ପାଳଲହଡ଼ା ପାଇଁ କସରତ : ଚର୍ଚ୍ଚାରେ ଧର୍ମେନ୍ଦ୍ରଙ୍କ ପତ୍ନୀ

ପାଳଲହଡ଼ା, (ରଘୁନନ୍ଦନ ଆଚାର୍ଯ୍ୟ): ନିର୍ବାଚନ ଯେତିକି ପାଖେଇ ଆସୁଛି, ପାଳଲହଡ଼ା ବିଧାନସଭା କ୍ଷେତ୍ରରେ ରାଜନୈତିକ ତାତି ସେତିକି ବଢ଼ିବାରେ ଲାଗିଛି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ ପାଳଲହଡ଼ାରୁ ବିଧାନସଭାକୁ ଯାଇ ନିଜର ରାଜନୈତିକ ଇଂନିସ ଆରମ୍ଭ କରିଥିଲେ। ତାଙ୍କୁ ବିଜେପିର ଅଘୋଷିତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି କୁହାଯାଉଥିବା ବେଳେ ସେ ନିଜେ କିନ୍ତୁ ବିଧାନସଭା ନିର୍ବାଚନ ଲଢ଼ିବା ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି। ତେବେ ଏଥର ଧର୍ମେନ୍ଦ୍ର ଏହି ଆସନରୁ ନିଜେ ପ୍ରତିଦ୍ବନ୍ଦ୍ବିତା ନକରି ତାଙ୍କ ପତ୍ନୀ ମୃଦୁଳା ଠାକୁର ପ୍ରଧାନଙ୍କୁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବେ ବୋଲି ଏବେ ଚର୍ଚ୍ଚା ଜୋର ଧରିଛି।

ପାଳଲହଡ଼ା ବିଧାନସଭା କ୍ଷେତ୍ର ପାଇଁ ଏପର୍ଯ୍ୟନ୍ତ ୧୫ ଥର ନିର୍ବାଚନ ହୋଇଥିବା ବେଳେ କଂଗ୍ରେସ ସର୍ବାଧିକ ୮ଥର ଏଠାକାର ଶାସନ ଡୋରି ଧରିଛି। ଗଣତନ୍ତ୍ର ପରିଷଦ, ଜନ କଂଗ୍ରେସ, ଜନତା ଦଳ ଏବଂ ସ୍ବାଧୀନ ପ୍ରାର୍ଥୀ ଥରେ ଲେଖାଏଁ ଜିତିଛନ୍ତି। ଗତ ଦୁଇଟି ନିର୍ବାଚନରେ ଏଠାରୁ ବିଜେଡିର ବିଜୟ ହୋଇଛି। କେବଳ ୨୦୦୦ ମସିହା ନିର୍ବାଚନରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଜୟ ଯୋଗୁଁ ଏହି ଆସନ ଥରେ ବିଜେପି ଖାତାକୁ ଯାଇଛି। ତେବେ ୨୦୦୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରବିନାରାୟଣ ପାଣିଙ୍କଠାରୁ ଧର୍ମେନ୍ଦ୍ର ୫,୧୬୭ ଭୋଟରେ ପରାଜିିତ ହୋଇଥିଲେ। ଶ୍ରୀ ପାଣିଙ୍କୁ ୪୦,୯୮୦ଟି ଭୋଟ ମିଳିଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନ ୩୫,୫୧୩ଟି ଭୋଟ ପାଇଥିଲେ। ପାଳଲହଡ଼ା ବ୍ଲକର ୨୬ଟି ଓ କଣିହାଁ ବ୍ଲକର ୧୯ଟି ପଞ୍ଚାୟତକୁ ‌ନେଇ ଗଠିତ ପାଳଲହଡ଼ା ବିଧାନସଭା କ୍ଷେତ୍ରରେ ୨୦୧୪ ନିର୍ବାଚନରେ ବିଜେପିର ତିନିଥରିଆ ତାଳଚେର ବିଧାୟକ ମହେଶ ସାହୁ ବିଜେଡି ଟିକେଟରେ ପାଳଲହଡ଼ାରୁ ନିର୍ବାଚନ ମଇଦାନକୁ ଓହ୍ଲାଇ ଥିଲେ। ମହେଶ ୪୪,୨୬୪ଟି ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ଅଶୋକ ମହାନ୍ତିଙ୍କୁ ୩୮,୯୭୦ଟି ଭୋଟ ମିଳିଥିଲା। କ˚ଗ୍ରେସ ପ୍ରାର୍ଥୀ ସୁବୋଧ ପାଣିଙ୍କୁ ମାତ୍ର ୧୮,୪୮୭ଟି ଭୋଟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଗତ ପ˚ଚାୟତ ନିର୍ବାଚନରେ ପାଳଲହଡ଼ା ବିଧାନସଭା କ୍ଷେତ୍ରର ୫ଟି ଜିଲ୍ଲା ପରିଷଦ ଜୋନରୁ ୪ଟି ବିଜେପି ଖାତାକୁ ଯାଇଥିବା ବେଳେ ୨ଟି ପଞ୍ଚାୟତ ସମିତି ଅଧୢକ୍ଷ ପଦ ମଧୢ ବିଜେପି ଅକ୍ତିଆର କରିଛି।

ବର୍ତ୍ତମାନର ବିଧାୟକ ତଥା ଅନୁଗୁଳ ଜିଲ୍ଲା ଯୋଜନା ବୋର୍ଡ ଅଧୢକ୍ଷ ମହେଶ ସାହୁଙ୍କୁ ପୁନର୍ବାର ବିଜେଡି ଏଠାରୁ ପ୍ରାର୍ଥୀ କରିବ ବୋଲି କୁହାଯାଉଛି। ତେବେ ରବିନାରାୟଣ ପାଣି, ଜଗମୋହନ ପ୍ରଧାନ, ସୁଦର୍ଶନ ବେହେରା, ଇଂ. ସନ୍ଦୀପ ପ୍ରଧାନ, ଡ. ସନ୍ତୋଷ ଦେହୁରୀ ପ୍ରମୁଖ ବିଜେଡି ଟିକେଟ ପାଇଁ ଲବି କରୁଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ପାଳଲହଡ଼ା ପ˚ଚାୟତ ସମିତି ଅଧୢକ୍ଷ ଯୁବନେତା ମୁକେଶ କୁମାର ପାଳ ଓ ଅଶୋକ ମହାନ୍ତି ବିଜେପି ଟିକେଟ ପାଇଁ ଆଶାୟୀ ରହିଛନ୍ତି। ‌ଜଣକୁ ଟିକେଟ ମିଳିଲେ ଅନ୍ୟ ଜଣେ ନେତା ଅସନ୍ତୁଷ୍ଟ ହେବା ସ୍ବାଭାବିକ। ଏହାର ପ୍ରଭାବ ଦଳ ପାଇଁ ମହଂଗା ସାବ୍ୟସ୍ତ ବି ହୋଇପାରେ। ଧର୍ମେନ୍ଦ୍ରଙ୍କ ନିଜ ନିର୍ବାଚନମଣ୍ଡଳୀରୁ ବିଜେପି ହାରିଲେ ଖରାପ ବାର୍ତ୍ତା ଯିବ। ତେଣୁ କୌଣସି ସ୍ଥିତିରେ ବି ବିଜେପି ନିର୍ବାଚନ ଜିତିବାକୁ ଚାହୁଁଛି। ଧର୍ମେନ୍ଦ୍ରଙ୍କ ଧର୍ମପତ୍ନୀ ମୃଦୁଳା ଠାକୁର ପ୍ରଧାନଙ୍କୁ ପ୍ରାର୍ଥୀ କରାଗଲେ ଦଳରେ ଗୋଷ୍ଠୀ ବିବାଦ ରହିବ ନାହିଁ । ବିଜେପିର ବାଜିମାତ୍ ପାଇଁ ଉଭୟ ମୁକେଶ ଓ ଅଶୋକ ଗୋ‌‌ଷ୍ଠୀ ପ୍ରାଣପଣେ ଚେ‌ଷ୍ଟା କରିବେ ବୋଲି ଦଳୀୟ କର୍ମୀ ମହଲରେ ଆଲୋଚନା ହେଉଛି। ସେହିଭଳି ଗତ ଦୁଇଟି ନିର୍ବାଚନରେ ବିଜେଡି ଜିତି ଆସୁଥିବା ଏହି ଆସନରେ ବିଜୟ ଧାରା ବଜାୟ ରଖିବା ଏବଂ କଂଗ୍ରେସ ନିଜର ପୁରୁଣା ଗଡ଼କୁ ପୁଣି ଥରେ ଅକ୍ତିଆର କରିବା ପାଇଁ ସବୁ ସମ୍ଭବ ପ୍ରୟାସ କରିବ ବୋଲି ଚର୍ଚ୍ଚା ଚାଲିଛି। ସୁବୋଧ ପାଣି ଓ ସୁବ୍ରତ ଗଡ଼ାନୟକଙ୍କ ନାମ ପ୍ରଦେଶ କଂଗ୍ରେସ ପକ୍ଷରୁ ଏଆଇସିସିକୁ ସୁପାରିସ କରାଯାଇଥିବା ବେଳେ ବରିଷ୍ଠ ନେତା ଫକୀର ମୋହନ ସାମଲ ମଧ୍ୟ ଦଳୀୟ ଟିକେଟ ପାଇଁ ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର