ମିଥ୍ୟା ସତ୍ୟପାଠ ମାମଲା: ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କୁ ଜେଲ୍‌ ଦଣ୍ଡାଦେଶ

ପତ୍ନୀ ଏବଂ ୨ ସନ୍ତାନଙ୍କ ବିଷୟରେ ଜଣାଇନଥିଲେ, କୋର୍ଟରେ ସ୍ବାମୀଙ୍କ ବିରୋଧରେ ସାକ୍ଷୀ ଦେଲେ ପତ୍ନୀ

ବାରିପଦା : ମିଥ୍ୟା ସତ୍ୟପାଠ ମାମଲାରେ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ପଞ୍ଚାୟତ ସମିତି ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାଏକ (୩୬)ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ବାରିପଦା ଏସ୍‌ଡିଜେଏମ୍‌ ସୁମିତା ଆଚାର୍ଯ୍ୟ। ଶ୍ରୀ ନାଏକଙ୍କୁ ୨ ମାସ ଜେଲ୍‌ଦଣ୍ଡ ସହିତ ସାଢ଼େ ୫ ହଜାର ଟଙ୍କା ଜରିମାନା ହୋଇଛି। ଜରିମାନା ଅନାଦେୟ ଅତିରିକ୍ତ ୧ ମାସ ଜେଲ୍‌ ଦଣ୍ଡାଦେଶ ରାୟ ଶୁଣାଇଛନ୍ତି କୋର୍ଟ।

ସୂଚନାଯୋଗ୍ୟ, ଗତ ପଞ୍ଚାୟତ ନିର୍ବାଚନରେ ନିଜ ସତ୍ୟପାଠରେ ଶ୍ରୀ ନାଏକ ନିଜର ପତ୍ନୀ ବିନୀତା ଏବଂ ଦୁଇ ପୁଅଙ୍କ ସମ୍ପର୍କରେ କୌଣସି ତଥ୍ୟ ପ୍ରଦାନ କରିନଥିଲେ। ସେହିପରି ନିଜର କୌଣସି ଗାଡ଼ି କିମ୍ବା ସ୍ଥାବର, ଅସ୍ଥାବର ସମ୍ପତ୍ତି ସହିତ ତାଙ୍କ ବିରୋଧରେ ଥିବା ଅପରାଧ ମାମଲା ସମ୍ପର୍କରେ କିଛି ଉଲ୍ଲେଖ କରିନଥିଲେ। ଏ ସଂକ୍ରାନ୍ତରେ କୁଳିଅଣା ବ୍ଲକ୍ ଅନ୍ତର୍ଗତ ଗାଙ୍ଗରାଜ ଅଞ୍ଚଳର ପ୍ରଶାନ୍ତ ନାଏକ ଗତବର୍ଷ ଜୁଲାଇ ୧୭ ତାରିଖରେ ବାରିପଦା ଏସ୍‌ଡିଜେଏମ୍‌ କୋର୍ଟରେ ଅଭିଯୋଗ କରିଥିଲେ। ମାମଲାର ବିଚାର ବେଳେ ଶ୍ରୀ ନାଏକଙ୍କ ପତ୍ନୀ ଏବଂ ଦୁଇ ପୁଅ ତାଙ୍କ ବିରୋଧରେ କୋର୍ଟରେ ସାକ୍ଷୀ ଦେଇଥିଲେ। ଏମିତିକି ସ୍ବାମୀଙ୍କ ବିରୋଧରେ ପତ୍ନୀ ବିନୀତା ମଧ୍ୟ ଥାନାରେ ଅଭିଯୋଗ କରିଥିବା ଜାଣିବାକୁ ପାଇଥିଲେ କୋର୍ଟ। ଶ୍ରୀ ନାଏକଙ୍କ ନାଁରେ ଏକ ଗାଡ଼ି ଓ ଅନ୍ୟାନ୍ୟ ସ୍ଥାବର ସମ୍ପତ୍ତି ଥିବା ପ୍ରମାଣିତ ହୋଇଥିଲା। ୧୨ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସରୋଜ କୁମାର ଦାସ ଏବଂ ବବିତା ବେହେରା ମାମଲା ପରିଚାଳନା କରିଥିଲେ। ତେବେ ଏହି ମାମଲାରେ ଶ୍ରୀ ନାଏକଙ୍କୁ ଜାମିନ୍ ମିଳିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର