ଶ୍ରୀମନ୍ଦିର ଚଳଚଞ୍ଚଳ, ‘ପହିଲିଭୋଗ’ ନେଲେ ସହସ୍ରାଧିକ ଭକ୍ତ ଓ ଶ୍ରଦ୍ଧାଳୁ

ମା’ ଯଶୋଦାଙ୍କ ଦ୍ୱାରା ପ୍ରଭୁଙ୍କୁ ଦିଆଯାଉଥିବା ବ୍ୟଞ୍ଜନ ହେଉଛି ପହିଲିଭୋଗ

ପୁରୀ: ଧନୁ ସଂକ୍ରାନ୍ତି ଅବସରରେ ଶନିବାର ପ୍ରଭୁ ଶ୍ରୀଜଗନ୍ନାଥଙ୍କ ‘ପହିଲିଭୋଗ’ ନୀତି ସମ୍ପନ୍ନ ହୋଇଛି। ଏହି ଅବସରରେ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ବହୁ ପ୍ରତିକ୍ଷୀତ ପହିଲିଭୋଗର ମହତ୍ୱ ଅନ୍ୟ ଦିନ ମିଳୁଥିବା ଭୋଗ ତୁଳନାରେ ସ୍ୱତନ୍ତ୍ର ସ୍ଥାନ ରହିଛି। ପହିଲି ଭୋଗରେ ଶ୍ରୀମନ୍ଦିରରେ ମିଳିଥିବା ଖେଚୁଡିକୁ ଭକ୍ତ ଅତି ଆନନ୍ଦର ସହିତ ନେଉଥିଲେ। ଏତଦ୍‌ ବ୍ୟତୀତ ଏହି ସ୍ୱତନ୍ତ୍ର ଦିନରେ ମହାପ୍ରଭୁଙ୍କୁ ଅନ୍ୟ ଭୋଗ ମଧ୍ୟ ଅର୍ପଣ କରାଯାଇଥିଲା। ପୂର୍ବରୁ ଗତ ଡିସେମ୍ବର ୨ରେ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ମହାପ୍ରଭୁଙ୍କ ପହିଲି ଭୋଗ ନେଇ ନୀତି ଚୂଡ଼ାନ୍ତ ହୋଇଥିଲା।

ପହିଲି ଭୋଗ କ’ଣ?


ବିଶ୍ୱ ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିରରେ ସକଳ ପ୍ରକାର ନୀତି, ପର୍ବ ପର୍ବାଣି, ଉତ୍ସବ ଇତ୍ୟାଦି ବର୍ଷ ର ବିଭିନ୍ନ ସମୟରେ ପାଳିତ ହେବା ସଂଗେ ସଂଗେ ଅନେକ ପ୍ରକାର ଭୋଗ ଦ୍ରବ୍ୟ ପ୍ରସ୍ତୁତ ହୋଇ ରତ୍ନସିଂହାସନ ରେ ଅଧିଷ୍ଠିତ ମହାପ୍ରଭୁଙ୍କୁ ସମର୍ପିତ ହୋଇଥାଏ। ପୌରାଣିକ ମତ ଅନୁଯାୟୀ ଭାରତର ଚାରିଧାମ ମଧ୍ୟରୁ ‘ଶ୍ରୀକ୍ଷେତ୍ର’ ପରଂବ୍ରହ୍ମଙ୍କର ଭୋଜନ ଧାମ ଭାବରେ ସୁବିଦିତଯଏହି କ୍ଷେତ୍ରରେ ଭୋଗର ପ୍ରାଧାନ୍ୟ ରହିଛିଯବିଭିନ୍ନ ଯାନିଯାତ୍ରା ରେ ସତ୍ୱନ୍ତ୍ର ଭୋଗର ବ୍ୟବସ୍ଥା ମଧ୍ୟ ରହିଛିଯସେଥିପାଇଁ ଯଥାର୍ଥ ରେ କୁହାଯାଇଛି –

ବଡ଼ ଦେଉଳ ରେ ଲାଗିଛି ନାଟ,
ନିଇତି ପୁନିଅ ନିଇତି ହାଟ’

ଶ୍ରୀଜଗନ୍ନାଥ ଙ୍କ ମନ୍ଦିରରେ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ସକାଳ ର ଗୋପଲବଲ୍ଲଭ ଭୋଗ ସହିତ ‘ପହିଲିଭୋଗ’ ଅନୁଷ୍ଠିତ ହୋଇଥାଏ। ଏହି ଦିନ ମାନଙ୍କରେ ରାତ୍ର ଦୁଇଘଡି ଥାଇ ଦ୍ୱାରଫିଟା, ଆଳତି, ଅବକାଶ ହୁଏ। ତାହା ପରେ ଘୋଡ ଓ ଅଳଙ୍କାର ଲାଗି ହୋଇ ବେଶ ହୋଇଥାଏ। ତତ୍ପରେ ଭିତର ବାହାର ଶୋଧ ହୋଇ ଅଣସରପିଣ୍ଡି ଠାରେ ପରଖମାନଙ୍କରେ ବଲ୍ଲଭ ବଢାଯାଇଥାଏ। ଏହାପରେ ଅହ୍ମୁଣିଆ ପାଣି ପଡିବା ଉତ୍ତାରୁ ପହିଲିଭୋଗ ଛେକ ଆସିବା ପାଇଁ ଭୋଗ ଡାକିଯାଏ। ଏ ଭୋଗ ରେ ବିରି ଓ ଗହମ ରେ ଘୃତପାକ ହୋଇଥିବା ପିଠାମାନ ଅଣାଯାଇ ପଞ୍ଚୋପଚାର ରେ ପୂଜା କରାଯାଇଥାଏ। ପହିଲିଭୋଗରେ ଲାଗୁଥିବା ପିଠା ଗୁଡିକ ହେଉଛି – ’ ବଡ଼ ଝିଲି,ଦରସୁଆ ବଡି, ଦରସୁଆ ଝିଲି, ବଡ଼ ବଡ଼ା, କାକେରି, ସାନ ଅମାଲୁ, ନଳୀ, କାକେରା, ଆରିସା, ମୁଗେଇ, ଏଣ୍ଡୁରି, ନଡୁ, ଗଜା, ଖଇର ଚୁଳ, ମଣ୍ଡା, ଚୁଡା ପୁଆ, ବଡ଼ି, କଣ୍ଟେଇ ପ୍ରଭୃତିଯଶ୍ରୀ ମନ୍ଦିର ସତ୍ତ୍ୱଲିପରେ ଏହାର ପରିମାଣ ମଧ୍ୟ ଉଲ୍ଲେଖ କରାଯାଇଛି। ଏ ସବୁ ଦ୍ରବ୍ୟ ପାକ କରିବାକୁ ସୁବିଧା ହେବାପାଇଁ ଏହି ଦିନମାନଙ୍କରେ ମଂଗଳଆଳତି ପରେ ହିଁ ରୋଷହୋମ ଅନୁଷ୍ଠିତ ହୋଇଥାଏ।

ସାମାଜିକ ଜୀବନରେ ‘ପହିଲି ଭୋଗ’ର ପ୍ରଭାବ

ସାମାଜିକ ଜୀବନକୁ ‘ପହିଲିଭୋଗ’ ନୀତି ପଭାବିତ କରିଛି। ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଛାଡ଼ି ମା’ ଲକ୍ଷ୍ମୀ ଯେମିତି ନିଜ ବାପ ଘରକୁ ଗୋଟିଏ ମାସ ପାଇଁ ଯାଆନ୍ତି, ସେହିଭଳି ପୁରୀ ଜିଲ୍ଲାର ଝିଅ ବୋହୂମାନେ ମଧ୍ୟ ଅନ୍ୟ ସ୍ଥାନରୁ ନିଜ ବାପ ଘରକୁ ଆସିଥାନ୍ତି। ଯଦିଓ ମା’ ଲକ୍ଷ୍ମୀ ଗୋଟିଏ ମାସ ପାଇଁ ବାପ ଘରକୁ ଯାଆନ୍ତି, ପୁରୀର ଝିଅ ବୋହୂମାନେ ଶାଶୁଘରର ପରିସ୍ଥିତିକୁ ଦେଖି ବାପ ଘରକୁ ଆସିଥାନ୍ତି। ପୁରୀର ଝିଅ ବୋହୂମାନେ କେତେ ଦିନ ପାଇଁ ନିଜ ମା’ ଘରକୁ ଆସନ୍ତି, ତାହା ବଡ଼ କଥା ନୁହେଁ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ, ପରଂପରା ଜୀବିତ ଅଛି।

ପୌରାଣିକ ପୃଷ୍ଠଭୂମି

ପହିଲିଭୋଗ ଉତ୍ପତ୍ତିର ସମୟ ଓ କାରଣ ସମ୍ପର୍କରେ ବିଭିନ୍ନ ପ୍ରକାର କିମ୍ବଦନ୍ତୀ ଶୁଣିବାକୁ ମିଳେ। ସ୍କନ୍ଧ ପୁରାଣ, ଶ୍ରୀମନ୍ଦିରର ବିଭିନ୍ନ ପର୍ବପର୍ବାଣି ସମ୍ବନ୍ଧରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଥିବା ‘ବାମଦେବ ସଂହିତା’ ଓ ‘ନୀଳାଦ୍ରି ମହୋଦୟ’ ରେ ମଧ୍ୟ ପହିଲିଭୋଗର କୌଣସି ବିବରଣ ନାହିଁ। ଏଥିରୁ ଅନୁମତି ହୁଏ ଯେ ପହିଲିଭୋଗର ପ୍ରଚଳନ ଅର୍ବାଚିନ କାଳରେ ହିଁ ହୋଇଛିଯକିନ୍ତୁ ଆଲୋଚକ ଶ୍ରୀ ଆଶୁତୋଷ ନାୟକ ଭକ୍ତ କବି ମାଧବୀ ଦାସୀଙ୍କ ଧନୁ ମାସର ପହିଲିଭୋଗ ବର୍ଣ୍ଣନାତ୍ମକ ଏକ ରଚନା ଉଦ୍ଧାରକରି ଏହି ପହିଲିଭୋଗ ଖ୍ରୀଷ୍ଟିୟ ୧୬ଶ ଶତାବ୍ଦୀରେ ପ୍ରଚଳିତ ଥିବାର ପ୍ରତିପାଦନ କରିଛନ୍ତି। ଏଥିରେ ମାତା ଯଶୋଦା ରାତି ନ ପାହୁଣୁ, କାଉ କା ନକରୁଣୁ ଶ୍ରୀକୃଷ୍ଣଙ୍କୁ ବିଭିନ୍ନ ଲଘୁ ଦ୍ରବ୍ୟ ଭୁଂଯାଇ ଦିଅନ୍ତି। ଅତଏବ ଏହି ଭୋଗ ହେଉଛି ମାତା ଯଶୋଦା ଙ୍କର ପୁତ୍ର ପ୍ରତି ବାତ୍ସଲ୍ୟ ସ୍ନେହ ତଥା ନୈସର୍ଗିକ ପ୍ରେମ ର ନିଦର୍ଶନ ଏବଂ ଏହା ଶ୍ରୀମନ୍ଦିରରେ ବୋହୁ ପ୍ରାଚୀନ କାଳରୁ ପ୍ରଚଳିତ ବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି। ଏ ସମ୍ପର୍କୀୟ ପୌରାଣିକ ଆଖ୍ୟାନକୁ ଅବତାରଣା କରି ସେ ଲେଖିଛନ୍ତି ଯେ, ଏକଦା ଦ୍ୱାରକା ରେ ମାତା ଯଶୋଦାଙ୍କ ସ୍ମୃତିରେ ବ୍ୟାକୁଳିତ ହୋଇ ବାଳଗୋପାଳ ରୂପ ଧାରଣ କରିଥିବାବେଳେ ନାରଦ ସେଠାରେ ଉପସ୍ଥିତ ହୋଇ ତାହାର ରହସ୍ୟ ଜିଜ୍ଞାସା କରିଥିଲେ। ଉତ୍ତରରେ ଶ୍ରୀକୃଷ୍ଣଙ୍କ ଦ୍‌ାରା ପ୍ରେରିତ ହୋଇ ନାରଦ ଗୋପପୁରକୁ ଯାଇ ମା ଯଶୋଦା ଙ୍କ ଦୁଇ କୋଳ ରେ ବଳରାମ ଓ କୃଷ୍ଣ ଦୁଇ ଭାଇ ଙ୍କୁ ବସି ଆନନ୍ଦରେ ନାନା ସୁମିଷ୍ଟ ଦ୍ରବ୍ୟ ଭୋଜନ କରୁଥିବାର ଦେଖିଲେ। ଶ୍ରୀଜଗନ୍ନାଥଙ୍କ ‘ପହିଲିଭୋଗ’ ଏହାର ସ୍ମାରକୀ। ପୌରାଣିକ ଭିତ୍ତିଭୂମି ଅନୁଯାୟୀ ଦ୍ୱାପର ଯୁଗରେ ଯଶୋଦା ଙ୍କର ପୁତ୍ର ବାତ୍ସଲ୍ୟର ପ୍ରମାଣ ସ୍ୱରୂପ ରୁକ୍ମଣୀ(ଲଷ୍ମୀ)ଙ୍କ ପିତୃ ଗୃହ ଗମନ ହେତୁ ପହିଲିଭୋଗ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର