ଆନ୍ଧ୍ର ଧାନ ଟ୍ରକ୍‌କୁ ଛାଡ଼ିଦେଲା ପ୍ରଶାସନ

ମଣ୍ଡି ବିଭ୍ରାଟରୁ ଗଂଜାମ ଜିଲ୍ଲାରେ ଚାଷୀଙ୍କ ରୋଷ

ବ୍ରହ୍ମପୁର/କୁକୁଡାଖଣ୍ଡି : ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ଧାନକିଣା ନୀତି ଯୋଗୁଁ ଗଂଜାମ ଜିଲ୍ଲାରେ ମହାବିଭ୍ରାଟ ଦେଖାଦେଇଛି। ଅଭାବୀ ବିକ୍ରି ଏବେ ସମଗ୍ର ଜିଲ୍ଲାକୁ ଗ୍ରାସିଥିବା ବେଳେ ପଡ଼ୋଶୀ ରାଜ୍ୟ ଆନ୍ଧ୍ରର ବ୍ୟବସାୟୀ ଏହାର ଫାଇଦା ନେଉଛନ୍ତି। ପ୍ରତିଦିନ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶହ ଶହ ଟ୍ରକ୍‌ ଧାନ ଆନ୍ଧ୍ରକୁ ବେଧଡ଼କ ଚାଲାଣ ହେଉଛି। ରାଜ୍ୟ ଯୋଗାଣ ମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଅବସ୍ଥା ଅସମ୍ଭାଳ ହେଲାଣି। ଓଡ଼ିଶା ସରକାର ଓ ଜିଲ୍ଲା ପ୍ରଶାସନ ଉପରୁ ଯେମିତି ଆସ୍ଥା ହରାଇଛନ୍ତି ଏହି ଅଞ୍ଚଳର ଲୋକେ। ଅବସ୍ଥା ଏଭଳି ହୋଇଛି ଯେ ଲୋକେ ଆନ୍ଧ୍ର ବେପାରୀଙ୍କୁ ସହଯୋଗ କରିବାକୁ ଯାଇ ପ୍ରଶାସନ ସହ ମୁହାଁମୁହିଁ ହେବାକୁ ବି ପଛାଉନାହାନ୍ତି। ଆଜି ଏମିତି ଏକ ଘଟଣାରେ ଏକ ଧାନ ବୋଝେଇ ଆନ୍ଧ୍ର ଟ୍ରକ୍‌କୁ ଲୋକଙ୍କ ଚାପରେ ଯୋଗାଣ ଅଧିକାରୀ ଛାଡ଼ି ଦେବାକୁ ବାଧ୍ୟ ହୋଇଛନ୍ତି। ଏମିତିକି ଏହି ଟ୍ରକ୍‌ରେ ଭଲ ଧାନ ଥିଲେ ବି ଏହା ଏଫ୍‌ଏକ୍ୟୁ ମାନର ନୁହେଁ ବୋଲି ହାତକାଟି ଲେଖିଦେବାକୁ ବାଧ୍ୟ ହୋଇଛନ୍ତି।

ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୁକୁଡାଖଣ୍ଡିରେ ଆଜି କିଛି ଭାଗଚାଷୀ ଆନ୍ଧ୍ର ବ୍ୟବସାୟୀଙ୍କୁ ଧାନ ବିକ୍ରି କରୁଥିଲେ। ନିଜ ନିର୍ବାଚନମଣ୍ଡଳୀ ଅଞ୍ଚଳରୁ ଆନ୍ଧ୍ରକୁ ଧାନ ଚାଲାଣ ହେଉଥିବା ଖବର ପାଇ ମନ୍ତ୍ରୀ ତୁରନ୍ତ ଧାନ ଟ୍ରକ୍‌କୁ ଜବତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀଙ୍କ ନିର୍ଦ୍ଦେଶ ମୁତାବକ କୁକୁଡାଖଣ୍ଡିର ଅତିରିକ୍ତ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଧାନ ଟ୍ରକ୍‌କୁ ଜବତ କରିଥିଲେ। ମାତ୍ର ଏହି ଘଟଣାକୁ ନେଇ ଚାଷୀମାନେ ଉତ୍ତେଜିତ ହୋଇପଡିଥିଲେ। ମଣ୍ଡି ଧାନ ନେଉନାହିଁ; ମାନ ନାହିଁ, ପଞ୍ଜୀକରଣ ହୋଇନାହିଁ ବୋଲି କହି ଧାନ ରଖୁନାହିଁ। ତେଣୁ ସେମାନେ ଆନ୍ଧ୍ର ବ୍ୟବସାୟୀଙ୍କୁ ଧାନ ବିକ୍ରି ନ କଲେ କ’ଣ କରିବେ ବୋଲି ପ୍ରଶ୍ନ କରିଥିଲେ। ଧାନ ବିକ୍ରି ଲାଗି ଅଡ଼ି ବସିଥିଲେ। ଖବର ପାଇଁ ଏସିଏସ୍‌ଓ ପ୍ରଭାକର ପାତ୍ର ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିଥିଲେ। ମାତ୍ର ଚାଷୀମାନେ ନିଜ ଜିଦରେ ଅଟଳ ରହିବା ସହ ଓଲଟି ଯୋଗାଣ ଅଧିକାରୀଙ୍କୁ ଅଟକ ରଖିଥିଲେ। ଏମିତି କି ସେମାନଙ୍କ ଚାପରେ ଯୋଗାଣ ଅଧିକାରୀ ଭଲ ଧାନକୁ ‘ନିମ୍ନମାନର’ ବୋଲି ଲିଖିତ ଭାବେ ଦେଇଥିଲେ। ଯୋଗାଣ ଅଧିକାରୀଙ୍କ ଠାରୁ ଏହି ଲେଖା ମିଳିବା ପରେ ଆନ୍ଧ୍ର ଟ୍ରକ୍‌ ଧାନ ନେଇ ଚାଲି ଯାଇଥିଲା। ପ୍ରଶାସନ ଏହାକୁ ଅଟକାଇବାରେ ବିଫଳ ରହିଥିଲା।

ସମ୍ବନ୍ଧିତ ଖବର