ରେକର୍ଡ ରଚିଲା ପାରାଦୀପ ବନ୍ଦର : ୨୪ ଘଣ୍ଟାରେ ୨୪ ଜାହାଜ ଚଳାଚଳ

ପାରାଦୀପ : ପାରାଦୀପ ବନ୍ଦର ଆଉ ଏକ ସଫଳତାର ପାହାଚ ଅତିକ୍ରମ କରିବାକୁ ସକ୍ଷମ ହୋଇଛି। ଗୋଟିଏ ଦିନରେ ୨୪ଟି ପଣ୍ୟବାହୀ ଜାହାଜ ଚଳାଚଳ କରାଇ ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ପ୍ରଥମଥର ପାଇଁ ଏପରି ଏକ ଗୌରବମୟ କାର୍ଯ୍ୟ କରି ବନ୍ଦର ସାରାଦେଶରେ ନିଜର ସ୍ଥିତି ଜାହିର କରିପାରିଛି।

ଗତକାଲି ସକାଳ ୫ଟାରୁ ଏହି ଚଳାଚଳ ଆରମ୍ଭ ହୋଇଥିଲା। ଆଜି ସକାଳ ୫ଟା ମଧ୍ୟରେ ସମୁଦାୟ ୨୪ଟି ଜାହାଜ ଚଳାଚଳ କରିଥିଲା। ପ୍ରଥମ ସିଫ୍‌ଟରେ ୯ଟି, ଦ୍ଵିତୀୟ ସିଫ୍‌ଟରେ ୭ଟି ଓ ତୃତୀୟ ସିଫ୍‌ଟରେ ୮ଟି ପଣ୍ୟବାହୀ ଜାହାଜ କାରବାର କରିଥିଲା। ଯାହାକି, ପାରାଦୀପ ବନ୍ଦର ଇତିହାସରେ ପ୍ରଥମ । ଏହି ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୩୭ ହଜାର ୩୪୧ ଟନ୍‌ ପଣ୍ୟ କାରବାର ହୋଇଥିଲା। ପୂର୍ବରୁ ପାରାଦୀପ ବନ୍ଦରରେ ୨୪ ଘଣ୍ଟା ମଧ୍ୟରେ ୧୯ଟି ଜାହାଜ କାରବାର କରିଥିଲା।

ଏ ନେଇ ପାରାଦୀପ ବନ୍ଦରର ମାଷ୍ଟର (କ୍ୟାପ୍‌ଟେନ୍‌) ଅତୁଲ୍ୟ ମହାପାତ୍ର କହିଛନ୍ତି ଯେ, ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ନିଷ୍ଠା ଏବଂ ଏକାଗ୍ରତା ଯୋଗୁଁ ଏପରି ଏକ ସଫଳତା ମିଳିପାରିଛି। ଆଗକୁ ବନ୍ଦର ଆହୁରି ବଡ଼ ବଡ଼ ରେକର୍ଡ ସୃଷ୍ଟି କରିବ। ଏଥିପାଇଁ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରୟଙ୍କୁ ପ୍ରଶଂସା କରିବା ସହ ତାଙ୍କର ମାର୍ଗଦର୍ଶନ ଯୋଗୁଁ ସମସ୍ତ କର୍ମଚାରୀ ଉତ୍ସାହିତ ବୋଲି ସେ କହିଛନ୍ତି।

ପ୍ରକାଶଥାଉକି, ଆଜିକୁ ଠିକ୍‌ ମାସକ ତଳେ ପ୍ରଥମଥର ପାଇଁ କ୍ୟାପ୍‌ ସାଇଜ୍‌ ଜାହାଜ ‘ଉର୍ଜ୍ଜା’ ପାରାଦୀପକୁ ଆସିଥିଲା। ଏହା ଗଙ୍ଗାଭରମ ବନ୍ଦରରୁ ସମୁଦାୟ ୧ ଲକ୍ଷ ମେଟ୍ରିକ୍‌ ଟନ୍‌ ପଣ୍ୟ ସାମଗ୍ରୀ ନେଇ ବନ୍ଦରରେ ପହଞ୍ଚଥିଲା। ପାରାଦୀପ ବନ୍ଦରର ଭିତ୍ତିଭୂମିରେ ଉନ୍ନତି ହୋଇଥିବାରୁ ତଥା ଏହାର ପରିସୀମାକୁ ବୃଦ୍ଧି କରାଯାଇଥିବାରୁ ଏହିପରି ବଡ଼ ବଡ଼ ଜାହାଜ କାରବାର କରିପାରିବ। ଚଳିତବର୍ଷ ୧୦୦ ଲକ୍ଷ ମେଟ୍ରିକ୍‌ ଟନ୍‌ ପଣ୍ୟ କାରବାର କରିବା ପାଇଁ ବନ୍ଦର କର୍ତ୍ତୃପକ୍ଷ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର