ନାବାଳିକାଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲା ପୁଲିସ : ସାରା ରାଜ୍ୟ ବୁଲିବ ‘ପରୀ ରଥ’ 

ଭୁବନେଶ୍ୱର : ଦିନକୁ ଦିନ ରାଜ୍ୟରେ ନାବାଳିକାଙ୍କ ଉପରେ ଯୌନ ନିର୍ଯାତନା ବଢ଼ି ଚାଲିଛି। ଯୌନ ନିର୍ଯାତନାର ଶିକାର ହେଉଥିବା ନାବାଳିକାଙ୍କ ମଧ୍ୟରୁ ୯୨ ପ୍ରତିଶତ ସେମାନଙ୍କ ପଡ଼ୋଶୀ, ଆତ୍ମୀୟସ୍ୱଜନ ବା ପରିଚିତ ଲୋକମାନଙ୍କ ଦ୍ୱାରା ନିର୍ଯାତିତ ହେଉଛନ୍ତି। ନାବାଳିକାଙ୍କ ପ୍ରତି ଘଟୁଥିବା ଏଭଳି ନିର୍ଯାତନାକୁ ରୋକିବା ପାଇଁ ରାଜ୍ୟ ପୁଲିସ ପକ୍ଷରୁ ‘ପରୀ ପାଇଁ କଥାଟିଏ’ ନାମରେ ଏକ ଜନ ଜାଗରଣ ଅଭିଯାନ ଆରମ୍ଭ  ହେବ।  ଏଥିପାଇଁ ଚୂଡ଼ାନ୍ତ ଖସଡ଼ା ପ୍ରସ୍ତୁତ ସରିଛି। ଏହି ମହାଅଭିଯାନକୁ ପ୍ରଥମେ ଭୁବନେଶ୍ୱରରୁ ଆରମ୍ଭ କରାଯିବ। ଚଳିତ ମାସ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦ୍‌ଘାଟନ କରିବେ। ୨୮ ତାରିଖରୁ ଜୁନ୍‌ ୧୨ ତାରିଖ ୧୫ ଦିନ ଧରି ସାରା ରାଜ୍ୟରେ ‘ପରୀ ରଥ’ ମାଧ୍ୟମରେ ଜନ ଜାଗରଣ ସୃଷ୍ଟି କରାଯିବ। ପୁଲିସ ଭବନରେ ଓଡ଼ିଶା ପୁଲିସ ଏବଂ ୟୁନିସେଫ୍‌ ପକ୍ଷରୁ ଆୟୋଜିତ ଏକ ସଚେତନତା କର୍ମଶାଳାରେ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏଭଳି ଜଘନ୍ୟ ଅପରାଧ ରୋକିବାକୁ ହେଲେ କେବଳ ପୁଲିସ ନୁହେଁ ବରଂ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି।

ଜନ ଜାଗରଣ ପାଇଁ  ୩୦ଟି ଜିଲ୍ଲାରେ ୧୫ଟି ‘ପରୀ ରଥ’ ଗଡ଼ିବ। ଗୋଟିଏ ରଥ ୨ଟି ଜିଲ୍ଲାରେ  ପରିକ୍ରମା କରିବ। ପରୀ ରଥଗୁଡ଼ିକ ପଞ୍ଚାୟତ ସ୍ଥରରୁ ଆରମ୍ଭ କରି ବ୍ଲକ, ଉପଖଣ୍ଡ, ଜିଲ୍ଲା ସଦରମହକୁମା ଆଦି ସମସ୍ତ ସ୍ଥାନରେ ପରିକ୍ରମା କରିବ। ପ୍ରତି ରଥରେ ଜଣେ ନୋଡ଼ାଲ ଅଫିସରଙ୍କ ସହ ୪ଜଣ ପୁଲିସ ଅଧିକାରୀ ରହିବେ। ରଥ ଗୁଡ଼ିକରେ ଏଲ୍‌ଇଡି ମାଧ୍ୟମରେ ସଚେତନତା ଭିଡିଓ ପ୍ରଦର୍ଶନ କରାଯିବ। ବିଭିନ୍ନ ସଚେତନତା ବାର୍ତ୍ତା ଲେଖାଥିବା ଲିଫ୍‌ଲେଟ୍‌, ପୋଷ୍ଟର ଓ ପାମ୍ପଲେଟ୍‌ ଲୋକମାନଙ୍କୁ ବଣ୍ଟାଯିବ। ଜିଲ୍ଲା ସ୍ତରରେ ଆରକ୍ଷୀ ଅଧୀକ୍ଷକମାନେ ଏହରେ ନେତୃତ୍ୱ ନେବେ। ସେହିପରି ରେଞ୍ଜ ସ୍ତରରେ ରେଞ୍ଜ ଆଇଜି କିମ୍ବା ଡିଆଇଜିମାନେ ନେତୃତ୍ୱ ନେବେ।

ଏହାଛଡ଼ା ଜିଲ୍ଲାର ଉପଯୁକ୍ତ ଜନଗହଳି ଛକ ଓ ହାଟ ଭଳି ସ୍ଥାନଗୁଡ଼ିକରେ ଜିଲ୍ଲା ସଂସ୍କୃତି ପରିଷଦର କଳାକାର ମାନଙ୍କ ଦ୍ୱାରା ପ୍ରସଙ୍ଗ ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।  କାର୍ଯ୍ୟକ୍ରମରେ ସ୍ଥାନୀୟ ବୁଦ୍ଧିଜୀବୀ, ନିର୍ବାଚିତ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସାମିଲ କରାଯିବ।

ଆଜିର ଏହି କର୍ମଶାଳାରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ସନ୍ତୋଷ ଉପାଧ୍ୟୟ, ଆଇଜି କ୍ରାଇମବ୍ରାଞ୍ଚ ଅରୁଣ ବୋଥ୍ରା, ଆଇଜି(ସଦରମହକୁମା) ତଥା ‘ପରୀ ରଥ’ ଅଭିଯାନର ରାଜ୍ୟ ନୋଡ଼ାଲ ଅଫିସର ଅସିତ ପାଣିଗ୍ରାହୀ ଓ ୟୁନିସେଫ୍‌ର ଅଧିକାରୀମାନେ ଯୋଗ ଦେଇଥିଲେ। ସେହିପରି ୩୦ଟି ଜିଲ୍ଲାର ନୋଡ଼ାଲ ଅଫିସର ଓ ପୁଲିସ ଅଧିକାରୀମାନେ କର୍ମଶାଳାରେ ଯୋଗଦେଇ ମହାଅଭିଯାନ ସମ୍ପର୍କରେ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର