‘ଧାନ କିଣା ଦୁର୍ନୀତିରୁ ନଜର ହଟାଇବାକୁ ଚାଲ୍‌ ନୁହେଁ ତ?’

କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତିଙ୍କ ନାଁରେ ଉଠିଲା ଅଭିଯୋଗ

ଭୁବନେଶ୍ୱର : ମହାନଦୀ ପ୍ରସଙ୍ଗ ଉଠାଇ ଶାସକ ଦଳ ସଭ୍ୟମାନେ ପ୍ରଶ୍ନକାଳ ଚଳାଇ ଦେଲେ ନାହିଁ। ଫଳରେ ଗୃହ କାର୍ଯ୍ୟ ଅପରାହ୍ନ ପର୍ଯ୍ୟନ୍ତ ମୁଲତବୀ ରହିଲା। କିନ୍ତୁ ବିରୋଧୀ ଦଳ ଏହା ପଛରେ ଆଉ କିଛି ଯୋଜନା ଥିବାର ସନ୍ଦେହ କରିଛନ୍ତି। କେନ୍ଦ୍ରାପଡ଼ାରେ ଧାନ କିଣା ଦୁର୍ନୀତିରେ ବିଜେଡି ଜିଲ୍ଲା ସଭାପତିଙ୍କ ସଂପୃକ୍ତି ନେଇ ପ୍ରଶ୍ନ ଉଠିବାକୁ ଥିବାରୁ ଶାସକ ଦଳ ସଭ୍ୟମାନେ ମହାନଦୀକୁ ଢାଲ କରି ନାହାନ୍ତି ତ? ଏମିତି ପ୍ରଶ୍ନ ପଚାରି ଶାସକ ଦଳକୁ ଅଡ଼ୁଆରେ ପକାଇଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର।

ଆଜି ଅପରାହ୍ନରେ ଗୃହରେ ଶ୍ରୀ ମିଶ୍ର କହିଲେ, କେନ୍ଦ୍ରାପଡ଼ାରେ ଚାଷୀଙ୍କଠାରୁ କ୍ୱିଣ୍ଟାଲ୍‌ ପିଛା ୮୦୦/୯୦୦ ଟଙ୍କାରେ ଧାନ କିଣାଯାଇ ଏକ ବଡ଼ ଧରଣର ଦୁର୍ନୀତି ହୋଇଛି। ରାଜନଗର ବିଧାୟକ ଏ ନେଇ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ସଚିବଙ୍କୁ ଲିଖିତ ଭାବେ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ବି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ହେଲା, କିନ୍ତୁ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନି। କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତି ଏଥିରେ ସଂପୃକ୍ତ ଥିବାର ଅଭିଯୋଗ ଉଠିଛି। ଆଜି ପ୍ରଶ୍ନକାଳରେ ଯୋଗାଣ ବିଭାଗର ପ୍ରଶ୍ନୋତ୍ତର ଥିବାରୁ ଏହି ପ୍ରସଙ୍ଗ ନିଶ୍ଚିତ ଉଠିଥା’ନ୍ତା। ଏହାକୁ ଏଡ଼ାଇବାକୁ ଶାସକ ଦଳ ଷଡ଼ଯନ୍ତ୍ର କରି ଗୃହ ଅଚଳ କରିନି ତ? ମୋର ଏହି ଆଶଙ୍କା ଭୁଲ୍‌ ଥାଇପାରେ। କିନ୍ତୁ ସରକାରଙ୍କର ଚାଷୀଙ୍କ ପ୍ରତି ଦରଦ ନ ଥିବା ସ୍ପଷ୍ଟ ହୋଇଛି। ଧାନ କିଣା ଦୁର୍ନୀତି ନିଶ୍ଚିତ ଭାବେ ବିଧାନସଭାରେ ଆଲୋଚନା ହେବ। ଏଥିରୁ ସଂପୃକ୍ତ ମନ୍ତ୍ରୀ କେବେ ବି ଖସିଯାଇପାରିବେ ନାହିଁ।

ବିଜେପି ବିଧାୟକ ପ୍ରଦୀପ ପୁରୋହିତ ବି ଅପରାହ୍ନରେ ଧାନ କିଣା ପ୍ରସଙ୍ଗ ଉଠାଇଥିଲେ। ସେ ସିଧାସଳଖ ଯୋଗାଣ ମନ୍ତ୍ରୀଙ୍କ ଉପରେ ଆରୋପ ଲଗାଇଥିଲେ। କହିଥିଲେ, ବରଗଡ଼ରେ କିଛି ମିଲର୍‌ ମନ୍ତ୍ରୀଙ୍କୁ ପଇସା ଦେଇଛନ୍ତି। ସେଥି ପାଇଁ ସରକାରଙ୍କ ଆଦେଶ ବଦଳିଯାଇଛି। ନିର୍ଦ୍ଦିଷ୍ଟ ପରିମାଣରେ ଚାଉଳ ଯୋଗାଇ ନ ଥିଲେ ଆଉ ସେହି ମିଲର୍‌ଙ୍କ ଠାରୁ ଧାନ କିଣାଯିବନି ବୋଲି ସରକାରୀ ନିର୍ଦ୍ଦେଶ ଥିଲା। କିନ୍ତୁ ଏବେ ତାହା ବଦଳିଯାଇଛି। ସେହିପରି ପଦ୍ମପୁର ବିଡିଓ ତୃତୀୟ ମହଲାରେ ୨ ଲକ୍ଷ ଟଙ୍କା ଦେଇ ତାଙ୍କ ବଦଳି ବାତିଲ୍‌ କରିଛନ୍ତି ବୋଲି ସେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର