ଧାନ ଧାର୍ଯ୍ୟଲକ୍ଷ୍ୟ ପାଇଁ ମିଲର୍ସଙ୍କ ଚଞ୍ଚକତା

ଡ୍ରାୟର ଓ ହାଣ୍ଡି ଅଧିକ କ୍ଷମତାର ନଲଗାଇ ମିଲିଂ କ୍ଷମତା ବଢ଼ାଇଛନ୍ତି

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଧାନ ଟାର୍ଗେଟ ହାତେଇବା ପାଇଁ ମିଲର୍‌ମାନେ ଚଞ୍ଚକତା କରିଥିବା ଏବେ ସାମ୍‌ନାକୁ ଆସିଲାଣି। ଡ୍ରାୟର ଓ ହାଣ୍ଡି ଅଧିକ କ୍ଷମତାର ନ ଲଗାଇ ମିଲିଂ କ୍ଷମତା ବଢ଼ାଇଥିବା ଅଭିଯୋଗ ହୋଇଛି। ଯୋଗାଣ ବିଭାଗ, ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ଓ ଜିଲ୍ଲା ଶିଳ୍ପ କେନ୍ଦ୍ରର ଭୂମିକା ମଧ୍ୟ ସନ୍ଦେହ ଘେରକୁ ଆସିଛି।

୨୦୧୫-୧୬ ମସିହା ଖରିଫ ଧାନ କ୍ରୟ ବେଳେ କଳାହାଣ୍ଡି ଜିଲ୍ଲାର ରେଙ୍ଗାଲପାଲିର ମା’ ଭୁବନେଶ୍ବରୀ ରାଇସମିଲର ମିଲିଂ କ୍ଷମତା ଗୋଟିଏ ସିଫ୍ଟରେ ପ୍ରତିଘଣ୍ଟାରେ ୩୨.୬୪ କ୍ବିଣ୍ଟାଲ ଥିବାବେଳେ ବର୍ତ୍ତମାନ ୨୦୧୭-୧୮ ଖରିଫରେ ହଠାତ ମିଲିଂ କ୍ଷମତା ୪୩.୫୨ କ୍ବିଣ୍ଟାଲରେ ପହଞ୍ଚିଛି। ସେହିଭଳି ନର୍ଲାରୋଡର କହ୍ନେୟା ଏଗ୍ରୋ ଇଣ୍ଡଷ୍ଟ୍ରିଜର ମିଲିଂ କ୍ଷମତା ୨୦୧୫-୧୬ରେ ୧୬.୩୨ କ୍ବିଣ୍ଟାଲ ଥିବାବେଳେ ୨୦୧୭-୧୮ରେ ୨୭.୨ କ୍ବିଣ୍ଟାଲରେ ପହଞ୍ଚିଛି। ଡୁମେରମୁଣ୍ଡାର ଜୈନ ଏସକେପି ଭେନଚର ପ୍ରାଇଭେଟ ଲିମିଟେଡର ମିଲିଂ କ୍ଷମତା ୨୦୧୫-୧୬ରେ ୩୨.୬୪ କ୍ବିଣ୍ଟାଲ ଥିବା ବେଳେ ୨୦୧୭-୧୮ରେ ୪୩.୫୨ କ୍ବିଣ୍ଟାଲରେ ପହଞ୍ଚିଛି। ବଙ୍ଗମୁଣ୍ଡାର ଜେକେ ଫୁଡ୍ସ ୨୦୧୫-୧୬ରେ ମିଲିଂ କ୍ଷମତା ୨୧.୭୬ କ୍ବିଣ୍ଟାଲ ଥିବାବେଳେ ୨୦୧୭-୧୮ରେ ୨୫.୬ କ୍ବିଣ୍ଟାଲକୁ ବୃଦ୍ଧି ପାଇଛି। ଲଡୁଗାଁର ଗଜଲକ୍ଷ୍ମୀ ଏଗ୍ରୋ ପ୍ରଡକ୍ଟ ମିଲିଂ କ୍ଷମତା ୨୧.୭୬ କ୍ବିଣ୍ଟାଲ ଥବା ବେଳେ ଏବେ ୪୨.୯୮କ୍ବିଣ୍ଟାଲ, ଜୁନାଗଡ ବନମାଳୀପୁରର ରବିନ ଫୁଡ୍ସର ପୂର୍ବରୁ ୨୭.୨୦ କ୍ବିଣ୍ଟାଲ ଥିବାବେଳେ ଏବେ ୪୨.୪୩ କ୍ବିଣ୍ଟାଲ, ଗଜବାହାଲର ସମଲେଶ୍ବରୀ ଫୁଡ ପ୍ରଡକ୍ଟ ପୂର୍ବରୁ ୩୨.୬୪ ଥିବା ବେଳେ ଏବେ ୪୩.୫୨ କ୍ବିଣ୍ଟାଲ, କେସିଙ୍ଗାର ଜିନମାତା ଏଗ୍ରୋର ପୂର୍ବରୁ ୩୨.୬୪ କ୍ବିଣ୍ଟାଲ ଥିବା ବେଳେ ବର୍ତ୍ତମାନ ୪୭.୦୫ କ୍ବିଣ୍ଟାଲ ମିଲିଂ କ୍ଷମତା ରହିଛି। କୁସୁମଖୁଣ୍ଟିର ଶ୍ରୀ ଗଣପତି ରାଇସ ଇଣ୍ଡଷ୍ଟ୍ରିର ପୂର୍ବରୁ ୧୬ କ୍ବିଣ୍ଟାଲ ଥିବ ବେଳେ ଏବେ ୪୭.୧୭ କ୍ବିଣ୍ଟାଲ ଅଛି। ଜୁନାଗଡ଼ର ଓମରାମ ରାଇସମିଲର ମିଲିଂ କ୍ଷମତା ୨୦୧୫-୧୬ରେ ୧୬ କ୍ବିଣ୍ଟାଲ ଥିବା ବେଳେ ବର୍ତ୍ତମାନ ୨୧.୦୮ କ୍ବିଣ୍ଟାଲକୁ ସଂପ୍ରସାରଣ କରାଯାଇଛି। ଏହିଭଳି ବହୁ ରାଇସମିଲ ନିଜର ମିଲିଂ କ୍ଷମତାକୁ ଚଞ୍ଚକତା କରି ବୃଦ୍ଧି କରିଥିବା ଅଭିଯୋଗ ହୋଇଛି। ମିଲିଂ କ୍ଷମତା ଅନୁଯାୟୀ, ଡ୍ରାୟର ଓ ହାଣ୍ଡି କ୍ଷମତା ସଂପ୍ରସାରଣ ହୋଇନାହିଁ। ବିଲିଂ କ୍ଷମତା ବୃଦ୍ଧି ପାଇଁ ଜିଲ୍ଲା ଶିଳ୍ପ କେନ୍ଦ୍ର, ଜିଲ୍ଲା ଯୋଗାଣ ବିଭାଗ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଫ୍ୟାକ୍ଟ୍ରି ଏଣ୍ଡ ବଏଲର ଦ୍ବାରା ମିଳିତ ଭାବେ ଟେଷ୍ଟ ମିଲିଂ କରି ଅନୁମତି ପ୍ରଦାନ କରିଥାନ୍ତି। ଏହି ତିନି ବିଭାଗର ନିଯୁକ୍ତ ଅଧିକାରୀମାନେ ମିଲିଂ ପଏଣ୍ଟକୁ ନ ଯାଇ ଏଭଳି ଚଞ୍ଚକତା କରିବା ଘଟଣା ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।

୪୦ ଟନ ଡ୍ରାୟର ମେସିନ ଦ୍ବାରା ୪ ଟନ ମିଲିଂ କ୍ଷମତା ଥିବା ବେଳେ ୫୦ ଟନ ପାଇଁ ୫ଟନ ଓ ୬୦ ଟନ ପାଇଁ ୬ ଟନ ମିଲିଂ କ୍ଷମତା ଥାଏ। କେସିଙ୍ଗାର କେବଳ ଜୋଲକୋର ଆରକେ ମଡର୍ଣ୍ଣ ରାଇସମିଲର ମିଲିଂ କ୍ଷମତା ଅନୁଯାୟୀ ଡ୍ରାୟର ମେସିନ ଲାଗିଥିବା ବେଳେ ଅନ୍ୟ କୌଣସି ମିଲର ଏଭଳି ଉଚ୍ଚ ସମ୍ପନ୍ନ ଡ୍ରାୟର ମେସିନ ଲାଗିନଥିବା ଅଭିଯୋଗ ହୋଇଛି। ଧାନ ଟାର୍ଗେଟ ହାତେଇବା ପାଇଁ ମିଲ ାନଙ୍କ ଦ୍ବାରା ଏଭଳି ଚଞ୍ଚକତା ନେଇ ବିଭାଗ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ରାଜନେତାଙ୍କ ଚାପ ଯୋଗୁଁ ମୁହଁ ନଖୋଲିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏନେଇ ଜିଲ୍ଲା ଯୋଗାଣ ଅଧିକାରୀ ଶିବ ପ୍ରସାଦ ‌େଦାରାଙ୍କୁ ପଚାରିବାରୁ ‘ମୁଁ ଯୋଗ ଦେବା ପୂର୍ବରୁ ହୋଇ ଥାଇପାରେ, ବର୍ତ୍ତମାନ କାହାରି ମିଲିଂ କ୍ଷମତା ବଢ଼ି ନାହିଁ’ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ କଳାହାଣ୍ଡି ଜିଲ୍ଲାପାଳ ଗାଭାଲି ପରାଗ ହର୍ଷଦଙ୍କୁ ପଚାରିବାରୁ ଏ ନେଇ କ’ଣ ଅନିୟମିତତା ହୋଇଛି ଅନୁଧ୍ୟାନ କରିବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର