୨୯୪ ନମ୍ବର ବୁଥ୍ ଇଭିଏମ୍ ଖୋଲା, ଷ୍ଟ୍ରଙ୍ଗରୁମ୍ ନିକଟରେ ଉତ୍ତେଜନା

କେନ୍ଦ୍ରାପଡ଼ା : ପାଟକୁରା ନିର୍ବାଚନମଣ୍ତଳୀର ୨୯୪ ନମ୍ବର ବୁଥ୍ ଇଭିଏମ୍ ମେସିନ୍ ସିଲ୍‌ ନ ହୋଇ ଆସିଛି ଷ୍ଟ୍ରଙ୍ଗରୁମକୁ। କେନ୍ଦ୍ରାପଡା ଅଟୋନମସ୍‌ କଲେଜ ପରିସରରେ ଥିବା ଷ୍ଟ୍ରଙ୍ଗରୁମ୍‌ରେ ଏହି ଖୋଲା ଇଭିଏମ୍‌ ପହଞ୍ଚିଲା ପରେ ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଇଭିଏମ୍ ଭୋଟ ଜାଲ କରିବା ଉେଦ୍ଦଶ୍ୟରେ ଏହାକୁ ସିଲ୍‌ କରାଯାଇ ନାହିଁ ବୋଲି କେତେକ ଏଜେଣ୍ଟ ଅଭିଯୋଗ କରି ସେଠାରେ ପାଟିତୁଣ୍ତ କରିଛନ୍ତି।

ପାଟକୁରା ହାଇସ୍କୁଲ୍‌ର ଏହି ବୁଥ୍‌ରୁ ଖୋଲା ଇଭିଏମ୍, ଭିଭିପାର୍ଟ ଅଣାଯିବା ବେଳେ କେତେକ ଯୁବକ ତାହାର ପିଛା କରି ଷ୍ଟ୍ରଙ୍ଗରୁମ୍‌ ପର୍ଯ୍ୟନ୍ତ ଆସିଥିଲେ। ଇଭିଏମ୍ ଆଣିଥିବା ଦ୍ବିତୀୟ ପୁଲିଂ ଅଫିସର ଏଠାରେ ପହଁଚି ଖୋଲା ବ୍ୟାଟେରିକୁ ଭିଭିପାର୍ଟ ମେସିନରେ ଭର୍ତ୍ତି କଲା ବେଳେ ପିଛା କରିଥିବା ଲୋକେ ବିରୋଧ କରି ପାଟିତୁଣ୍ତ କରିଥିଲେ। ଘଟଣା ସ୍ଥଳରେ ଟାଉନ୍ ଥାନା ପୁଲିସ୍‌ ପହଁଚି ସିଲ୍ ହୋଇ ନଥିବା ଇଭିଏମ୍ ମେସିନକୁ ଜବତ କରି ହେପାଜତକୁ ନେଇଥିଲା। ଆସନ୍ତାକାଲି ଏ ସମ୍ପର୍କରେ ଯାଂଚ କରାଯିବ ବୋଲି କୁହାଯାଉଛି। ଅନ୍ୟପଟେ ରିଟର୍ଣ୍ଣିଂ ଅଫିସର ଜ୍ୟୋତି ଶଂକର ମହାପାତ୍ର କହିଛନ୍ତି ଯେ ସେପରି କୌଣସି ଟ୍ୟାମ୍ପରିଂ କରାଯାଇ ନାହିଁ । ୨୯୪ ଇଭିଏମ୍ କେଉଁ ପରିସ୍ଥିତିରେ ସିଲ୍‌ ହୋଇ ନ ଥିଲା, ତାହାର ଯାଂଚ କରାଯିବ।

ସମ୍ବନ୍ଧିତ ଖବର