ଆର୍‌ଡିସି ଅଫିସ ଆଗରେ ଗର୍ଜିଲେ ପଞ୍ଚାୟତ କର୍ମଚାରୀ

ସମ୍ବଲପୁର : ଶନିବାର ପଶ୍ଚିମ ଓଡ଼ିଶା ଗ୍ରାମ ପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ତରଫରୁ ୩ ଦଫା ଦାବି ନେଇ ଉତ୍ତରାଞ୍ଚଳ ଆର୍‌ଡିସି ଅଫିସ ଘେରାଉ କରାଯାଇଛି। ସଂଘର ସଭାପତି ଲଳିତ ନାୟକଙ୍କ ନେତୃତ୍ୱରେ ଅଇଁଠାପାଲି ପିଏଚ୍‌ଡି ପଡ଼ିଆରୁ ରାଲିରେ ସହର ପରିକ୍ରମା କରି ଆର୍‌ଡିସି କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ଥିଲା। ରାଜ୍ୟର ୧୭ଟି ଜିଲ୍ଲାରୁ ଆସିଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ୭ କିଲୋମିଟର ପର୍ଯ୍ୟନ୍ତ ଚାଲି ଚାଲି ରାଲିରେ ଆସି ନିଜ ନ୍ୟାୟୋଚିତ ଦାବି ପୂରଣ ପାଇଁ ଗର୍ଜି ଥିଲେ। ଆର୍‌ଡିସିଙ୍କ ଅନୁପସ୍ଥିତିରେ ତାଙ୍କ ସଚିବ ବିଭୂତି ଭୂଷଣ ବେହେରା ଦାବିପତ୍ର ଗ୍ରହଣ କରିଥିଲେ। ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ସହିତ ଆଲୋଚନା କରି ଆସନ୍ତା ୭ ଦିନ ମଧ୍ୟରେ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରାଯାଇଛି। ଦାବିପୂରଣ ନହେଲେ ଡିସେମ୍ବର ତୃତୀୟ ସପ୍ତାହରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସଂଘର ସଭାପତି ଶ୍ରୀ ନାୟକ ଚେତାବନୀ ଦେଇଛନ୍ତି। କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, ବୌଦ୍ଧ, ମାଲ୍‌କାନଗିରି, ରାୟଗଡ଼ା, କୋରାପୁଟ, ନବରଂଗପୁର, ନୟାଗଡ଼, ଯାଜପୁର ଆଦି ଜିଲ୍ଲାର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର