ବଦଳିଲା ନିୟମ : ଏଣିକି ପଞ୍ଚାୟତିରାଜ ବିଭାଗ କରିବ ଉନ୍ନୟନ କାର୍ଯ୍ୟ

ଭୁବନେଶ୍ୱର : ଗାଁ ଗହଳରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉନ୍ନୟନ କାର୍ଯ୍ୟକୁ ଏଣିକି ପଞ୍ଚାୟତିରାଜ ବିଭାଗ କରିବ । ପୂର୍ବରୁ ଏହି କାର୍ଯ୍ୟ ଗ୍ରାମ ସ୍ତରର ମୁଖ୍ୟ (ଭିଏଲ୍‌ଏଲ୍‌) ମାନେ କରୁଥିଲେ । ପଞ୍ଚାୟତିରାଜ ବ୍ୟବସ୍ଥାରେ ସଂଶୋଧନ ଆଣି ସରକାର ଗ୍ରାମପଞ୍ଚାୟତ ଓ ପଞ୍ଚାୟତସମିତି ସ୍ତରରେ ବିଭାଗୀୟ କାର୍ଯ୍ୟ କ୍ଷେତ୍ରରେ ଭିଏଲ୍‌ଏଲ୍‌ ବ୍ୟବସ୍ଥାକୁ ଉଚ୍ଛେଦ କରିଛନ୍ତି । ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଏ ନେଇ ସଂଶୋଧିତ ନିୟମାବଳୀ ପ୍ରକାଶ ପାଇଛି।

ପ୍ରଚଳିତ ବ୍ୟବସ୍ଥାରେ ଗାଁ ଗହଳରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାର୍ଯ୍ୟ ଭିଏଲ୍‌ଏଲ୍‌ କରୁଥିଲେ। ନୂଆ ବ୍ୟବସ୍ଥାରେ ୧୦ଲକ୍ଷ ଟଙ୍କାର କାର୍ଯ୍ୟକୁ ଟେଣ୍ଡର ମାଧ୍ୟମରେ କରାଯିବ । ପୂର୍ତ୍ତ, ଓଡିଶା ପଞ୍ଚାୟତ ସମିତି ଆର୍ଥକ ପରିଚାଳନା ନିୟମ ଓ ଓଡିଶା ସରକାରଙ୍କ ଆର୍ଥକ ନିୟମ ଆଧାରରେ ଏହି ଟେଣ୍ଡର ପ୍ରକ୍ରିୟା ହେବ ।

ବ୍ଲକ ସ୍ତରରେ କାର୍ଯ୍ୟରତ ଅଧିକାରୀ ଯଥା ସମ୍ପ୍ରସାରଣ ଅଧିକାରୀ, କନିଷ୍ଠ ଯନ୍ତ୍ରୀ, ଗ୍ରାମପଞ୍ଚାୟତ ବୈଷୟିକ ସହାୟକ ଏବଂ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀମାନଙ୍କୁ ଏହି କାର୍ଯ୍ୟର ଦାୟିତ୍ୱ ଦିଆଯାଇଛି । ଯେଉଁ ପ୍ରକଳ୍ପ ପାଇଁ ଭିଏଲ୍‌ଏଲ୍‌ଙ୍କ ନାମରେ କାର୍ଯ୍ୟାଦେଶ ଜାରି ହୋଇଛି ଏବଂ ଚୁକ୍ତି ଅନୁଯାୟୀ କାର୍ଯ୍ୟ ଆରମ୍ଭ ହୋଇନାହିଁ ସେଠାରେ ୧୫ଦିନିଆ ନୋଟିସ୍‌ ଦିଆଯାଇ କାର୍ଯ୍ୟ ବାତିଲ କରାଯାଇ ପାରିବ । ଏହି କାର୍ଯ୍ୟକୁ ବିଭାଗୀୟ ଅଧିକାରୀମାନଙ୍କ ଦ୍ୱାରା କରିବାକୁ ନୂଆ ନିର୍ଦ୍ଦେଶରେ କୁହାଯାଇଛି । ଯେଉଁଠାରେ ବିଭାଗ ମାଧ୍ୟମରେ କାର୍ଯ୍ୟ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି ସେଠାରେ ନୂତନ ନିୟମାବଳୀ ଅନୁଯାୟୀ କାର୍ଯ୍ୟ କରିବାକୁ କୁହାଯାଇଛିା ଯେଉଁଠାରେ ସରକାରୀ ଅଧିକାରୀମାନଙ୍କ ନାମରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି ସେଠାରେ ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ଲାଗୁ ହେବନାହିଁ । ସେହିଭଳି ଯେଉଁଠାରେ କନିଷ୍ଠଯନ୍ତ୍ରୀ, ପଞ୍ଚାୟତ ବୈଷୟିକ ସହାୟକ ନାମରେ କାର୍ଯ୍ୟାଦେଶ ଥିବ ସେଠାରେ ଅନ୍ୟ ଅଧିକାରୀମାନେ କାର୍ଯ୍ୟର ସମୀକ୍ଷା କରିବେ। ନୂଆ ମାର୍ଗଦର୍ଶିକା ଅନୁଯାୟୀ, ପ୍ରତ୍ୟେକ କାର୍ଯ୍ୟ ବୈଷୟିକ ଭାବେ ମଞ୍ଜୁର ହେବ, ପ୍ରଶାସନିକ ସ୍ତରରେ ଅନୁମୋଦନ ମିଳିବ ଓ ଦକ୍ଷ ଅଧିକାରୀଙ୍କ ଦ୍ୱାରା କାର୍ଯ୍ୟର ସମୀକ୍ଷା କରାଯିବ । ସ୍ୱଚ୍ଛତା ଲାଗି ଚୂଡାନ୍ତ ଅର୍ଥ ପ୍ରଦାନ ପୂର୍ବରୁ କାର୍ଯ୍ୟର ପୂର୍ବ ଏବଂ ପରର ଫଟୋକପି ଦାଖଲ ହେବ । ବର୍ତ୍ତମାନ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀମାନଙ୍କର ବୈଷୟିକ ମଞ୍ଜୁରୀ କ୍ଷମତା ୬ଲକ୍ଷ ଟଙ୍କାରୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିଭଳି ଡିଆରଡିଏ କାର୍ଯ୍ୟନିର୍ବାହୀ ଯନ୍ତ୍ରୀମାନଙ୍କ ଅନୁମୋଦନ ପରିମାଣକୁ ସଂଶୋଧନ କରାଯାଇ ୧୦ଲକ୍ଷରୁ ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାର୍ଯ୍ୟାଦେଶକୁ ସେମାନେ ଅନୁମୋଦନ କରିପାରିବେ ବୋଲି ନୂତନ ନିର୍ଦେଶନାମାରେ କୁହାଯାଇଛି ।

ସମ୍ବନ୍ଧିତ ଖବର