ପପୁ ପମ୍‌ପମ୍‌ ମାମଲାର ଶୁଣାଣିରେ ବିଳମ୍ବ, ସାକ୍ଷୀ ଆସି ଫେରିଗଲେ

କଟକ : ଅଭିନେତା ପପୁ ପମ୍‌ପମ୍‌ ଓରଫ ତତ୍ତ୍ୱପ୍ରକାଶ ଶତପଥୀଙ୍କ ବିରୋଧରେ ଭୁବନେଶ୍ୱର ଅତିରିକ୍ତ ଦୌରା ଜଜ୍‌ ତଥା ସ୍ୱତନ୍ତ୍ର ପୋକ୍‌ସୋ ଅଦାଲତରେ ଆଜି ମଧ୍ୟ ସାକ୍ଷ୍ୟ ଗ୍ରହଣ ହୋଇ ପାରି ନାହିଁ। ପୂର୍ବ ନିଦ୍ଦେଶ ଅନୁସାରେ ପୀଡିତା ଓ ତାଙ୍କ ବାପା ସାକ୍ଷ୍ୟ ପ୍ରଦାନ ପାଇଁ ଅଦାଲତରେ ଉପସ୍ଥିତ ଥିଲେ ସେମାନଙ୍କ ସାକ୍ଷ୍ୟ ଗ୍ରହଣ ହୋଇ ପାରି ନାହିଁ। ଏହି ମାମଲାରେ ସରକାରୀ ଓକିଲଙ୍କୁ ଅତୀତରେ ପରିବର୍ତ୍ତନ କରି ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ୍‌ ପ୍ରସିକ୍ୟୁଟରଙ୍କୁ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ପୂର୍ବ ତାରିଖରେ ପୀଡିତା ଓ ତାଙ୍କ ବାପା ସାକ୍ଷ୍ୟ ଗ୍ରହଣ ପାଇଁ ଅଦାଲତରେ ଉପସ୍ଥିତ ଥିବା ବେଳେ ସ୍ୱତନ୍ତ୍ର ପିପିଙ୍କ ଅନୁପସ୍ଥିତି ଯୋଗୁ ସାକ୍ଷ୍ୟ ଗ୍ରହଣ ହୋଇ ପାରି ନଥିଲା। ଏହା ପରେ ଫେବ୍ରୁଆରି ୨୧କୁ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରି ଅଦାଲତ ସାକ୍ଷୀ ଓ ସ୍ୱତନ୍ତ୍ର ପିପିଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଅଦାଲତଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ଆଜି ପୀଡିତା ଓ ତାଙ୍କ ବାପା ଅଦାଲତରେ ହାଜର ହୋଇଥିଲେ ମଧ୍ୟ ପୂର୍ବ ଭଳି ସମାନ ପରିସ୍ଥିତି ଉପୁଜିବାରୁ ସାକ୍ଷ୍ୟ ଗ୍ରହଣ ହୋଇ ପାରି ନଥିଲା। ମୁଦଲାଙ୍କ ପକ୍ଷରୁ ଆଇନଜୀବୀ ଦେବସ୍ନାନ ଦାସ ଏକ ପିଟିସନ ଦାଖଲ କରି ଦର୍ଶାଇଥିଲେ ଯେ ତ୍ୱରିତ ଶୁଣାଣି ଅଭିଯୁକ୍ତଙ୍କ ସାମ୍ବିଧାନିକ ଅଧିକାର। କିନ୍ତୁ ସୃଷ୍ଟି ହୋଇଥିବା ପରିସ୍ଥିତି ଯୋଗୁ ସାକ୍ଷ୍ୟ ଗ୍ରହଣ ହୋଇ ପାରୁ ନାହିଁ ଓ ମାମଲାର ଶୁଣାଣିରେ ବିଳମ୍ବ ହେଉଛି। ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ମାମଲାର ଶୁଣାଣି ଶେଷ କରିବା ପାଇଁ ଅଭିଯୁକ୍ତଙ୍କ ପକ୍ଷରୁ ନିବେଦନ କରାଯାଇଥିଲା। ଅଭିଯୁକ୍ତଙ୍କ ପକ୍ଷ ଓ ପୂର୍ବ ନିର୍ଦ୍ଦେଶ ଆଧାରରେ ମାମଲାର ଶୁଣାଣିରେ ବିଳମ୍ବ ସଂପର୍କରେ ପବ୍ଲିକ୍‌ ପ୍ରସିକ୍ୟୁସନ ନିର୍ଦ୍ଦେଶକଙ୍କୁ ଅବଗତ କରିବା ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ନାବାଳିକା ଅସଦାଚରଣ ମାମଲାରେ ପପୁ ଓ ତାଙ୍କ ସହଯୋଗୀ ଗିରଫ ହେବା ପରେ ହାଇକୋର୍ଟରୁ ଜାମିନ ପାଇ ଥିଲେ। ଚାର୍ଜସିଟ ଦାଖଲ ପରେ ମାମଲାର ଶୁଣାଣି ଚାଲିଛି।

ସମ୍ବନ୍ଧିତ ଖବର