ପରଲୋକରେ ପାରଳା ମହାରାଜ ଗୋପୀନାଥ ଗଜପତି

ଭୁବନେଶ୍ୱର: ଶୁକ୍ରବାର ସକାଳେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ପାରଳାଖେମୁଣ୍ଡିର ରାଜା ଗୋପୀନାଥ ଗଜପତି ନାରାୟଣ ଦେବ ପରଲୋକ ଗମନ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ।

ଗତ ୨୦୧୬ରୁ ପାରଳା ମହାରାଜାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା । ତେଣୁ ତାଙ୍କୁ ପ୍ରଥମେ ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିଲା କିନ୍ତୁ ପୁଣି ଥରେ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ୨୦୧୭ ଜାନୁଆରିରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପରଠାରୁ ସେ କ୍ରମାଗତ ଅସୁସ୍ଥ ରହି ଆସୁଥିଲେ।

୧୯୪୩ ମସିହା ମାର୍ଚ ୬ ତାରିଖରେ ଜନ୍ମିତ ଗୋପୀନାଥ ଗଜପତି ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ନବମ ଓ ଦଶମ ଲୋକସଭାର ସାଂସଦ ହୋଇଥିଲେ। ୧୯୭୪ ମସିହା ମେ ୨୬ ତାରିଖ ଦିନ ଗୋପୀନାଥ ଗଜପତି ପାରଳାଖେମୁଣ୍ଡିର ‘ରାଜା’ ଭାବେ ଅଭିଷିକ୍ତ ହୋଇଥିଲେ। ସେ ଥିଲେ କୃଷ୍ଣଚନ୍ଦ୍ର ଗଜପତିଙ୍କ ଜ୍ୟେଷ୍ଠପୁତ୍ର ରାମଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ପୁତ୍ର।

୧୯୬୭ ମସିହା ମାର୍ଚ ୧୪ ତାରିଖ ଦିନ ସେ ଧରମପୁରର ରାଜଜେମା ରାଣୀ ପୂର୍ଣ୍ଣ ଦେବୀଙ୍କୁ ବିବାହ କରିଥିଲେ। ତାଙ୍କର ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି।

ସ୍ବାଧୀନତା ପରବର୍ତ୍ତୀ ସମୟରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପୁରୋଧା ତଥା ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଦାୟାଦ ପରାଳାଖେମୁଣ୍ତି ରାଜା ଗୋପୀନାଥ ଗଜପତି ନାରାୟଣ ଦେବ ରାଜନୀତିରେ ପ୍ରବେଶ କରିଥିଲେ। ପ୍ରଥମେ ସେ ଭାରତୀୟ ଜାତୀୟ କଂଗ୍ରେସର ସଦସ୍ୟ ଥିଲେ। ପରେ ସେ ବିଜେପି ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ।

ନବମ ଲୋକସଭା ନିର୍ବାଚନ(୧୯୮୯)ରେ ଗୋପୀନାଥ ଗଜପତି ବ୍ରହ୍ମପୁର ଲୋକସଭା ଆସନରୁ କ˚ଗ୍ରେସରୁ ପ୍ରାର୍ଥୀ ହୋଇ ୨ଲକ୍ଷ ୩୨ହଜାର ୦୮୨ ଖଣ୍ତ ଭୋଟ ପାଇ ବିଜୟୀ ହୋଇଥିଲେ। ଦଶମ ଲୋକସଭା ନିର୍ବାଚନ(୧୯୯୧)ରେ ସେ ପୁଣି କ˚ଗ୍ରେସରୁ ପ୍ରାର୍ଥୀ ହୋଇ ୨ଲକ୍ଷ ୩୫ହଜାର ୨୬୦ଖଣ୍ତ ଭୋଟ ପାଇ ବିଜୟୀ ହୋଇଥିଲେ। ମାତ୍ର  ଦ୍ବାଦଶ ଲୋକସଭା ନିର୍ବାଚନ (୧୯୯୮)ରେ ବିଜେପି ପ୍ରାର୍ଥୀ ହୋଇ ନିର୍ବାଚନରେ ପରାଜିତ ହୋଇଥିଲେ। ରାଜନୀତିରୁ ଦୂରେଇ ରହିଥିବା ଗୋପୀନାଥ ଗଜପତିଙ୍କ କନ୍ୟା ତଥା କୃଷ୍ଣଚନ୍ଦ୍ର ଗଜପତିଙ୍କ ନାତୁଣୀ ରାଜକୁମାରୀ କଲ୍ୟାଣ ଦେବୀ ଏବେ ରାଜନୀତିରେ ପାଦ ଥାପିଛନ୍ତି। ଗତ କିଛିଦିନ ତଳେ ସେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି।

ଗୋପୀନାଥ ଜଗପତିଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରିଛନ୍ତି: ପୂର୍ବତନ ଲୋକସଭା ସାଂସଦ ତଥା ପାରଳା ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ବିୟୋଗ ସମଗ୍ର ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ତାଙ୍କ ଆତ୍ମାର ସଦ୍‌ଗତି କାମନା କରୁଛି।

ତାଙ୍କ ବିୟୋଗରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ପୂର୍ବତନ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କ ଆତ୍ମାର ଦସଗତି କାମନା କରି ସେମାନେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।

ସମ୍ବନ୍ଧିତ ଖବର