ପୁଞ୍ଜିଲାଲ୍‌ଙ୍କୁ ଚିହ୍ନିଲେ କୋରିଅର୍‌ ମାଲିକ

ପାଟଣାଗଡ଼ ସବ୍‌-ଜେଲ୍‌ରେ ଟିଆଇ ପରେଡ

କଟକ: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ଅଭିଯୁକ୍ତ ପୁଞ୍ଜିଲାଲ ମେହେର୍‌ଙ୍କର ଆଜି ଟିଆଇ ପରେଡ୍‌ କରାଯାଇଛି। ପାଟଣାଗଡ଼ ସବ୍‌-ଜେଲ୍‌ କରାଯାଇଥିବା ଏହି ଟିଆଇ ପରେଡ୍‌ରେ ରାୟପୁରର ଦୁଇ କୋରିଅର୍‌ ସଂସ୍ଥା ଡିଟିଡିସି ଏବଂ ସ୍କାଏ କିଙ୍ଗ୍‌ ମାଲିକ ପୁଞ୍ଜିଲାଲଙ୍କୁ ଚିହ୍ନିପାରିଛନ୍ତି। ସୂଚନା ଅନୁଯାୟୀ ଫେବ୍ରୁଆରି ୧୫ ତାରିଖରେ ପୁଞ୍ଜିଲାଲ ମେହେର ପାଟଣାଗଡ଼ରୁ ନିଜ ବୁଲେଟ୍‌ରେ କଣ୍ଟାବାଞ୍ଜି ରେଳଷ୍ଟେସନ୍‌ ଯାଇଥିଲେ। ସେଠୁ ଟ୍ରେନ୍‌ ଯୋଗେ ରାୟପୁର ଯାଇଥିଲେ। ରାୟପୁରରେ ଓହ୍ଲାଇବା ପରେ ପ୍ରଥମେ ଡିଟିଡିସି କୋରିଅର୍‌ ସଂସ୍ଥାକୁ ଯାଇଥିଲେ। କିନ୍ତୁ ସେଠାରେ ପରିଚୟପତ୍ର ମାଗିବାରୁ ସେଠୁ ଫେରିଆସିଥିଲେ। ଦ୍ୱିତୀୟଥର ଜଣେ ଅଟୋ ଚାଳକଙ୍କ ହାତରେ ସ୍କାଏ କିଙ୍ଗ କୋରିଅର୍‌ ସେଣ୍ଟରରେ ପାର୍ସଲ ଦେଇଥିଲେ। ଦ୍ୱିତୀୟଥର ୫ ଦିନ ରିମାଣ୍ଡରେ ଆସିଥିବା ପୁଞ୍ଜିଲାଲ ଗତ ୫ ତାରିଖରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌କୁ ଏ ସଂକ୍ରାନ୍ତରେ ଏକ ଡେମୋ ଦେଖାଇଥିଲେ। ଏହାପରେ ପୁଞ୍ଜିଲାଲଙ୍କୁ ପାଟଣାଗଡ଼ ସବ୍‌-ଜେଲ୍‌କୁ ପଠାଇ ଦିଆଯାଇଥିଲା ।

ଅନ୍ୟପକ୍ଷରେ, ସ୍କାଏ କିଙ୍ଗ କୋରିଅର୍‌ ସଂସ୍ଥାର ମାଲିକ ହର୍‌ବିନ୍ଦର ସିଂହ ସାଲୁଜା ଏବଂ ଡିଟିଡିସି କୋରିଅର ସଂସ୍ଥାର ରିନା ନାମକ ଜଣେ ମହିଳାଙ୍କୁ ପାଟଣାଗଡ଼ ଏସ୍‌ଡିଜେଏମ୍‌ କୋର୍ଟ ୧୧ ତାରିଖରେ ସମନ୍‌ ଜାରି କରିଥିଲା । ୧୪ ତାରିଖରେ ପାଟଣାଗଡ ସବ୍‌ଜେଲ୍‌ରେ ହାଜର ହେବାକୁ ଉଲ୍ଲେଖ ଥିଲା । ଗତକାଲି ଉଭୟ ଜେଲ୍‌ରେ ପହଞ୍ଚିଥିଲେ । ସେଠାରେ ଜଣେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପୁଞ୍ଜିଲାଲଙ୍କ ଟିଆଇ ପରେଡ୍‌ କରାଯାଇଥିଲା। ପୁଞ୍ଜିଲାଲଙ୍କୁ ଉଭୟ ଚିହ୍ନି ପାରିଥିଲେ। ଅନ୍ୟପଟେ କ୍ରାଇମ୍‌ବ୍ରାଞ୍ଚର ଏକ ଟିମ୍‌ ଗତକାଲି ପାଟଣାଗଡ଼ ଗସ୍ତ କରିଥିଲା । ଘଟଣାରେ କିିଛି ସାକ୍ଷୀ ଏବଂ ପରୋକ୍ଷ ଭାବେ ଜଡ଼ିତ କିିଛି ବ୍ୟକ୍ତିଙ୍କୁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ପଚରାଉଚରା କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର