୭ ଲକ୍ଷ ଟଙ୍କାର ବିରଳ ବଜ୍ରକାପ୍ତା କାତି ଜବତ, ଗ୍ରାହକ ସାଜି ୬ ଅଭିଯୁକ୍ତଙ୍କୁ ଧରିଲା ବନ ବିଭାଗ

ଉଦଳା/ଉଦଳା(୧)/ଦେବକୁଣ୍ଡ : ବଜ୍ରକାପ୍ତା କାତି ଚୋରାଚାଲାଣର ପର୍ଦ୍ଦାଫାସ୍ କରିଛି ଉଦଳା ବନ ବିଭାଗ। ବିଭାଗୀୟ କର୍ମଚାରୀମାନେ ଗ୍ରାହକ ସାଜି ୬ ଜଣ ଚୋରା ବେପାରୀଙ୍କୁ ଧରିଛନ୍ତି। ସେମାନଙ୍କ ନିକଟରୁ ପ୍ରାୟ ୭ ଲକ୍ଷ ଟଙ୍କା ମୂଲ୍ୟର ବିରଳ ବଜ୍ରକାପ୍ତା କାତି ଓ ୨ଟି ବାଇକ୍ ଜବତ କରାଯାଇଛି।

ସୂଚନା ଅନୁସାରେ, ବଜ୍ରକାପ୍ତା କାତି ବିକ୍ରି ହେଉଥିବା ସଂପର୍କରେ ଖବର ପାଇ ଜାଲ ବିଛାଇଥିଲା ବନ ବିଭାଗ। ବନ କର୍ମଚାରୀ ଗ୍ରାହକ ସାଜି ଗତକାଲି ବିଳମ୍ବିତ ରାତିରେ ଉଦଳା ବ୍ଲକ ବାଲିଛତ୍ରା ଗାଁରେ ପହଞ୍ଚିଥିଲେ। ସେଠାରେ ଗାଁ ରାସ୍ତାରେ ତିନିଜଣ ବଜ୍ରକାପ୍ତା କାତି ବେପାରୀ ବନ କର୍ମଚାରୀଙ୍କ ସହିତ ବିକ୍ରି ପାଇଁ ମୂଲଚାଲ୍‌ କରିଥିଲେ। ଦୁଇଟି କାତିକୁ ଲକ୍ଷାଧିକ ଟଙ୍କାରେ ବିକିବା ନିମନ୍ତେ କଥାବାର୍ତ୍ତା ଚାଲିଥିବା ବେଳେ ସେଠାରେ ପୂର୍ବରୁ ଲୁଚି ରହିଥିବା ବନ କର୍ମଚାରୀମାନେ ତିନି ଜଣଙ୍କୁ କାବୁ କରିବା ସହିତ ଦୁଇଟି ବଜ୍ରକାପ୍ତା କାତି ଜବତ କରିଥିଲେ। ଗିରଫ ତିନିଜଣ ହେଲେ ଦୁଗୁଧା ଗ୍ରାମର ନିଶିକାନ୍ତ ଜେନା (୪୩), କୁଟଲିଂ ଗ୍ରାମର ସୁଦାମ ଖଣ୍ଡେଇ (୪୫) ଓ ସୋନପୋଖରୀ ଗ୍ରାମର ସୁକୁଲ ଟୁଡୁ (୩୩)। ଅନ୍ୟପକ୍ଷରେ ଉଦଳା-ବାରିପଦା ରାସ୍ତାର ବୃନ୍ଦାଗଡ଼ି ଛକ ନିକଟରୁ ବିଳମ୍ବିତ ରାତିରେ ବଜ୍ରକାପ୍ତାର ଗୋଟିଏ ବଡ଼ କାତିକୁ ଲକ୍ଷାଧିକ ଟଙ୍କାରେ ବିକ୍ରି ନିମନ୍ତେ ବନ କର୍ମଚାରୀଙ୍କ ସହିତ ମୂଲଚାଲ କରିଥିଲେ ତିନିଜଣ ବେପାରୀ। ହେଲେ ପୂର୍ବ ଯୋଜନା ଅନୁସାରେ ସେଠାରୁ ମଧ୍ୟ ତିନି ଜଣଙ୍କୁ ବନ ବିଭାଗ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଗୋଟିଏ କାତି ଜବତ କରିଛି। ଗିରଫ ତିନି ଜଣ ହେଲେ କୁଣ୍ତାବାଇ ଗ୍ରାମର ଗୁରୁଚରଣ ବିନ୍ଧାଣୀ (୩୨), ଖଡ଼ିକାଶୋଳ ଗ୍ରାମର ରବି ପାତ୍ର (୨୦) ଓ ବିସିପୁର ଗ୍ରାମର ପ୍ରଶାନ୍ତ କୁମାର ମିଶ୍ର (୩୮)। ସେମାନଙ୍କ ନିକଟରୁ ୨ଟି ବାଇକ୍ ଜବତ ହୋଇଛି। ଗିରଫ ବେପାରୀମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି।

ସୂଚନାଯୋଗ୍ୟ, ୨୦୧୮ ଡିସେମ୍ବର ୭ ତାରିଖ ବିଳମ୍ବିତ ରାତିରେ ଉଦଳାରେ ବଜ୍ରକାପ୍ତା ବିକ୍ରି ନିମନ୍ତେ ମୂଲଚାଲ ବେଳେ ଭୁବନେଶ୍ବର କ୍ରାଇମବ୍ରାଞ୍ଚ‌ ଟିମ୍ ୪ ଜଣ ବେପାରୀଙ୍କୁ ଗିରଫ କରିଥିଲା। ଶିମିଳିପାଳ ଅଭୟାରଣ୍ୟକୁ ଲାଗି ଆଦିବାସୀ ଅଧ୍ୟୁଷିତ କପ୍ତିପଦା ଉପଖଣ୍ତ ରହିଥିବାରୁ ଅଭୟାରଣ୍ୟରୁ ବଜ୍ରକାପ୍ତା କାତି ଚୋରାଚାଲାଣ ପଛରେ ଏକ ରୢାକେଟ୍‌ କାମ କରୁଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର