ପାରାଦୀପ ମାଛଧରା ବନ୍ଦରକୁ ଆନ୍ତର୍ଜାତିକ ମାନ୍ୟତା

ବିଦେଶକୁ ସିଧାସଳଖ ମାଛ ରପ୍ତାନୀ ସୁଯୋଗ 

ନଭେମ୍ବରରେ ମିଳିପାରେ ‘ଇୟୁ’ ସ୍ୱୀକୃତି

ପାରାଦୀପ : ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନକାରୀଙ୍କ ପାଇଁ ଖୁସି ଖବର। ପାରାଦୀପ ମାଛଧରା ବନ୍ଦରକୁ ଆନ୍ତର୍ଜାତିକ ମାନ୍ୟତା ମିଳିଛି। ବନ୍ଦରରୁ ବିଦେଶକୁ ସିଧାସଳଖ ମାଛ ରପ୍ତାନୀ ପାଇଁ ସୁଯୋଗ ସୃଷ୍ଟି ହୋଇଛି। କେବଳ ସେତିକି ନୁହେଁ ଆସନ୍ତା ନଭେମ୍ବରରେ ଏହି ମାଛଧରା ବନ୍ଦରକୁ ଇଉରୋପିଆନ ୟୁନିଅନ(ଇଉ) ଟିମ୍‌ ପରିଦର୍ଶନ କରିବ। ପରିଦର୍ଶନ ପରେ ମାଛଧରା ବନ୍ଦରକୁ ଇଉ ମାନ୍ୟତା ମିଳିବାର ବି ସମ୍ଭାବନା ରହିଛି। ଫଳରେ, ଆନ୍ତର୍ଜାତିକ ସ୍ତରରେ ପାରାଦୀପ ମାଛର ଚାହିଦା ବଢ଼ିଯିବ। ଏହାଦ୍ୱାରା ମତ୍ସ୍ୟ ଉତ୍ପାଦନକାରୀ ଓ ବ୍ୟବସାୟୀମାନେ ସିଧାସଳଖ ଫାଇଦା ପାଇପାରିବେ।

ସୂଚନା ଅନୁସାରେ, ପାରାଦୀପ ମାଛଧରା ବନ୍ଦରରୁ ପ୍ରତି ବର୍ଷ ପ୍ର୍ରାୟ ୩୫ ହଜାର ମେଟ୍ରିକ ଟନ୍‌ ମାଛ ବିଦେଶକୁ ରପ୍ତାନୀ କରାଯାଉଛି। ପ୍ରତି ବଦଳରେ ୫୦୦ କୋଟି ଟଙ୍କା ବୈଦେଶିକ ଅର୍ଥ ମିଳୁଛି। ଯଦିଓ ପାରାଦୀପରୁ ପୂର୍ବରୁ ମାଛ ରପ୍ତାନୀ ହେଉଥିଲା, ମାତ୍ର ମାନ୍ୟତା ମିଳିନଥିବାରୁ ବିଦେଶକୁ ମାଛ ରପ୍ତାନୀ କରିବାରେ ବହୁ ସମସ୍ୟା ହେଉଥିଲା। ଏହାସହ ଏହା ପାରାଦୀପ ମାଛ ବୋଲି ମଧ୍ୟ କୌଣସି ପରିଚୟ ରହୁନଥିଲା। ଫଳରେ ଜୁଲାଇ ୧୫ ତାରିଖରେ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ପକ୍ଷରୁ ମାନ୍ୟତା ପାଇଁ ଆବେଦନ କରାଯାଇଥିଲା।

ଉକ୍ତ ମାସ ୨୫ ତାରିଖରେ ରାଜ୍ୟ ମତ୍ସ୍ୟ ବିଭାଗର ଦୁଇ ଅଧିକାରୀ କବିତା ମିଶ୍ର ଓ ରତ୍ନାକର ନାୟକ ପାରାଦୀପ ମାଛଧରା ବନ୍ଦରକୁ ପରିଦର୍ଶନରେ ଆସିଥିଲେ। ଶେଷରେ ଗତ ଅଗଷ୍ଟ ୯ ତାରିଖରେ ପାରାଦୀପ ମାଛଧରା ବନ୍ଦରକୁ ଏନ୍‌ଭରମେଣ୍ଟାଲ ଇମ୍ପାକ୍ଟ୍‌ ଆସେସ୍‌ମେଣ୍ଟ(ଇଆଇଏ) ମାନ୍ୟତା ମିଳିଥିଲା। ଫଳରେ ଟ୍ରଲର ମାଲିକମାନଙ୍କୁ ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି ହୋଇଛି। ଏହି ମାନ୍ୟତା ମିଳିବା ପରେ ଆନ୍ତର୍ଜାତିକ ସ୍ତରରେ ପାରାଦୀପ ମାଛର ମୂଲ୍ୟ ଓ ଗୁଣବତ୍ତା ବୃଦ୍ଧି ପାଇଛି।

ବୋଟ୍‌ କର୍ମଚାରୀମାନଙ୍କର ଅକ୍ଲାନ୍ତ ପରିଶ୍ରମ, ମାଲିକମାନଙ୍କର ପ୍ରୟାସ ଓ ରାଜ୍ୟ ସରକାରଙ୍କ ସହଯୋଗ ଯୋଗୁଁ ଏହି ସଫଳତା ମିଳିପାରିଛି ବୋଲି ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ସଭାପତି ଶ୍ରୀକାନ୍ତ ପରିଡ଼ା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର