ପାରାଦୀପରେ ନୂତନ ‘ହାର୍ବର ପାଇଲଟ୍’ ବ୍ୟବସ୍ଥା, ‘ଫନି’ ସତ୍ତ୍ବେ ୩.୫ ଲକ୍ଷ ମେଟ୍ରିକ୍ ଟନ୍ ପଣ୍ୟ କାରବାର

ଜଗତସିଂହପୁର : ଆଧୁନିକ ବୈଷୟିକ ଜ୍ଞାନ କୌଶଳ ବ୍ୟବହାରରେ ପାରାଦୀପ ବନ୍ଦର ସର୍ବଦା ଉଦାହରଣ ସୃଷ୍ଟି କରୁଛି। ଗତ ୩ ତାରିଖରେ ସାମୁଦ୍ରିକ ବାତ୍ୟା଼ ‘ଫନି’ ପାରାଦୀପ ବନ୍ଦରକୁ ଧ୍ୱସ୍ତବିଧ୍ୱସ୍ତ କରି ଦେଇଥିଲା। ବାତ୍ୟାକୁ ଦୃଷ୍ଟିରେ ରଖି ଢ଼େର୍‌ ପୂର୍ବରୁ ବନ୍ଦର କର୍ତ୍ତୃପକ୍ଷ ଜାହାଜଗୁଡ଼ିକୁ ଗଭୀର ସମୁଦ୍ରକୁ ପଠାଇ ଦେଇଥିଲେ। ଇତିମଧ୍ୟରେ ବାତ୍ୟାର ପ୍ରକୋପ କମିଯାଇଥିଲେ ବି ଯେଉଁ ସିଗ୍ନାଲକୁ ଦେଖି ଜାହାଜ ବନ୍ଦରରେ ପଣ୍ୟ କାରବାର କରେ, ସେଗୁଡ଼ିକ ଭାସି ଯାଇଛି। ତା’ ସତ୍ତ୍ବେ, ବନ୍ଦର କର୍ତ୍ତୃପକ୍ଷ ‘ହାର୍ବର ପାଇଲଟ୍’ ବ୍ୟବସ୍ଥାକୁ ଆପଣାଇ ବନ୍ଦରରେ ପଣ୍ୟ କାରବାରକୁ ସୁଗମ କରି ପାରିଛନ୍ତି। ଏହି ପ୍ରକ୍ରିୟାରେ ଗତକାଲି ଗୋଟିଏ ଦିନରେ ବନ୍ଦରରେ ୩.୫ ଲକ୍ଷ ମେଟ୍ରିକ୍ ଟନ୍ ପଣ୍ୟ କାରବାର ହୋଇପାରିଛି ।

ବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଜାହାଜଗୁଡ଼ିକ ସମୁଦ୍ର ମଧ୍ୟରୁ ବନ୍ଦରକୁ ଆସିବା ପାଇଁ ଏକ ସ୍ୱତନ୍ତ୍ର ସିଗ୍ନାଲ (ନାଭିଗେସନାଲ ବୁଏଜ୍)ର ବ୍ୟବହାର କରନ୍ତି। ଗତ ୩ ତାରିଖର ବାତ୍ୟା ଯୋଗୁଁ ପାଖାପାଖି ୧୧ଟି ସିଗ୍ନାଲ ଭାସି ଯାଇଥିଲା। ମାତ୍ର ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ନୂତନ ଭାବେ ବ୍ୟବହାର କରାଯାଇଥିବା ବ୍ୟବସ୍ଥା ଯୋଗୁଁ ପଣ୍ୟ କାରବାର ସ୍ୱାଭାବିକ ହୋଇପାରିଛି। ଏହି ବ୍ୟବସ୍ଥାରେ ଗୋଟିଏ ଲାପଟପ୍ ଓ ଜିପିଏସ୍ ସିଷ୍ଟମ୍ ଦ୍ୱାରା ଜାହାଜଗୁଡ଼ିକ ବନ୍ଦର ମଧ୍ୟରେ ପଣ୍ୟ କାରବାର କରିପାରିଛନ୍ତି। ପାରାଦୀପ ବନ୍ଦର ପ୍ରଥମଥର ପାଇଁ ଏହି ବ୍ୟବସ୍ଥାକୁ ଆପଣାଇଛି ଯାହା ଏକ ରେକର୍ଡ ବୋଲି କୁହାଯାଉଛି। ‘ନାଭିଗେସନାଲ ବୁଏଜ’ ନଥିବା ସତ୍ତ୍ବେ ଗତକ‌ାଲି ଦିନ ଓ ରାତି ବେଳା ଜାହାଜ ଗୁଡ଼ିକ ପଣ୍ୟ କାରବାର କରିପାରିଛନ୍ତି । ସେଥିପାଇଁ ବନ୍ଦର କର୍ତ୍ତୃପକ୍ଷ ରିଙ୍କେଶ ରାୟ ଏହି ବିଭାଗର ମୁଖ୍ୟ କ୍ୟାପଟେନ୍ ଅତୁଲ୍ୟ କୁମାର ମହାପାତ୍ର ଓ କ୍ୟାପଟେନ୍ ଏ.ସି ସାହୁଙ୍କ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି। ସେମାନଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ପାରାଦୀପ ବନ୍ଦର ଏମିତି ଏକ ରେକର୍ଡ କରିବାକୁ ସକ୍ଷମ ହୋଇଛି ବୋଲି ବନ୍ଦର ଅଧ୍ୟକ୍ଷ ଶ୍ରୀ ରାୟ କହିଛନ୍ତି ।

ସମ୍ବନ୍ଧିତ ଖବର