ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ପୌରପାଳିକାର ପୁରାତନ କାର୍ଯ୍ୟାଳୟ କୋଠାକୁ ଭଙ୍ଗା ନ ଯାଉ ବୋଲି ଗଜପତି ଜିଲ୍ଲାର ବରିଷ୍ଠ ନାଗରିକ ଓ ବହୁ ବୁଦ୍ଧିଜୀବୀ ଦାବି ଜଣାଇଛନ୍ତି। ସେମାନେ ପୌରପାଳିକା ନିର୍ବାହୀ ଅଧିକାରୀଙ୍କୁ ପତ୍ର ଲେଖି ଏହି ଦାବି କରିଛନ୍ତି । ଏହାର ନକଲ ଗଜପତି ଜିଲ୍ଲାପାଳଙ୍କ ସମେତ ନଗର ଉନ୍ନୟନ ମନ୍ତ୍ରୀ ପ୍ରମୁଖଙ୍କୁ ଦିଆଯାଇଥିବା ଜଣାଯାଇଛି। ସେମାନେ କହିଛନ୍ତି, ଆମେ ବିକାଶ ଚାହୁଁ, କିନ୍ତୁ ତା‘ ପ୍ରତିବଦଳରେ ଆମ ଐତିହ୍ୟର ବିନାଶ ଚାହୁଁନା।
ସେମାନେ ଦର୍ଶାଇଛନ୍ତି ଯେ ପାରଳାଖେମୁଣ୍ଡି ମୁନିସିପାଲଟି ହେଉଛି ଓଡିଶାର ଦ୍ୱିତୀୟ ସର୍ବପୁରାତନ ପୌରପାଳିକା । ଏହି ପୌରପାଳିକା କାର୍ଯ୍ୟାଳୟ ୧୮୮୫ ମସିହାରେ ନିର୍ମାଣ ହୋଇଥିଲା। ଏହାର କାର୍ଯ୍ୟାଳୟ ଅଟ୍ଟାଳିକା ପାରଳାଖେମୁଣ୍ଡିର ଏକ ଐତିହ୍ୟ ବୋଲି କହିଛନ୍ତି ଜିଲ୍ଲାର ବରିଷ୍ଠ ନାଗରିକ ନବୀନାନନ୍ଦ ଗନ୍ତାୟତ।
@CMO_Odisha @pcsarangi @AprajitaSarangi @Panda_Odia @dpradhanbjp ?This is the voice of a heritage town Paralakhemundi.We want development but don't wanna lose our heritage #The_2nd_munucipality_buildingof_odisha_going_to_be_demolish
Just do a fly over for extn of roads pic.twitter.com/gETZBQ1bbC— @Gajapati (ଗଜପତି) (@VAdkri) August 3, 2019
ଏଠାରେ ସୂଚନାଯୋଗ୍ୟ, ଏହି ପୁରାତନ କାର୍ଯ୍ୟାଳୟ କୋଠା ଗୃହର ଅବସ୍ଥା ଖରାପ ହେଉଥିବା ଯୋଗୁଁ ନୂତନ ଏବଂ ଆଧୁନିକ କୋଠାଘର ନିର୍ମାଣ କରିବା ପାଇଁ ପୌରପାଳିକାର କାଉନସିଲରେ ବିଲ ପାସ କରାଯାଇଥିଲା ଏବଂ ଏହି ନୂତନ କୋଠାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଶେଷ କରାଯାଇଥିଲା ।
ପୁରାତନ କାଉନସିଲର ଅବଧି ଗତବର୍ଷ ସେପ୍ଟେମ୍ବର ମାସରେ ଶେଷ ହୋଇଥିବା ବେଳେ ନିୟମ ଅନୁସାରେ ଜିଲ୍ଲାପାଳ ଅନୁପମ ସାହା ପାରଳା ପୌରପାଳିକାର ଅଧ୍ୟକ୍ଷ ଦାୟିତ୍ୱରେ ରହିଥିଲେ ।
ଏହି କୋଠା ନିର୍ମାଣ ହେବାପାଇଁ ଦୀର୍ଘ ଦୁଇବର୍ଷ ସମୟ ଲାଗିଥିବା ବେଳେ ଏହି ନୂତନ କୋଠା ଉଦଘାଟନ ହୋଇଥିଲା। କିନ୍ତୁ କାଉନସିଲରଙ୍କ ମଧ୍ୟରେ ବିବାଦ ହେତୁ ନୂଆ କୋଠାରେ କାର୍ଯ୍ୟାଳୟ ଚାଲି ପାରି ନ ଥିଲା। ଏହାର କିଛିଦିନ ପରେ ଏଠାରେ ୧୪୪ ଧାରା ଲାଗୁ କରାଯାଇଥିଲା। ବର୍ତ୍ତମାନ ୧୪୪ ଧାରା ଅବଧି ଶେଷ ହୋଇଛି ଏବଂ ପୁରାତନ କୋଠାକୁ ଭାଙ୍ଗି ଦିଆଯିବାକୁ ନିଷ୍ପତ୍ତି ହୋଇଛି ବୋଲି କହିଛନ୍ତି ପୌରପାଳିକା ନିର୍ବାହୀ ଅଧିକାରୀ। ତେବେ ଏହି ପୌରପାଳିକା ଅଟ୍ଟାଳିକା ଏକ ପ୍ରାଚୀନ ଐତିହ୍ୟ ହୋଇଥିବାରୁ ଏହାକୁ ନ ଭାଙ୍ଗିବା ଲାଗି ଜିଲ୍ଲାର ସଚେତନ ନାଗରିକଙ୍କ ପକ୍ଷରୁ ଏକ ଅଭିଯାନ ଆରମ୍ଭ ହୋଇଛି। ଟୁଇଟର୍ ଜରିଆରେ ଏହି ପ୍ରସଙ୍ଗକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖଙ୍କୁ ଅବଗତ କରାଯାଇଛି।