ଖରିଫ ଧାନ ସଂଗ୍ରହ ଜାରି ରହିବ

ଚାପରେ ଚପିଲେ ଯୋଗାଣ ସଚିବ

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ‌େନଇଥିଲା ନଭେମ୍ବରରୁ ଏପ୍ରିଲ୍ ଯାଏ ଚାଲିବ ଖରିଫ ଧାନ ସଂଗ୍ରହ। କିନ୍ତୁ ଯୋଗାଣ ବିଭାଗ ମୋଡ଼ି ଦେଇଥିଲା କ୍ୟାବିନେଟ୍‌ ନିଷ୍ପତ୍ତିକୁ। ଗତ ୧୩ ତାରିଖରେ ୧୯ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ଫେବ୍ରୁଆରି ୨୮ ତାରିଖ ଧାନ ସଂଗ୍ରହର ଶେଷ ତାରିଖ ବୋଲି ବିଭାଗୀୟ ସଚିବ ଜଣାଇଲେ। ଆଉ ଏଥିପାଇଁ ଆଳ କରିଥିଲେ ଜାନୁଆରି ୩ ତାରିଖରେ ହୋଇଥିବା ଏକ ଭିଡିଓ କନ୍‌ଫରେନ୍ସିଂର ନିଷ୍ପତ୍ତିକୁ।

ଧାନ ମଣ୍ଡିରେ ଗଦା ଗଦା ଧାନ ପଡ଼ି ରହିଥିଲେ ବି ଯୋଗାଣ ସଚିବଙ୍କ ଏହି ଚିଠି ଜିଲ୍ଲା ସ୍ତରରେ ଚାଷୀଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କଲା। ଜନପ୍ରତିନିଧିମାନେ ଏ ନେଇ ସରକାରଙ୍କ ନିକଟରେ ଫେରାଦ ହେଲେ। ଶେଷରେ ସବୁ ଆଡ଼ୁ ଚାପରେ ପଡ଼ି ଯୋଗାଣ ସଚିବ ଆଜି ସାନି ଚିଠି ଲେଖିଛନ୍ତି ୧୯ଟି ଜିଲ୍ଲାକୁ। ନିର୍ଦ୍ଦେଶ ଦେଇଛନ୍ତି, ଖରିଫ ଧାନ ସଂଗ୍ରହ ଜାରି ରହିବ। ଚାଷୀଙ୍କ ଠାରୁ ସବୁ ବଳକା ଧାନ ସଂଗ୍ରହ ଶେଷ ହେବା ପର୍ଯ୍ୟନ୍ତ ମଣ୍ଡି ଖୋଲା ରହିବ।

ପ୍ରଶ୍ନ ଉଠୁଛି, କ୍ୟାବି‌େନଟ୍ ଗୋଟିଏ ନିଷ୍ପତ୍ତି ନେଲା ପରେ ପୁଣି ଭିଡିଓ କନ୍‌ଫରେନ୍ସିଂରେ ସେହି ନିଷ୍ପତ୍ତିକୁ କିପରି ବଦଳାଇ ଦିଆଗଲା? ପୁଣି ଜାନୁଆରି ୩ ତାରିଖରେ ଭିଡିଓ କନ୍‌ଫରେନ୍ସିଂରେ ନିଷ୍ପତ୍ତି ହେବାର ଦେଢ଼ ମାସ ପରେ ବାସ୍ତବ ସ୍ଥିତିକୁ ନ ପରଖି ସଚିବ କିପରି ଧାନ ସଂଗ୍ରହ ବନ୍ଦ କରିବାକୁ ଚିଠି ଲେଖିଲେ? ଯଦି ‌େଫବ୍ରୁଆରି ୨୮ ପରେ ଧାନ ସଂଗ୍ରହର ଆବଶ୍ୟକତା ନ ଥିଲା, ତେବେ ପୁଣି କାହିଁକି ଆଜି ଚିଠି ଲେଖି ମଣ୍ଡି ଖୋଲା ରଖିବାକୁ ନି‌େର୍ଦ୍ଦଶ ଦେଲେ ?

୨୦୧୮ ସେପ୍ଟେମ୍ବରରେ କ୍ୟାବିନେଟ ନିଷ୍ପତ୍ତି ମୁତାବକ ୨୦୧୮-୧୯ ବର୍ଷ ପାଇଁ ଖରିଫ ଧାନ ସଂଗ୍ରହ ନୀତି ଅନୁଯାୟୀ ପଞ୍ଜୀକୃତ ଚାଷୀଙ୍କଠୁ ସମୁଦାୟ ୫୫ ଲକ୍ଷ ମେଟ୍ରିକ ଟନ୍ ଧାନ କିଣା ହେବ ବୋଲି ଧାର୍ଯ୍ୟ କରାଯାଇଥିଲା। ଚାଷୀ ତା ପରିବାର ଖର୍ଚ୍ଚ ପାଇଁ ମହଜୁଦ ରଖିବାକୁ ଥିବା ୩ କ୍ବିଣ୍ଟାଲ ଧାନ ନିୟମରେ କୋହଳ କରି ଏଫଏକ୍ୟୁ ମାନର ଧାନ ଚାଷୀ ଯେତେ ବିକିବାକୁ ଚାହିଁବେ ସେତେ ପରିମାଣର ଧାନ ମଣ୍ଡିରେ ବିକିପାରିବେ ବୋଲି ସରକାର ନିଷ୍ପତ୍ତି ନେଇଥିଲେ। ସେହି ଅନୁଯାୟୀ, ଗତ ନଭେମ୍ବରରୁ ଏପ୍ରିଲ ପର୍ଯ୍ୟନ୍ତ ଖରିଫ ଏବଂ ୨୦୧୯ ମେ ଓ ଜୁନରେ ରବି ଧାନ ସଂଗ୍ରହ ହେବ ବୋଲି ମଧ୍ୟ ଯୋଗାଣ ମନ୍ତ୍ରୀ କହିଥିଲେ। କିନ୍ତୁ ଗତ ୧୩ ତାରିଖରେ ଯୋଗାଣ ସଚିବ ୨ ମାସ ପୂର୍ବରୁ ଅର୍ଥାତ୍ ଫେବ୍ରୁଆରି ୨୮ ତାରିଖ ସୁଦ୍ଧା ୧୯ଟି ଜିଲ୍ଲାରେ ଧାନକିଣା ବନ୍ଦ କରିବାକୁ ଅନୁଗୁଳ, ବାଲେଶ୍ବର, ଭଦ୍ରକ, କଟକ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମାଲକାନଗିରି, ମୟୁରଭଞ୍ଜ, ନୟାଗଡ଼, ପୁରୀ, ରାୟଗଡ଼ା ଏବଂ ସମ୍ବଲପୁର ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ। ମଣ୍ଡି ବନ୍ଦ କରିବା ନେଇ ଗତ ଜାନୁଆରି ୩ ତାରିଖରେ ଅନୁଷ୍ଠିତ ସିଏସ୍‌ଓ, ଡିଆରସି ଓ ଏଆର୍‌ସିଙ୍କ ଭିଡିଓ କନଫରେନସିଂରେ ଏହି ନିଷ୍ପତ୍ତି ହୋଇଥିବା ମଧ୍ୟ ଚିଠିରେ ଜଣାଇଲେ। ଏହା ସହିତ ମାର୍ଚ୍ଚ ପହିଲା ସୁଦ୍ଧା ମଣ୍ଡିରୁ କଷ୍ଟମ୍ ମିଲରମାନେ ଧାନ ଉଠାଇବାକୁ ମଧ୍ୟ ଚିଠିରେ ନିର୍ଦ୍ଦେଶ ଦେଇଥିଲେ।

ଯୋଗାଣ ସଚିବଙ୍କ ଏପରି ଚିଠି ଜିଲ୍ଲା ସ୍ତରରେ ପହଞ୍ଚିବା ପରେ ଚାଷୀଙ୍କ ଭିତରେ ଆଲୋଡ଼ନ ସୃଷ୍ଟି କଲା। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏ ନେଇ ସରକାରଙ୍କୁ ସମାଲୋଚନା କରିବା ପରେ ସୋମବାର ନିଷ୍ପତ୍ତି ବଦଳାଇଛନ୍ତି ଯୋଗାଣ ବିଭାଗ ସଚିବ। ଏ ନେଇ ପିସିସି ସଭାପତି ପ୍ରତିକ୍ରିୟା ରଖି କହିଛନ୍ତି, ଧାନ କିଣା ନେଇ ସରକାରଙ୍କ ଆନ୍ତରିକତା ନାହିଁ। ସେଥିପାଇଁ ବାରମ୍ବାର ତାଙ୍କ ସଚିବ ନିଷ୍ପତ୍ତି ବଦଳାଉଛନ୍ତି। ନିର୍ବାଚନକୁ ଆଖିରେ ରଖି ଚାଷୀଙ୍କୁ ବୋକା ବନାଇବାକୁ ସରକାର ଉଦ୍ୟମ କରୁଥିବା ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ଏ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପ୍ରତିକ୍ରିୟା ନେବାକୁ ଉଦ୍ୟମ ହୋଇଥିଲେ ବି ମନ୍ତ୍ରୀଙ୍କ ସହ ଯୋଗାଯୋଗ ହୋଇପାରିନଥିଲା।

ଖୋଦ ଯୋଗାଣ ବିଭାଗର ତଥ୍ୟ କହୁଛି, ଏବେ ସୁଦ୍ଧା ୧୨ ଲକ୍ଷ ୫୯ ହଜାର ୮୨୯ଜଣ ପଞ୍ଜୀକୃତ ଚାଷୀଙ୍କଠୁ ପି-ପାସ୍ ଜରିଆରେ ୪୫ ଲକ୍ଷ ୭୬ ହଜାର ମେଟ୍ରିକ ଟନ୍ ଧାନ କିଣା ହୋଇଛି। ୩୩୪ଟି ବ୍ଲକରେ ଥିବା ୪ ହଜାର ୧୮୦ଟି ପ୍ରାଥମିକ ସମବାୟ ସମିତି ଓ ୨ ହଜାର ୬୦୬ଟି ଏସଏଚ୍‌ଜି ଜରିଆରେ ଏସବୁ ଧାନ କିଣା ହୋଇଛି।

ସମ୍ବନ୍ଧିତ ଖବର