ସମୁଦ୍ର ଗର୍ଭରେ ଲୀନ ହେବା ପୂର୍ବରୁ ମା’ ପଞ୍ଚୁବରାହୀ ମୂର୍ତ୍ତି ବଗପଟିଆକୁ ସ୍ଥାନାନ୍ତରିତ

କେନ୍ଦ୍ରାପଡ଼ା : ସମୁଦ୍ର ଗର୍ଭରେ ଲୀନ ହେବାକୁ ବସିଥିବା ସାତଭାୟାର ଅଧିଷ୍ଠାତ୍ରୀ ଦେବୀ ମା’ ପଞ୍ଚୁବରାହୀ ମୂର୍ତ୍ତିକୁ ଆଜି ବଗପଟିଆକୁ ସ୍ଥାନାନ୍ତରିତ କରାଯାଇଛି। ଦୀର୍ଘ ୪୦୦ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ମା’ଙ୍କ ମୂର୍ତ୍ତିକୁ ସ୍ପର୍ଶ କଲେ ଗାଁ’ର ପୁରୁଷମାନେ।

ସମୁଦ୍ରଗର୍ଭରେ ଲୀନ ହେବା ଆଶଙ୍କାରେ ସାତଭାୟା ପଞ୍ଚୁବରାହୀ ମନ୍ଦିରର ପ୍ରତିମୂର୍ତିକୁ ଆଜି ବଗପଟିଆକୁ ସ୍ଥାନାନ୍ତର କରାଯାଇଛି। ଏଥିପାଇଁ ବଗପାଟିଆ ଉତ୍ସବମୁଖର ହୋଇଉଠିଛି। ୧୯୭୧ ମସିହା ମହାବାତ୍ୟା ପରେ ନିଜର ସତ୍ତା ହରାଇଥିଲା ସାତଭାୟା। ଏଥିସହ ସାତଭାୟାର ୫ଟି ଗାଁଁ’ କ୍ରମଶଃ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିଲା। ଏହାପୂର୍ବରୁ କେନ୍ଦ୍ରାପଡ଼ା ସାତଭାୟାର ପାଖାପାଖି ୫୭୧ ପରିବାରକୁ ବଗପଟିଆ ଗାଁକୁ ସ୍ଥାନାନ୍ତର କରାଯାଇଥିଲା।

ଆଜି ୨ଟି ବଡ଼ ଡଙ୍ଗା ଓ ଗୋଟିଏ ଗାଡ଼ି ସହାୟତାରେ ମା’ଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି। ଏଥିପାଇଁ ପ୍ରଥମେ ମା’ଙ୍କ ସ୍ନାନ, ମାର୍ଜନା ସହ ନୂଆ ବସ୍ତ୍ର ପିନ୍ଧାଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରଥମେ ସାତଭାୟାରୁ ବାଉଁଶଗଡ଼ ଓ ତା ପରେ ଡଙ୍ଗାରେ ମା’ଙ୍କୁ ଓକିଲପାଳ ଛକ ଯାଏଁ ନିଆଯାଇଥିଲା। ମଧ୍ୟାହ୍ନ ଧୂପ ଓ ଭୋଗଲାଗି ପରେ ମୂଳ ସ୍ଥାନଠାରୁ ପ୍ରାୟ ୧୦କିଲୋମିଟର ଦୂର ବଗପଟିଆରେ ପହଞ୍ଚିଥିଲା ମା’ଙ୍କ ପ୍ରତିମୂର୍ତି ।

 

ମା’ ପଞ୍ଚୁବରାହୀଙ୍କ ମନ୍ଦିର ନେଇ ଅନେକ ରୋଚକ ତଥ୍ୟ ରହିଛି –

୧. ମନ୍ଦିରର ୪୦୦ ବର୍ଷ ଇତିହାସରେ ପୁରୁଷ ମା’ଙ୍କ ମୂର୍ତିକୁ ସ୍ପର୍ଶ କରିନଥିଲେ।

୨. ମତ୍ସ୍ୟଜୀବି ସମ୍ପ୍ରଦାୟର ମହିଳା କେବଳ ମା’ଙ୍କ ପୂଜାର୍ଚ୍ଚନା କରିଥାନ୍ତି।

୩. ମନ୍ଦିରର ଦୁଇପାଶ୍ୱର୍କୁ ସମୁଦ୍ର ଗିଳିସାରିଥିବା ସତ୍ୱେ ମନ୍ଦିରକୁ ଛୁଇଁପାରିନଥିଲା।

୪. ପ୍ରତିଦିନ ସମୁଦ୍ରକୁ ଶାନ୍ତ କରିବାକୁ ମା’ଙ୍କ ପାଖରେ ପ୍ରାର୍ଥନା କରାଯାଇଥାଏ।

ଦୁଇ ପାଖ ସମୁଦ୍ର, ମଝିରେ ପଞ୍ଚୁବରାହୀ ମନ୍ଦିର। ପୂରା ଅଞ୍ଚଳକୁ ସମୁଦ୍ର ଗିଳି ସାରିଥିବା ବେଳେ ମା’ଙ୍କ ମନ୍ଦିର ସ୍ପର୍ଶ କରିନଥିଲା, କିନ୍ତୁ ଆଜି ନହେଲେ କାଲି ହୁଏତ ମନ୍ଦିର ଲୀନ ହେବ ସମୁଦ୍ରଗର୍ଭରେ। ତେବେ ତା’ ପୂର୍ବରୁ ରାଜକନିକା ରାଜା ନିର୍ମାଣ କରିଥିବା ମନ୍ଦିରରୁ ୧.୫ ଟନ ଓଜନ ବିଶିଷ୍ଟ ମା’ଙ୍କ ମୂର୍ତିକୁ ବଗପଟିଆ ଗାଁକୁ ସ୍ଥାନାନ୍ତରିତ କରାଯାଇଛି।

ସମ୍ବନ୍ଧିତ ଖବର