କାହା ଦଖଲକୁ ଯିବ ‘ପାରାଦୀପ’ ଗଡ଼?

ଦାମଙ୍କୁ ଚେକ୍, ରୋଚକ ହେଉଛି ଲଢ଼େଇ, ସବୁ ଦଳରେ ଏକାଧିକ ଆଶାୟୀ: କୁହୁଳୁଛି କନ୍ଦଳ

ଜଗତସିଂହପୁର, (ସନ୍ଦୀପ ଲେଙ୍କା): ବନ୍ଦର ଏବଂ ଶିଳ୍ପ ପାଇଁ ଗୁରୁତ୍ୱ ରଖୁଥିବା ପାରାଦୀପ, ୨୦୧୯ ସାଧାରଣ ନିର୍ବାଚନରେ କାହା ଦଖଲକୁ ଯିବ?

ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ବିଜେଡିରୁ ବିଦା ହେବା ପରେ, ଏବେ ଏ ପ୍ରଶ୍ନ ରାଜନୀତିରେ ରୁଚି ରଖୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ମନକୁ ଆନ୍ଦୋଳିତ କରୁଛି। ପାରାଦୀପ ପୌରପାଳିକା, କୁଜଙ୍ଗ ବ୍ଲକ୍ ଏବଂ ତିର୍ତ୍ତୋଲର ସାତଟି ପଞ୍ଚାୟତକୁ ନେଇ ୨୦୦୯ରେ ଗଠିତ ହୋଇଛି ଏହି ନିର୍ବାଚନମଣ୍ଡଳୀ। ବର୍ତ୍ତମାନ ସ୍ଥିତିରେ ରାଜ୍ୟ ଅନ୍ୟତମ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ଭାବେ ପରିଗଣିତ ହୋଇଛି।

ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ବିେଜଡିରୁ ବିଦା ହେବା ପରେ ନିର୍ବାଚନ ମଣ୍ଡଳୀରେ ଏବେ ବି ଛୋଟ ବଡ଼ କାର୍ଯ୍ୟକ୍ରମ ଚାଲୁ ରଖିଛନ୍ତି। କିନ୍ତୁ ଦାମ ନିଜେ ନିର୍ବାଚନ ଲଢ଼ିବେ ନା ତାଙ୍କର କୌଣସି ପ୍ରତିନିଧି ପାରାଦୀପରେ ଲଢ଼ାଇବେ, ସେ ନେଇ କୌଣସି ସ୍ପଷ୍ଟ ଚିତ୍ର ମିଳି ନାହିଁ। କେବଳ ସେତିକି ନୁହେଁ ଅନ୍ୟ କେଉଁ ଦଳର ପ୍ରାର୍ଥୀଙ୍କୁ ଦାମ ସମର୍ଥନ କରିବାର ସମ୍ଭାବନାକୁ ମଧ୍ୟ ବର୍ତ୍ତମାନଠାରୁ ଏଡ଼ାଇ ଦିଆଯାଇପାରିବ ନାହିଁ।

ଅନ୍ୟପଟରେ ଦାମଙ୍କ ପ୍ରଭାବ ଯେପରି ବିଜେଡିକୁ ସମସ୍ୟାରେ ନ ପକାଇବ, ସେଥିପାଇଁ ଉପକୂଳ ଅଞ୍ଚଳର ପ୍ରଭାବଶାଳୀ ନେତା ପାରାଦୀପକୁ ଗୁରୁତ୍ୱଦେଇ ସଂଗଠନକୁ ମଜବୁତ କରିବା ପାଇଁ ଉଦ୍ୟମ କରୁଛନ୍ତି। ସବୁଠାରୁ ଆଗରେ ରହିଥିଲେ ବିଧାୟକ ଦେବାଶୀଷ ସାମନ୍ତରାୟ। କଟକ ଜିଲ୍ଲା ସଭାପତି ଭାବେ ତାଙ୍କୁ ବିେଜଡି ମୁଖିଆ ନବୀନ ପଟ୍ଟନାୟକ ତାଙ୍କୁ ଦାୟିତ୍ବ େଦବା ପରେ ପାରାଦୀପ ଗଣିତ ଅଧିକ ଜଟିଳ େହାଇଛି। ପାରାଦୀପ ପୌରପାଳିକା ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ ଓ ଶ୍ରମିକ ନେତା ସନ୍ତୋଷ ପଟ୍ଟନାୟକ ମଧ୍ୟ ବିଜେଡି ଆଶାୟୀଙ୍କ ମଧ୍ୟରେ ରହିଛନ୍ତି। ଏଣୁ ହାଇକମାଣ୍ଡ ବିରୋଧୀଙ୍କୁ ଚକମା ଦେବା ପାଇଁ ନୂଆ ପ୍ରାର୍ଥୀ ଦେବାର ମଧ୍ୟ ସମ୍ଭାବନା ରହିଛି। ଏପରିକି ଦାମଙ୍କୁ ଚୁପ୍ କରିବା ପାଇଁ ଦଳ ତାଙ୍କ ପୁତ୍ର ସମ୍ବିତ ରାଉତରାୟଙ୍କୁ ପ୍ରାର୍ଥୀ କରିବା ସମ୍ଭାବନାକୁ ବି ଏଡାଇ ଦିଆଯାଇପାରିବ ନାହିଁ।

ପାରାଦୀପରେ କଂଗ୍ରେସର ମଧ୍ୟ ଏକାଧିକ ନେତା ଟିକଟ ଆଶାୟୀ ତାଲିକାରେ ରହିଛନ୍ତି। କଂଗ୍ରେସ ନେତା ବାପି ସର୍ଖେଲ ଓ ପ୍ରମୋଦ ଜେନା ଏଠି ସମାନ୍ତରାଳ ଭାବେ ସମାବେଶ କରୁଥିବା ଦେଖିବାକୁ ମିଳୁଛି। ଗତ ସପ୍ତାହରେ ସ୍କ୍ରିନିଂ କମିଟି ସାମ୍ନାରେ ଏହି ଉଭୟ ଉପସ୍ଥିତ ହୋଇ ଟିକଟ ହାସଲ ପାଇଁ ନିଜ ସପକ୍ଷରେ ଯୁକ୍ତି ବାଢ଼ିଥିଲେ।

ପୂର୍ବରୁ ଏହି ଆସନରେ ଅମାନତ ହରାଉଥିବା ବିଜେପି ଏବେ ବିରୋଧୀ କଂଗ୍ରେସ ଓ ବିଜେଡି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଗତ ପଞ୍ଚାୟତ ନିର୍ବାଚନରେ ଦୁଇଟି ଜିଲ୍ଲା ପରିଷଦ ଜୋନ୍ ଦଖଲ କରିଥିଲା। ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସମ୍ପଦ ସ୍ୱାଇଁ ଏହି ଆସନରୁ ବିଧାୟକ ଭାବେ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଅଛନ୍ତି`ଅନ୍ୟମାନଙ୍କଠାରୁ ଅଭିଜ୍ଞତା ଓ ବୟସରେ କନିଷ୍ଠ ହୋଇଥିଲେ ମଧ୍ୟ ତାଙ୍କ ଗୋଟିଚାଳନା ଉପରେ ବିରୋଧୀମାନେ ତୀକ୍ଷ୍ଣ ନଜର ରଖିଛନ୍ତି।

୨୦୧୪ ନିର୍ବାଚନ ଫଳାଫଳ

ଦଳ           ପ୍ରମୁଖ ପ୍ରାର୍ଥୀ           ଭୋଟ
ବିଜେଡି     ଦାମୋଦର ରାଉତ     ୮୫,୨୦୬
କଂଗ୍ରେସ    ଅରିନ୍ଦମ ସର୍ଖେଲ       ୪୬,୬୦୬
ବିଜେପି     ଦିପ୍ତୀରେଖା ନାୟକ     ୫,୮୩୨
ସିପିଆଇ    ଜିନ୍ମୟୀ ସାହାଣୀ        ୨,୨୭୬
ନୋଟା        ….                    ୯୨୬

ସମ୍ବନ୍ଧିତ ଖବର