ଧାନ କିଣାବିକା କେଳେଙ୍କାରୀ : ଚୋରା ଧାନର ହବ୍ ଯାଜପୁର
ସାନ୍ତୁକା ରାଇସ୍ ମିଲରେ ଚଢ଼ଉ, କର୍ମଚାରୀ ଓ ଅଧିକାରୀ ଫେରାର୍
ଯାଜପୁରରୋ : ଚୋରା ଧାନର ହବ୍ ପାଲଟିଛି ଯାଜପୁର। ଚୋରା ବ୍ୟବସାୟୀମାନେ ଯାଜପୁରକୁ ସୁରକ୍ଷିତ ସ୍ଥାନ ମଣୁଛନ୍ତି। ଲକ୍ଷ ଲକ୍ଷ କୁଇଣ୍ଟାଲ ଚୋରା ଧାନ ଆଣି ଜିଲ୍ଲାର ବିଭିନ୍ନ ମିଲରେ ବ୍ୟବସାୟ ଚଳାଇଛନ୍ତି। ଯାଜପୁର ଜିଲ୍ଲାର ଧାନ କିଣାବିକା କେଳେଙ୍କାରୀର ଚେର ବିଭିନ୍ନ ଜିଲ୍ଲାକୁ ଲମ୍ବିଛି। ଜଗତସିଂହପୁର ଜିଲ୍ଲା ପରେ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ଚୋରା ଧାନ ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ୍ରେ ଥିବା ସାନ୍ତୁକା ଫୁଡ୍ ପ୍ରାଇଭେଟ୍ ଲିମିଟେଡରେ ବିକ୍ରି ହୋଇଥିବା ମହାଦୁର୍ନୀତି ଏବେ ପଦାକୁ ଆସିଛି। ଏହି ରାଇସ୍ ମିଲର ଅଧିକାରୀ ଓ କର୍ମକର୍ତ୍ତାଙ୍କ ସଲାସୁତୁରାରେ ଦୀର୍ଘ ଦିନ ହେଲା ଚୋରା ଧାନ କିଣାବିକା କାରବାର ଚାଲିଥିଲା ବୋଲି ଅଭିଯୋଗ ହେଉଛି। ଏବେ ଏହି ଘଟଣା ଲୋକଲୋଚନକୁ ଆସିବା ପରେ ବିଭିନ୍ନ ମହଲରେ ଆଲୋଡ଼ନ ଖେଳିଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଯାଜପୁରର ହଜାର ହଜାର ଚାଷୀ ଧାନ ବିକ୍ରି କରିନପାରି ଦଲାଲଙ୍କ ଜରିଆରେ ସରକାରୀ ଧାର୍ଯ୍ୟ ମୂଲ୍ୟ ଠାରୁ ୫ଶହ ଟଙ୍କା କମ୍ ରେ ବିକ୍ରି କରୁଥିବା ବେଳେ ମିଲର୍ ମାନେ ଚୋରାରେ ଧାନ ଅନ୍ୟ ଜିଲ୍ଲାରୁ କିଣି ଲକ୍ଷ ଲକ୍ଷ ଟଙ୍କା ମୁନାଫା କରୁଛନ୍ତି। ଜଗତସିଂହପୁର ଜିଲ୍ଲା ପୁଲିସ୍ ଚୋରା ଧାନ ଯାଜପୁରରେ ବିକ୍ରି ହୋଇଥିବା ଘଟଣାର ପର୍ଦ୍ଦାଫାସ କରିବା ସହ ଅଭିଯୁକ୍ତମାନଙ୍କୁ ପଚରାଉଚରାରୁ ବିସ୍ଫୋରକ ତଥ୍ୟ ପଦାକୁ ଆସିଛି। ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି ଥାନା ଅଞ୍ଚଳରେ ଥିବା ଜଗନ୍ନାଥ ରାଇସ ମିଲରୁ ଚୋରି ହୋଇଥିବା ୨୭୩କ୍ବିଣ୍ଟାଲ ଧାନ ସାନ୍ତୁକା ରାଇସ ମିଲ୍ରୁ ଗତ ୩ତାରିଖରେ ଜବତ କରାଯାଇଛି। ଟାଙ୍ଗି ଥାନା ପୁଲିସ ସାନ୍ତୁକା ରାଇସ୍ ମିଲ୍ ଉପରେ ଚଢାଉ କରି ଏହି ଚୋରା ଧାନ ଜବତ କରିଛି। ଏହି ଧାନ ଜଗନ୍ନାଥ ରାଇସ୍ ମିଲ୍ରୁ ବିଶାଖାପାଟନମ୍ ଚାଲାଣ ହେବାକୁ ଥିବା ବେଳେ ଧରାପଡ଼ିଥିଲା। ଗାଡ଼ିରେ ଜାଲ ନମ୍ବର ଲଗାଇ ସାନ୍ତୁକା ରାଇସ୍ ମିଲରେ ଗତ ଡ଼ିସେମ୍ବର ମାସରେ ଏହି ଧାନ ବିକ୍ରି କରାଯାଇଥିଲା ବୋଲି ଟାଙ୍ଗି ଥାନା ଅଧିକାରୀ ସରୋଜ ଉପାଧ୍ୟାୟ ପ୍ରକାଶ କରିଛନ୍ତି।
ସେହିପରି ପୁରୀ ଜିଲ୍ଲାର କଣାସ ଥାନା ପୁଲିସ ଏହି ସନ୍ତୁକା ରାଇସ୍ ମିଲ୍ରେ ୪ତାରିଖରେ ଚଢଉ କରିଥିଲେ। ଏହି ରାଇସ୍ ମିଲ୍ର କେତେକ କର୍ମଚାରୀ ଓ କର୍ମକର୍ତ୍ତା ଚୋରା ବେପାରୀଙ୍କ ସହାୟତାରେ ଲକ୍ଷଲକ୍ଷ ଟଙ୍କାର ଧାନ ହଡ଼ପ କରିଆସୁଥିବା ବେଳେ ଏବେ ଧରାପଡ଼ି ଯାଇଛନ୍ତି।
ସୂଚନା ଯୋଗ୍ୟ ଚାଷୀମାନଙ୍କ ଠାରୁ ଧାନ ନକଣି ଚୋରା ଧାନ କିଣି ବେଶ ଲାଭବାନ ହେଉଥିବା ବେଳେ ଜିଲ୍ଲା ଯୋଗାଣ ବିଭାଗ ଓ ଆରଏମସି ଅଧିକାରୀମାନେ କଣ ପାଇଁ ମିଲ୍ ତନଖି କରୁନାହାନ୍ତି ତାହା ସନ୍ଦେହ ଘେରକୁ ଆସିଛି। ତନଖି ନକରିବା ଫଳରେ କେତେକ ରାଇସ୍ ମିଲ ଚୋରା ଧାନ କିଣିବା ପାଇଁ ପସରା ମେଲାଇ ବସିଛନ୍ତି। ଏବେ ଧରାପଡ଼ିବା ପରେ ଯୋଗାଣ ବିଭାଗ ଓ ଆରଏମସି ମୁହଁ ଲୁଚାଇବାକୁ ଆରମ୍ଭ କରିଛି। ଦୁଇ ଦୁଇଟି ରାଇସ ମିଲରୁ ଲକ୍ଷ ଲକ୍ଷ ଟଙ୍କାର ଚୋରା ଧାନ ଜବତ ପରେ ମଧ୍ୟ ମିଲ୍ ଗୁଡ଼ିକରେ କେତେ ଧାନ ସଂଗ୍ରହ କରାଯାଇଛି ତାହାର ତଦନ୍ତ କାହିଁକି କରାଯାଉନି ବୋଲି ପ୍ରଶ୍ନ ଉଠୁଛି।