ସାଲେପାଲି ଏନ୍‌କାଉଣ୍ଟର : ଜଣେ ମହିଳା ମାଓବାଦୀ ସହ ୨ ମୃତ

୨ ବନ୍ଧୁକ, ୪୩ ଜୀବନ୍ତ ଗୁଳି, ମାଓ ସାମଗ୍ରୀ ଜବତ

ବରଗଡ଼/ପାଇକମାଳ : ମଂଗଳବାର ରାତିରେ ସାଲେପାଲି ଜଂଗଲରେ ହୋଇଥିବା ଏନ୍‌କାଉଣ୍ଟରରେ ଜଣେ ମହିଳା ମାଓବାଦୀଙ୍କ ସମେତ ୨ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ବନ୍ଧୁକ, ଜୀବନ୍ତ ଗୁଳି ଏବଂ ବିଭିନ୍ନ ମାଓ ସାମଗ୍ରୀ ଜବତ ହୋଇଛି ବୋଲି ପାଇକମାଳ ଥାନାରେ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍ତରାଂଚଳ ଆଇଜି ସୁଶାନ୍ତ ନାଥ ସୂଚନା ଦେଇଛନ୍ତି।

ଘଟଣା ସଂପର୍କରେ ଅତିରିକ୍ତ ତଥ୍ୟ ଦେଇ ଶ୍ରୀ ନାଥ କହିଲେ, ପାଇକମାଳ ଠାରୁ ମାତ୍ର ୨ କିଲୋମିଟର ଦୂରରେ ଥିବା ସାଲେପାଲି ଗାଁରେ ମାଓ ଗତିବିଧି ଥିବା ପୁଲିସ୍‌କୁ ସୂଚନା ମିଳିଥିଲା। ଖବର ପାଇ ରାତିରେ ପାଇକମାଳ ଥାନା ଅଧିକାରୀ ପ୍ରକାଶ କର୍ଣ୍ଣ ଏବଂ ୪ଜଣ କନଷ୍ଟେବଳ ତନାଘନା ପାଇଁ ବାହାରିଥିଲେ। ହେଲେ ଗାଁକୁ ପହଂଚିବା ପୂର୍ବରୁ ପୁଲିସ୍‌ ଉପରେ ମାଓବାଦୀମାନେ ଆଖିବୁଜା ଗୁଳି ଚଳାଇଥିଲେ। ଏହାପରେ ପାଇକମାଳରେ ମୁତୟନ ଥିବା ସିଆର୍‌ପିଏଫ୍‌ ଯବାନ ମାନେ ତୁରନ୍ତ ଘଟଣାସ୍ଥଳକୁ ପହଂଚିଥିଲେ। ଉଭୟ ପକ୍ଷରୁ ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିଲା। ଯବାନଙ୍କ ଗୁଳିରେ ଜଣେ ମହିଳା ଏବଂ ଜଣେ ପୁରୁଷ ମାଓବାଦୀ ଟଳି ପଡ଼ିଥିଲେ। ହେଲେ ଅନ୍ୟମାନେ ଛତ୍ରଭଂଗ ଦେଇ ଜଂଗଲ ଭିତରକୁ ପଳାଇଥିଲେ।

ମୃତ ମାଓବାଦୀ ଦ୍ୱୟ ସେମାନେ ବରଗଡ଼-ବଲାଙ୍ଗୀର-ମହାସମୁନ୍ଦ ଡିଭିଜନ୍‌ର ସଦସ୍ୟ ବୋଲି ସନ୍ଦେହ କରାଯାଉଛି। ସେମାନଙ୍କ ପରିଚୟ ବର୍ତମାନ ଯାଏଁ ମିଳିନାହିଁ। ମାଓବାଦୀଙ୍କ ଶବ ଜବତ କରିବା ସହ ଗନ୍ଧମାର୍ଦ୍ଦନ ପାହାଡ଼ରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ବର୍ତମାନ ପ୍ରାୟ ୧୦/୧୨ଜଣ ମାଓବାଦୀଙ୍କ ଦଳ ଜଂଗଲରେ ଥିବା ଅନୁମାନ କରାଯାଉଛି। ଏହି ଅପରେସନରେ ୨/୩ଜଣ ସିଆର୍‌ପିଏଫ୍‌ ଯବାନ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ଗୋଟିଏ ଏସ୍‌ଏଲ୍‌ଆର୍‌, ଗୋଟିଏ ରାଇଫଲ୍‌, ୪୩ଟି ଜୀବନ୍ତ, ୩୯ଟି ଖୋକା, ୨୦,୧୦୦ ଟଙ୍କା, ମୋବାଇଲ୍‌ ସହ ବିଭିନ୍ନ ମାଓ ସାମଗ୍ରୀ ଜବତ ହୋଇଛି।

ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ଏସ୍‌ପି ଯୁଗଳ କିଶୋର, ପଦ୍ମପୁର ଏସଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡା, ସିଆରପିଏଫ୍‌ କମାଣ୍ଡାଣ୍ଟ ପ୍ରମୁଖ ଉପସ୍ଥିତ ଥିଲେ। ମାଓବାଦୀ ଦ୍ୱୟଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଦ୍ମପୁର ମେଡିକାଲ ପଠାଯାଇଛି। ଏନେଇ ପାଇକମାଳ ଥାନାରେ ନମ୍ବର ୧୪୯ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର