ପଞ୍ଚାୟତିରାଜ ବିଭାଗର ୧୩୭୨୭.୭୫ କୋଟିର ଖର୍ଚଦାବି ପାରିତ : ଦୁର୍ନୀତି, ପାଣି, ରାସ୍ତା ସମସ୍ୟା ନେଇ ଗର୍ଜିଲେ ବିରୋଧୀ

ଭୁବନେଶ୍ୱର : ଆଜି ବିଧାନସଭାରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ୧୩୭୨୭ କୋଟି ୭୫ ଲକ୍ଷ ୧୪ ହଜାର ଟଙ୍କାର ଖର୍ଚଦାବି ପାରିତ ହୋଇଛି। ଖର୍ଚଦାବି ଆଲୋଚନାରେ ଏହି ବିଭାଗର ତଳରୁ ଚୂଳ ଯାଏ ଦୁର୍ନୀତି, ଗାଁଗଣ୍ଡାରେ ପିଇବାପାଣିର ସଙ୍କଟ, ରାସ୍ତାଘାଟର ସମସ୍ୟା ଆଦି ପ୍ରସଙ୍ଗ ଉଠାଇ ସରକାରଙ୍କ ଉପରେ ଗର୍ଜିଥିଲେ ବିରୋଧୀ। ତେବେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ମହାରଥୀ ବିରୋଧୀଙ୍କ ଅଭିଯୋଗ ସମ୍ବଳିତ ଅଧିକାଂଶ ପ୍ରଶ୍ନର ଜବାବ ଦେଇଥିଲେ।

ଆଲୋଚନା ଆରମ୍ଭ କରି କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମା କହିଲେ, ପଞ୍ଚାୟତିରାଜ ବିଭାଗ ଏବେ ଲୁଟ୍‌ତରାଜ ବିଭାଗରେ ପରିଣତ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ବେତପଡ଼ା ପଞ୍ଚାୟତର ସରପଞ୍ଚ ହରିଲୁଟ୍‌ କରିଥିବା ନେଇ ସେ ତିନିଥର ଗୃହରେ ପ୍ରଶ୍ନ ପଚାରିଛନ୍ତିି। ଗତ ୨୦୧୭ ଅଗଷ୍ଟ ୮ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ସଂପୃକ୍ତ ସରପଞ୍ଚଙ୍କୁ କାରଣ ଦର୍ଶାଅ ନୋଟିସ ଦେଇଛନ୍ତି। କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ସେହି ନୋଟିସ ପହଞ୍ଚିନାହିଁ। ଗୃହ ନିର୍ମାଣ ଯୋଜନାରେ ସରକାରୀ ଦଳର କର୍ମୀଙ୍କର ଯଦି ୧୦ ବଖରା, ପକ୍କାଘର ଥାଏ ବା ରବୀନ୍ଦ୍ର ରାଉଳଙ୍କ ପରି ଠିକାଦାର ଥାଇ କୋଟି କୋଟି ଟଙ୍କାର କାମ କରୁଥାନ୍ତି, ତାଙ୍କୁ ବିଜୁ ପକ୍କାଘର ମିଳିବାରେ କୌଣସି ଅସୁବିଧା ନାହିଁ। ଏ ନେଇ ସେ ବିଭାଗୀୟ ସଚିବଙ୍କୁ ସାକ୍ଷାତ କରି ଦୃଷ୍ଟାନ୍ତମୂଳକ ତଦନ୍ତ ସହିତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। କିନ୍ତୁ ପାଖାପାଖି ୫ ମାସ ହେଲାଣି, କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ। ସେ ବିଭାଗରେ ଦୁର୍ନୀତି ବ୍ୟାପକ ହେଉଥିବା ଅଭିଯୋଗ କରି କିଛି ଉଦାହରଣ ଦେଇଥିଲେ।

ବିଜେପି ବିଧାୟକ ଡା. ବିଭୂତି ଭୂଷଣ ହରିଚନ୍ଦନ କହିଲେ, ବିଭାଗରେ ଏଇ, ଜେଇ, ବିଡିଓ ନାହାନ୍ତି। ବିଲ୍‌ ହେଉ ବା କାର୍ଯ୍ୟାଦେଶ ଭଳି କାମ ପାଇଁ ଲୋକେ ମାସ ମାସ ଧରି ଦୌଡ଼ୁଛନ୍ତି। କୋଟି କୋଟି ଟଙ୍କା ଖର୍ଚ ହୋଇପାରୁନି। ପିସି ହେଉଥିବା ଅଭିଯୋଗ କରି ଦୁର୍ନୀତିକୁ ଧର୍ତବ୍ୟ ଅପରାଧ ଭାବେ ଗ୍ରହଣ କରି ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ଦଣ୍ଡବିଧାନ କରିବାକୁ ସେ ପ୍ରସ୍ତାବ ଦେଇଥିଲେ। କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ‘ସମ୍ବାଦ’ରେ ଗତ ଫେବ୍ରୁଆରି ୨୨ ତାରିଖରେ ପ୍ରକାଶିତ ନୟାଗଡ଼ ଖବର ନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିରେ ଉଲ୍ଲେଖ ହୋଇଥିବା ପକ୍କାଘର ବିକ୍ରି ହେଉଛି, ପାଇଖାନା ଯାହାକୁ ଯେତେ, ପଇସା ଦିଅ ପାଇଖାନା ନିଅ ଆଦି ଦର୍ଶାଇ ସେ ଦୁର୍ନୀତି କେତେ ଗଭୀର ସେ କଥା କହିଥିଲେ।

ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ତାଙ୍କ ବକ୍ତବ୍ୟରେ ମୁଖ୍ୟତଃ ପାଣି, ରାସ୍ତାଘାଟ ଏବଂ ଦୁର୍ନୀତି ପ୍ରସଙ୍ଗ ଉଠାଇ ସରକାରଙ୍କୁ କଟୁ ସମାଲୋଚନା କରିଥିଲେ। ବିଧାୟକ ଜାକବ୍‌ ପ୍ରଧାନ ମଧ୍ୟ ବିଭାଗର ଦୁର୍ନୀତି କଥା ଉଠାଇଥିଲେ। ମୁଷ୍ଟିମେୟ ଲୋକଙ୍କ କବ୍‌ଜାରେ ପଲ୍ଲୀସଭା ରହିଥିବା କହିଥିଲେ ବିଜେପି ବିଧାୟିକା ରାଧାରାଣୀ ପଣ୍ଡା। ସରକାରୀ ଦଳ ବିଧାୟକ ପଦ୍ମନାଭ ବେହେରା, ସରୋଜ ସାମଲ, ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ମହେଶ ସାହୁ ପ୍ରମୁଖ ବିଭାଗର ଯୋଜନାଗୁଡ଼ିକ ଲୋକଙ୍କ ପାଖରେ ପହଞ୍ଚି ପାରୁଥିବା ଦର୍ଶାଇ ବିରୋଧୀଙ୍କ ଅଭିଯୋଗଗୁଡ଼ିକୁ ଖଣ୍ଡନ କରିଥିଲେ।

ମନ୍ତ୍ରୀ ଶ୍ରୀ ମହାରଥୀ ବିଭାଗୀୟ ଯୋଜନା, କାର୍ଯ୍ୟକ୍ରମ ସଂପର୍କରେ ବିସ୍ତତ ଭାବେ ସୂଚନା ପ୍ରଦାନ କରିବା ପରେ ବିରୋଧୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହି ଅବସରରେ ସେ ଘୋଷଣା କରିଥିଲେ, ପ୍ରତ୍ୟେକ ବିଧାୟକଙ୍କ ନାମରେ ୨୦୦ ଲେଖାଏଁ ବିଜୁ ପକ୍କାଘର ଦିଆଯିବ। ସେମାନେ ନିଜ ନିଜ ଅଞ୍ଚଳର ଗରିବ ହିତାଧିକାରୀମାନଙ୍କୁ ଦେଇପାରିବେ। କୋଟିପତି ରବୀନ୍ଦ୍ର ରାଉଳ ବିଜୁ ପକ୍କାଘର ହାତେଇଥିବା ନେଇ ସଚିବ ତଦନ୍ତ କରି ୧୫ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦେଶ ଦେଇଥିଲେ। ରାଜ୍ୟରେ ବିଡିଓଙ୍କ ଅଭାବ ରହିଥିବା ସେ ମାନିଥିଲେ। ମେ’ ମାସ ପ୍ରଥମ ସପ୍ତାହ ସୁଦ୍ଧା ସବୁ ବ୍ଲକରେ ବିଡିଓଙ୍କୁ ନିଯୁକ୍ତ କରାଯିବ ବୋଲି ସେ କହିଥିଲେ। ରାଜ୍ୟରେ ନୂଆ ପକ୍କାଘର ପାଇବା ପାଇଁ ୩୬ ଲକ୍ଷ ଆବେଦନକାରୀ ଅଛନ୍ତି। ଜୁନ୍‌ ମାସ ସୁଦ୍ଧା ସେମାନଙ୍କ ଆବେଦନ ଯାଞ୍ଚ କରି ଘର ଦିଆଯିବ। ଦୁର୍ନୀତି ଅଭିଯୋଗ ନେଇ ଗତବର୍ଷ ୮୧୬ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସେ ପ୍ରକାଶ କରିଥିଲେ। ଗାଁ ସାଥୀଙ୍କୁ ପାରିଶ୍ରମିକ ବୃଦ୍ଧି ନେଇ ସେ ସେମାନଙ୍କ ସହିତ ଆଲୋଚନା କରିଥିବା କହିଥିଲେ। ଜିଆରଏସ୍‌ଙ୍କ ବଦଳି ନେଇ ଜିଲ୍ଲାପାଳଙ୍କ ପ୍ରସ୍ତାବ ଦେଲେ, ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ମହାରଥୀ କହିଥିଲେ। ଏହାବ୍ୟତୀତ, ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ବିଧାୟକ ଅଶ୍ୱିନୀ ପାତ୍ର, ପୂର୍ଣ୍ଣଚନ୍ଦ୍ର ସେଠୀ ସ୍ପଷ୍ଟୀକରଣ ଜରିଆରେ ମନ୍ତ୍ରୀଙ୍କଠାରୁ ଉତ୍ତର ଲୋଡ଼ିଥିଲେ।

ସମ୍ବନ୍ଧିତ ଖବର