ଏୟାର ଆମ୍ବୁଲାନ୍‌ସରେ ଦିଲ୍ଲୀ ଏମ୍‌ସ ଗଲେ ପପୁ ପମ୍‌ପମ୍‌

ଭୁବନେଶ୍ୱର: ତିନି ଦିନ ତଳେ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଥିବା ଓଲିଉଡ୍‌ର ହାସ୍ୟ ଅଭିନେତା ତତ୍ତ୍ୱପ୍ରକାଶ ଶତପଥୀ ଓରଫ ପପୁ ପମ୍‌ପମ୍‌ଙ୍କୁ ମଙ୍ଗଳବାର ଦିଲ୍ଲୀ ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି। ସୋମବାରଠାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କ୍ରମାଗତ ଭାବେ ଅବନ୍ନତି ଘଟୁଥିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ପରିବାରଲୋକେ ଆଜି ତାଙ୍କୁ ଏକ ସ୍ୱତନ୍ତ୍ର ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀସ୍ଥିତ ଏମ୍‌ସକୁ ନେଇଛନ୍ତିା। ଏମ୍‌ସରେ ପହଞ୍ଚିବା ପରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଛି। ପପୁଙ୍କର ପାନକ୍ରିୟାସ (ଅଗ୍ନାଶୟ) ସଂକ୍ରମଣ ହେବା ସହ ଜଣ୍ଡିସ ହୋଇଛି। ତାଙ୍କ ପେଟ ଓ ଛାତିରେ ମଧ୍ୟ ପାଣି ଜମିଛି। ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେଉଛି। ପପୁଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ବେଳେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ଦ୍ୱାରା ତାଙ୍କର ଚିକିତ୍ସା କରାଯାଉଛି। ଆଜି ଅପରାହ୍‌ଣ ପ୍ରାୟ ୨ଟାରେ ଏୟାର ଆମ୍ବୁଲାନ୍‌ସର ଏକ ଡାକ୍ତରୀ ଦଳ ପପୁ ଚିକିତ୍ସିତ ହେଉଥିବା ହସ୍ପିଟାଲକୁ ଆସିଥିଲେ। ସେଠାରେ ପପୁଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା ନିରୀକ୍ଷା କରିବା ପରେ ତାଙ୍କୁ ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ନିଆଯାଇଥିଲା। ସେଠାରୁ ଦିନ ପ୍ରାୟ ୩ଟା ବେଳେ ଏୟାର ଆମ୍ବୁଲାନ୍‌ସରେ ଦିଲ୍ଲୀ ନିଆଯାଇଥିଲା । ପପୁଙ୍କ ସହ ତାଙ୍କ ସହଯୋଗୀ ଗିଟୁ ଓ ରିଙ୍କୁ ମଧ୍ୟ ଦିଲ୍ଲୀ ଯାଇଛନ୍ତି। ଆସନ୍ତାକାଲି ତାଙ୍କ ପରିବାରବର୍ଗ ଦିଲ୍ଲୀ ଯିବାର ସୂଚନା ମିଳିଛି। ସୂଚନାଯୋଗ୍ୟ, ଏୟାର ଆମ୍ବୁଲାନ୍‌ସ ପାଇଁ ପପୁଙ୍କ ପରିବାରକୁ ୬ ଲକ୍ଷ ଟଙ୍କା ପଇଠ କରିବାକୁ ପଡ଼ିଛି। ପପୁ ସୁସ୍ଥ ହେବା ପରେ ମଧ୍ୟ ଏହି ଏୟାର ଆମ୍ବୁଲାନ୍‌ସରେ ଭୁବନେଶ୍ୱର ବାହୁଡ଼ିବେ ବୋଲି ଜଣାଯାଇଛି। ତେବେ ଦିଲ୍ଲୀ ଏମ୍‌ସରେ ପପୁଙ୍କୁ ଦୁଇ ସପ୍ତାହ ରହିବାକୁ ପଡ଼ିପାରେ ବୋଲି ଡାକ୍ତରୀଦଳ କହିିଛନ୍ତି। ପପୁଙ୍କ ଚିକିତ୍ସା ପାଇଁ ଓଡ଼ିଶା ଚଳଚ୍ଚିତ୍ର ନିଗମ ପକ୍ଷରୁ ୫ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯାଇଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଏମ୍‌ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ପପୁଙ୍କ ପ୍ରଶଂସକମାନେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ତିନି ଦିନ ତଳେ ସୁଟିଂ ସେଟରୁ ଘରକୁ ଫେରିବା ସମୟରେ ପପୁ ହଠାତ ଅସୁସ୍ଥ ଅନୁଭବ କରିଥିଲେ। ପରିବାରଲୋକେ ତାଙ୍କୁ ସଙ୍ଗେସଙ୍ଗେ ଖଣ୍ଡଗିରି ନିକଟସ୍ଥ ଏକ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ। ତାଙ୍କର ଅଗ୍ନାଶୟଜନିତ ସମସ୍ୟା ଦେଖାଦେଇଥିଲା। ତେବେ ସୋମବାର ଅପରାହ୍‌ଣରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଦ୍ରୁତ ଅବନ୍ନତି ଘଟିବା ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର