ବର୍ଷକ ମଧ୍ୟରେ ୫୬୧ଗୁପ୍ତ ଟେଣ୍ଡର୍‌

ପାଣିକୋଇଲି ଆର୍‌ଆଣ୍ଡବି ଡିଭିଜନ୍‌ ଏଫ୍‌-ଟୁ କେଳେଙ୍କାରୀ

ଯାଜପୁର : ଗ୍ରାମ୍ୟ ଉନ୍ନୟନ ବିଭାଗରେ ଗୁପ୍ତ ଟେଣ୍ଡର୍‌କୁ ନେଇ ଚର୍ଚ୍ଚା ହୋଇଥିବା ବେଳେ ପୂର୍ତ୍ତ ବିଭାଗରେ ଶହ ଶହ ଗୁପ୍ତ ଟେଣ୍ଡର୍‌ର ଗୁପ୍ତ ରହସ୍ୟ ଫିଟିଛି। ଏଭଳି ସାଂଘାତିକ ତଥ୍ୟ ‘ସମ୍ବାଦ’ ଅନୁସଂଧାନ ଟିମ୍‌ ହାତରେ ଲାଗିଛି। ସରକାରଙ୍କ ନିର୍ଦେଶକୁ ଅବଜ୍ଞା କରି କେବଳ ୨୦୧୬-୧୭ ମସିହାରେ ୫୬୧ଟି ଏଫ୍‌-୨ ଗୁପ୍ତ ଟେଣ୍ଡର୍‌ କରାଯାଇଛି। ଏଥିରେ ପାଖାପାଖି ୨୨କୋଟି ଟଙ୍କା ହରିଲୁଟ୍‌ କରାଯାଇଥିବା ଆକଳନ କରାଯାଉଛି। ଗତ ୫ ବର୍ଷର ହିସାବକୁ ଯଦି ଦେଖାଯାଏ ତେବେ ପ୍ରାୟ ଶହେ କୋଟି ଟଙ୍କା ଅସାଧୁ ମେଣ୍ଟ ହରିଲୁଟ୍‌ କରିଛି। ଅନ୍‌ ଲାଇନ୍‌ ଟେଣ୍ଡର୍‌(ଖୋଲା ଟେଣ୍ଡର୍‌) ନକରି ସରକାରଙ୍କର କୋଟି କୋଟି ଟଙ୍କା ରାଜସ୍ୱ କ୍ଷତି ଘଟାଇ ଠିକାଦାର ଓ ଯନ୍ତ୍ରୀ ଗୁପ୍ତ ଟେଣ୍ଡର କରି ବେଶ ମାଲାମାଲ ହୋଇଛନ୍ତି। ଯାହାର ଠୋସ ପ୍ରମାଣ ଅନୁସଂଧାନ ଟିମ୍‌ ହାସଲ କରିଛି।

ଏଫ୍‌-ଟୁ ନାମରେ ଚାଲିଥିବା ବ୍ୟାପକ ହରିଲୁଟ୍‌କୁ ନିୟନ୍ତ୍ରଣ କରିବା ପାଇଁ ସରକାର ଗତ ୨୦୧୬-୧୭ରେ ଅଙ୍କୁଶ ଲଗାଇଲେ। ମାତ୍ର ପୂର୍ତ୍ତ ବିଭାଗର ପାଣିକୋଇଲି ଡ଼ିଭିଜନ୍‌ ସରକାରଙ୍କୁ ନିର୍ଦେଶକୁ ମୋଡ଼ିମକଚି ନିଜ ମର୍ଜିରେ କାରବାର କରିଛି। ୨୦୧୬-୧୭ ଆର୍ଥିକ ବର୍ଷରେ ୫୬୧ଟି ଏଫ୍‌-ଟୁ ଟେଣ୍ଡର୍‌ କରିଛି। ୨୦୧୫-୧୬ରେ ମଧ୍ୟ ଶହ ଶହ ଗୁପ୍ତ ଟେଣ୍ଡର ଏଫ୍‌-ଟୁ କରାଯାଇଛି। କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖ୍ୟ ରାସ୍ତା ଯାଜପୁର ରୋଡର ଚୋରଦା ଠାରୁ ଡୁବୁରି ରାସ୍ତା ଉପରେ ୨୭ଟି ଏଫ୍‌-ଟୁ କରାଯାଇ ଲକ୍ଷ ଲକ୍ଷ ଟଙ୍କା ଲୁଟ୍‌ କରାଯାଇଛି। ରାସ୍ତାରେ ଟେଣ୍ଡର କରା ନଯାଇ ଏଫ-ଟୁ ଜରିଆରେ ଲୁଟ୍‌ ଚାଲିଛି। କୁଆଖିଆ ବରୁହାଁ କଳମାଟିଆ ରୋଡ଼ ମଧ୍ୟ ସଂପୃକ୍ତ ଠିକାଦାର ଓ ଯନ୍ତ୍ରୀମାନେ ନେଉଟିଆ କିଆରି ଭଳି ଏଫ୍‌-ଟୁ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଲୁଟ୍‌ କରିଛନ୍ତି। ଏଗ୍ରିମେଣ୍ଟ ନମ୍ବର ୧୭୩ ରୁ ୧୮୩ ପର୍ଯ୍ୟନ୍ତ କ୍ରମାନ୍ଵୟରେ ୧୧ଟି ଏଫ୍‌-ଟୁ କରାଯାଇଛି। ଏପରିକି ଗୋଟିଏ ଗୋଟିଏ କାମକୁ ଦୁଇ ଦୁଇ ଥର ବିଲ୍‌ କରାଯାଇଛି। ଏଗ୍ରିମେଣ୍ଟ ନମ୍ବର ୧୮୨ ଓ ୧୮୩ରେ ଗୋଟିଏ କାମ କରାଯାଇ ୨ଥର ବିଲ ଉଠାଣ ହୋଇଛି। ଜାରକା ଡ଼୍ରେନେଜ୍‌ ବ୍ୟାପକ ଅର୍ଥ ଖର୍ଚ୍ଚ ହୋଇଥିଲେ ବି ଲୋକଙ୍କ କାମରେ ଲାଗୁନାହିଁ। ଏପରିକି ଆଧାର କେନ୍ଦ୍ର କାମ ନିମ୍ନ ମାନର ହୋଇଥିବା ବେଳେ ସେଗୁଡ଼ିକ ମଧ୍ୟ ଟେଣ୍ଡର କରା ନଯାଇ ଏଫ୍‌ ଟୁ ରେ କରାଯାଇଛି। ଏହି ଡ଼ିଭିଜନ୍‌ ଅଧୀନରେ ପାଣିକୋଇଲି, ଚଣ୍ଡିଖୋଲ, ଯାଜପୁର ଓ ବିଂଝାରପୁର ଚାରିଟି ଉପଖଣ୍ଡରେ ମୋଟ୍‌ ୧୨ଟି ସେକ୍ସନ ଥିବା ବେଳେ ଏସବୁରେ ଶହ ଶହ ଗୁପ୍ତ ଟେଣ୍ଡର ହୋଇଛି।

ଏ ସଂପର୍କରେ ଡିଭିଜନର ନିର୍ବାହୀ ଯନ୍ତ୍ରୀ ତାରାକାନ୍ତ ମିଶ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ୍‌ ଉଠାଇନଥିଲେ।

ସମ୍ବନ୍ଧିତ ଖବର