଷୀ, ଭାଗ ଚାଷୀ ଶୋଷିତ ହୋଇଚାଲିଛି। ମୁନାଫା ଖୋର ଗୋଷ୍ଠୀ ଶହ ଶହ କୋଟି ଚାଷୀଙ୍କ ଠାରୁ ଲୁଟି ଚାଲିଛନ୍ତି। ଏହାର ନିୟନ୍ତ୍ରଣ ପାଇଁ ସରକାର କେବେ ସଠିକ୍ ପଦକ୍ଷେପ ନେଉଛନ୍ତି, ସେନେଇ ଚାଷୀମାନେ ଚାହିଁ ବସିଛନ୍ତି।

ସମ୍ବନ୍ଧିତ ଖବର