ବିଶାଳ ମୂର୍ତି ନୁହେଁ, ନିଶା ନିବାରଣ ହିଁ ଗାନ୍ଧୀଜୀଙ୍କ ପ୍ରତି ଅସଲ ଶ୍ରଦ୍ଧାଞ୍ଜଳି ହେବ

ରାଜ୍ୟ ସରକାରଙ୍କ ୧୫୦ତମ ଗାନ୍ଧୀ ଜୟନ୍ତୀ କମିଟିରୁ ପଦ୍ମଚରଣ ନାୟକଙ୍କ ଇସ୍ତଫା

ଭୁବନେଶ୍ବର : ଗାନ୍ଧୀଜୀଙ୍କ ୧୫୦ତମ ଜୟନ୍ତୀ ବର୍ଷ ସରିବାକୁ ବସିଛି। ମାତ୍ର କେନ୍ଦ୍ର ସରକାର କୌଣସି ଉଲ୍ଲେଖଯୋଗ୍ୟ ପଦକ୍ଷେପ ନେଲେ ନାହିଁ। ରାଜ୍ୟ ସରକାର ମଧ୍ୟ ଏକ କମିଟି ଗଢ଼ି ୩୫ଟି କାମର ତାଲିକା ପ୍ରକାଶ କଲେ। ସେଇ କମିଟିରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ମତେ ରଖିବାକୁ ନିମନ୍ତ୍ରଣ କରିଥିଲେ। ତେବେ ସରକାରଙ୍କ ନିର୍ଧାରିତ କାର୍ଯ୍ୟକ୍ରମରେ ନିଶା ନିବାରଣ ଭଳି ଗୁରୁତ୍ବପୂର୍ଣ୍ଣ ବିଷୟ ନଥିବାରୁ ମୁଁ ସେଇ କମିଟିରୁ ଇସ୍ତଫା ଦେଲି ବୋଲି କହିଛନ୍ତି ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ସଭାପତି ପଦ୍ମଚରଣ ନାୟକ।

ଶ୍ରୀ ନାୟକଙ୍କ କହିବା ମୁତାବକ, ୩୫ଟି କାର୍ଯ୍ୟକ୍ରମ ମଧ୍ୟରେ ଗାନ୍ଧୀଜୀଙ୍କ ବିରାଟ ମୂର୍ତି ନିର୍ମାଣ ନେଇ ଘୋଷଣା କଲେ। ଅଥଚ ଓଡ଼ିଶାର ୧୯୫୬ ସମ୍ପୂର୍ଣ୍ଣ ନିଶା ନିବାରଣ ଆଇନ ୧୯୫୭ ମସିହାରୁ ଅଚଳ ହୋଇ ପଡ଼ିଥିଲେ ହେଁ ଏଥି ପ୍ରତି ଗୁରୁତ୍ବ ଦେଲେ ନାହିଁ। ସମ୍ବିଧାନର ୪୭ ଧାରାରେ ନିଶା ନିବାରଣ ପାଇଁ ନୀତି ନିର୍ଦେଶିକାରେ ରହିଛି। ଏହାକୁ ତାମିଲନାଡ଼ୁ, ଓଡ଼ିଶା ଓ ବିହାର ଭଳି ରାଜ୍ୟ କାର୍ଯ୍ୟକାରୀ କରିବା ଆରମ୍ଭ କରିଥିଲେ। କିନ୍ତୁ ଅନ୍ୟ ରାଜ୍ୟମାନେ ଏ ଦିଗରେ କିଛି କଲେ ନାହିଁ। ଗତ ଅଗଷ୍ଟ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ସଚିବାଳୟ ନିକଟରେ ଗାନ୍ଧୀଙ୍କ ଉକ୍ତିକୁ ନେଇ ଫଳକ ଲଗାଇଲେ। ଅଥଚ ଗାନ୍ଧୀଙ୍କ ଉକ୍ତିକୁ ଯଥାର୍ଥ ସମ୍ମାନ ଦିଆଗଲା ନାହିଁ। ମଦ ଯୋଗୁଁ ଲୋକଙ୍କ ସଂସାର ଉଜୁଡ଼ି ଯାଉଥିବା, ସେମାନେ ଅଧା ବୟସରୁ ମୃତ୍ୟୁ ମୁଖକୁ ଚାଲି ଯାଉଥିବା, ଝିଅମାନେ ଅଳ୍ପ ସମୟରେ ବିଧବା ହୋଇଯାଉଥିବା ଭଳି ସମସ୍ୟା ଉପୁଜୁଥିଲେ ‌ହେଁ ଏକଥା ଉପରେ ଗୁରୁତ୍ବ ଦିଆଯାଉ ନାହିଁ। ବିଧାନସଭାରେ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବେସରକାରୀ ବିଧେୟକର ଆଲୋଚନା କାଳରେ ଦଳମତ ନିର୍ବିଶେଷରେ ସବୁ ସଦସ୍ୟ କହିଥିଲେ ଯେ ମଦ ରାଜ୍ୟର ସର୍ବନାଶ କରୁଛି। ମାତ୍ର ପରବର୍ତୀ ସମୟରେ ତା’ ଉପରେ ଗୁରୁତ୍ବ ଦିଆଗଲା ନାହିଁ। ସରକାର ଯଦି ଗାନ୍ଧୀଜୀଙ୍କୁ ବାସ୍ତବରେ ଶ୍ରଦ୍ଧା ଅର୍ପଣ କରିବାକୁ ଚାହୁଁଛନ୍ତି ତେବେ ୨୦୧୯ ଅକ୍ଟୋବର ୨ ତାରିଖରୁ ଅଚଳ ହୋଇ ପଡ଼ିଥିବା ନିଶା ନିବାରଣ ଆଇନକୁ ୨୦୨୦ ଏପ୍ରିଲ୍‌ରୁ କାର୍ଯ୍ୟକାରୀ କରିବାକୁ ଘୋଷଣା କରନ୍ତୁ। ବିଳମ୍ବରେ ହେଲେ ମଧ୍ୟ ସରକାର ଏତିକି କରିପାରିଲେ ଗାନ୍ଧୀଜୀଙ୍କ ପ୍ରତି ଏହା ଅସଲ ଶ୍ରଦ୍ଧାଞ୍ଜଳି ହେବ ବୋଲି ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର