ଗୋଲାମୁଣ୍ତା : କେନ୍ଦ୍ର ଓ ରାଜ୍ୟ ସରକାର ଛୋଟ ଛୋଟ ପିଲାଙ୍କୁ ପାଠ ପଢାଇବା ପାଇଁ ଗ୍ରାମା‌ଳରେ ଅଙ୍ଗନୱାଡି କେନ୍ଦ୍ର ଖୋଲିଛନ୍ତି। ହେଲେ ପିଲାଙ୍କ ପାଇଁ ଆବଶ୍ୟକୀୟ ଶ୍ରେଣୀ ଗୃହ ନଥିବାରୁ ଏକ କମ୍ୟୁନିଟି ଗୃହରେ ୨ ବର୍ଷ ହେଲା ପାଠପଢା ଚାଲିଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ତି ଜିଲ୍ଲା ଗୋଲାମୁଣ୍ତା ବ୍ଲକ ପଦ୍ମପୁର ଗ୍ରାମରେ। ଉକ୍ତ ଗ୍ରାମରେ ଥିବା ପୁରୁଣା ଅଙ୍ଗନୱାଡି କେନ୍ଦ୍ର ଦୁଇ ବର୍ଷରୁ ଅଧିକ ହେବ ବିପଦସଙ୍କୁଳ ଅବସ୍ଥାରେ ପଡି ରହିଛି। ଗୃହର ଛାତରେ ଫାଟ ସୃଷ୍ଟି ହେବା ସହ ସାମାନ୍ୟ ବର୍ଷା ହେଲେ ପାଣି ଝରୁଛି। ‌ସେହିପରି ଛାଡ ରଡ଼ ବାହାରି କଂକ୍ରିଟ ମେଟାଲ ଗଳି ପଡୁଛି। ଫଳରେ କୋମଳମତି ଛାତ୍ରଛାତ୍ରୀମାନେ ଅଙ୍ଗନୱାଡି କେନ୍ଦ୍ରକୁ ଆସିବାକୁ ଭୟ କରୁଛନ୍ତି। ଏଥିଯୋଗୁଁ କମ୍ୟୁନିଟି ଗୃହରେ ରୋଷେଇ ଘରର ବ୍ୟବସ୍ଥା ନଥିବାରୁ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବାରଣ୍ତାରେ ପ୍ରସ୍ତୁ୍ତ ହେଉଛି। ବର୍ଷା ହେଲେ ରୋଷେଇ କରିବା ପାଇଁ ନାନା ଅସୁବିଧା ହେଉଛି।

ଏନେଇ ଅଙ୍ଗନୱାଡି କର୍ମୀ ସରୋଜିନୀ ହରିଜନଙ୍କୁ ପଚାରିବାରୁ ସେ କହିଥିଲେ ଅଙ୍ଗନୱାଡିର କେନ୍ଦ୍ର ଗୃହ ବହୁ ପରୁଣା ଓ ବିପଦପୂର୍ଣ୍ଣ ଥିବାରୁ ବାଧ୍ୟ ହୋଇ କମ୍ୟୁନିଟି ଗୃହରେ ପାଠ ପଢାଉଛି ଓ ଏସଂକ୍ରାନ୍ତରେ ପରିଦର୍ଶନରେ ଆସୁଥିବା ସୁପରଭାଇଜରଙ୍କୁ ମଧ୍ୟ ଜଣାଇଛି ବୋଲି କହିଥିଲେ। କମ୍ୟୁନିଟି ଗୃହରେ ପଠପଢା ବିଷୟରେ ଗୋଲାମୁଣ୍ତା ସିଡିପିଓ ପ୍ରିୟାମଞ୍ଜରୀ ସାହୁଙ୍କୁ ଯୋଗାଯୋଗ କରିବାରୁ ଅଙ୍ଗନୱାଡି କେନ୍ଦ୍ର ମରାମତି ବିଷୟରେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି ବୋଲି କହିଥିଲେ। ଉକ୍ତ ଅଙ୍ଗନୱାଡି କେନ୍ଦ୍ର ବିପଦସଙ୍କୁଳ ଅବସ୍ଥାରେ ଥିବା ଓ ଗ୍ରାମରୁ ଅଧା କିଲୋମିଟର ଦୂର କମ୍ୟୁନିଟି ଗୃହକୁ କୋମଳମତି ଛାତ୍ରଛାତ୍ରୀ ପାଠ ପଢିବାକୁ ଯାଉଥିବାରୁ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅଙ୍ଗନବାଡ଼ି ଗୃହ ତୁରନ୍ତ ମରାମତି କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Advertisment