ଜଟିଳ ହେଉଛି ନିଯୋଗ-ପ୍ରଶାସନ ବିବାଦ : ପହିଲି ଭୋଗ ଆରମ୍ଭରୁ ବିଭ୍ରାଟ

୩ ଘଣ୍ଟା ବିଳମ୍ବ ହେଲା ନୀତି, ସାଢ଼େ ୯ଟାରେ ସରିଲା ପହିଲି ଭୋଗ

ପୁରୀ : ପାଳିଆ ପୁରସ୍କାରକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ବିଭିନ୍ନ ନିଯୋଗ ଭିତରେ ଚାଲିଥିବା ବିବାଦ ଜଟିଳ ରୂପ ନେବାରେ ଲାଗିଛି। ଯାହାର ସିଧାସଳଖ ପ୍ରଭାବ ଆଜି ପହିଲି ଭୋଗରେ ପଡ଼ିଛି। ଆଜିଠାରୁ ଶ୍ରୀମନ୍ଦିରରେ ପହିଲି ଭୋଗ ଆରମ୍ଭ ହୋଇଥିବା ବେଳେ ଆରମ୍ଭରୁ ନୀତି ବିଭ୍ରାଟ ଦେଖାଦେଇଛି। ଯେଉଁଥିପାଇଁ ରାତି ୩ଟାରେ ହେବାକୁ ଥିବା ଦ୍ବାରଫିଟା ନୀତି ୧ ଘଣ୍ଟା ୩୫ ମିନିଟ ବିଳମ୍ବରେ ଆରମ୍ଭ ହୋଇଛି। ସେହିପରି ସକାଳ ୬ଟା୫୦ରେ ସରିବାକୁ ଥିବା ପହିଲି ଭୋଗ ପ୍ରାୟ ୩ ଘଣ୍ଟା ବିଳମ୍ବରେ ଶେଷ ହୋଇଛି। ଅନ୍ୟାନ୍ୟ ନୀତି ବି ବିଳମ୍ବିତ ହୋଇଛି। ଶ୍ରୀମନ୍ଦିର ପହିଲି ଭୋଗ ନୀତି ମାସେ ପର୍ଯ୍ୟନ୍ତ ଅର୍ଥାତ୍ ଜାନୁଆରି ୧୩ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଆରମ୍ଭରୁ ଏଭଳି ବିଭ୍ରାଟ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି।

ପୂର୍ବରୁ ନୀତି ସବ୍‌କମିଟି ବୈଠକ ଓ ଗତକାଲି ଛତିଶା ନିଯୋଗ ବୈଠକ ପରେ ପହିଲି ଭୋଗ ନୀତି ଚୂଡ଼ାନ୍ତ ହୋଇଥିଲା। ନୀତି ନିର୍ଘଣ୍ଟ ଅନୁଯାୟୀ, ନୂଆବର୍ଷ ଯୋଗୁ ଡିସେମ୍ବର ୩୧ ପହୁଡ଼ ଓ ପରେ ଦ୍ବାରଫିଟା ନୀତିରେ ସାମାନ୍ୟ ପରିବର୍ତନକୁ ବାଦ୍‌ ଦେଲେ ବାକି ସବୁଦିନର ନୀତି ସମାନ ରହିଥିଲା। ଚୂଡ଼ାନ୍ତ ନୀତି ଅନୁସାରେ, ରାତି ୩ଟାରେ ଦ୍ବାରଫିଟା ଓ ରାତି ୧୧ଟାରେ ପହୁଡ଼ କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଅନ୍ୟାନ୍ୟ ନୀତି ଚୂଡ଼ାନ୍ତ ହୋଇଥିଲା। କିନ୍ତୁ ନୀତିରେ ପ୍ରାୟ ଦେଢ଼ ଘଣ୍ଟାରୁ ୩ ଘଣ୍ଟା ବିଳମ୍ବ ହୋଇଛି।

ଗତକାଲି ରାତି ସାଢ଼େ ୧୨ଟାରେ ପହୁଡ଼ ପରେ ଆଜି ରାତି ୩ଟା ବଦଳରେ ଭୋର ୪ଟା ୩୫ରେ ଦ୍ବାରଫିଟା ନୀତି ଅନୁଷ୍ଠିତ ହୋଇଛି। ସେହିପରି ଭୋର ୫ଟା ୧୫ରେ ଭିତର ଶୋଧ, ୫ଟା ୨୦ରେ ମଙ୍ଗଳ ଆଳତି, ୫ଟା ୨୫ରେ ମଇଲମ, ୫ଟା ୩୫ରେ ରୋଷହୋମ, ୬ଟା୫ରେ ତଡ଼ପଲାଗି, ୭ଟାରେ ଅବକାଶ ନୀତି ସଂପନ୍ନ ହୋଇଛି। ସକାଳ ୬ଟା୨୦ରୁ ୬ଟା ୫୦ ଭିତରେ ପହିଲି ଭୋଗ ନୀତି ଶେଷ ହେବ ବୋଲି ଚୂଡ଼ାନ୍ତ ହୋଇଥିବା ବେଳେ ଆଜି ସାଢ଼େ ୯ଟାରେ ଏହି ‌ନୀତି ଶେଷ ହୋଇଛି। ସକାଳ ୮ଟାରେ ବେଶ ଶେଷ ହୋଇଛି। ପୂର୍ବାହ୍ଣ ୧୧ଟାରେ ସକାଳ ଧୂପ, ଅପରାହ୍ଣ ଗୋଟାଏ ୪୫ରେ ଭୋଗମଣ୍ଡପ ଶେଷ ହୋଇଥିବା ବେଳେ ମଧ୍ୟାହ୍ନ ଧୂପ ଅପରାହ୍ଣ ୩ଟା ୫ରେ ଶେଷ ହୋଇଛି। ସେହିପରି ଦ୍ବିତୀୟ ଭୋଗମଣ୍ଡପ ଅପରାହ୍ଣ ୪ଟା ୫୦ରେ ଶେଷ ହୋଇଛି। ରାତି ପହୁଡ଼ରେ ବି ଆଜି ବିଳମ୍ବ ହୋଇଛି। ରାତି ୧୧ଟାରେ ପହୁଡ଼ ହେବାକୁ ଥିବାବେଳେ ରାତି ୧୨ଟା ପରେ ଶ୍ରୀମନ୍ଦିରରେ ପହୁଡ଼ ହୋଇଛି।

ସୂଚନା ଅନୁସାରେ, ନିକଟରେ ଶ୍ରୀମନ୍ଦିର ପ୍ରଶାସନ ନିଯୋଗର ନୂଆ କର୍ମକର୍ତା ଚୟନ ପାଇଁ ବିଭିନ୍ନ ନିଯୋଗକୁ ଚିଠି କରିଥିଲା। ଯେଉଁମାନେ କର୍ମକର୍ତା ପରିବର୍ତନ ନକରିବେ ସେମାନଙ୍କୁ ପାଳିଆ ପୁରସ୍କାରରୁ ବାଦ୍ ଦିଆଯିବ ବୋଲି ସିଧାସଳଖ ଚେତାବନୀ ଦିଆଯାଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଏହି ଚିଠି ପରେ କିଛି ନିଯୋଗ ଜବାବ ରଖିଥିବା ବେଳେ ବାକି କିଛି ଜବାବ ରଖିନାହାନ୍ତି। ଯେଉଁମାନେ ଚିଠିର ଉତ୍ତର ରଖିନାହାନ୍ତି, ସେମାନଙ୍କ ପାଳିଆ ପୁରସ୍କାର ବନ୍ଦ ରଖାଯାଇଛି। ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ବିଭିନ୍ନ ନିଯୋଗ ଭିତରେ ବିବାଦ ଲାଗି ରହିଛି। ଗତକାଲି ୫ ପ୍ରମୁଖ ନିଯୋଗ ଛତିଶା ନିଯୋଗ ବୈଠକରେ ଯୋଗ ନଦେଇ ଏହାର ପ୍ରତିବାଦ ଜଣାଇଥିଲେ। ଆଜି ପୁନର୍ବାର ଏମାନେ ଅସହଯୋଗ କରିଥିବା ଜଣାପଡ଼ିଛି। ଯାହା ଦ୍ବାରା ନୀତି ବିଳମ୍ବ ହୋଇଛି।

ଅନ୍ୟପଟେ ଆଜି ପହିଲି ଭୋଗ ଯୋଗୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଲକ୍ଷାଧିକ ଭକ୍ତ ଆଜି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ମହାଲକ୍ଷ୍ମୀ ବାପ ଘରକୁ ଯାଇଥିବାରୁ ଆଜିଠାରୁ ମାଆଙ୍କ ହାତରନ୍ଧା ଅବଢ଼ା ମହାପ୍ରଭୁଙ୍କୁ ଲାଗି ହୋଇଛି। ଏହି ଦୃଷ୍ଟିରୁ ପହିଲି ଅବଢ଼ା ନେବାକୁ ଆନନ୍ଦ ବଜାରରେ ଗହଳି ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର